ଭୁବନେଶ୍ୱର ୩୦।୦୫ : ତ୍ରିକୋଣୀୟ ପ୍ରେମରୁ ସଂଘବଦ୍ଧ ହତ୍ୟା। ରାତି ଅଧରେ ଗାଡ଼ି ଚଢ଼ାଇ ମର୍ଡର। ପିଲାଦିନର ବନ୍ଧୁ ହିଁ ମାଷ୍ଟରମାଇଣ୍ଡ ! ଦୁର୍ଘଟଣା ନୁହେଁ ବରଂ ପ୍ରେମ ପାଇଁ ସାଙ୍ଗକୁ ମାରିଦେଲା ସାଙ୍ଗ। ଭୁବନେଶ୍ୱର ଚନ୍ଦ୍ରଶେଖରପୁର 'ଥାର୍' ଦୁର୍ଘଟଣାରେ ଟ୍ୱିଷ୍ଟ। ମେ ୨୯ ତାରିଖ। ସମୟ ପାଖାପାଖି ୧୨ଟା। ନୀଳାଦ୍ରି ବିହାର ଏଟିଏମ୍ ଛକ ନିକଟରେ ଏକ ବାଇକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା ଦ୍ରୁତଗାମୀ ଥାର୍ ଗାଡ଼ି । ବାଇକରେ ଥିଲେ ୩ ଜଣ ଯୁବକ । ଧକ୍କା ଏତେ ଜୋରଦାର ଥିଲା ଯେ ସମସ୍ତେ ଛିଟିକି ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ଜଣକର ହିଁ ମୃତ୍ୟୁ ହୋଇଥିଲା। ମୃତ ଯୁବକଙ୍କ ଘର ଖୋର୍ଦ୍ଧା ଜିଲ୍ଲା କାଇପଦର ଅଞ୍ଚଳର । ଅନ୍ୟ ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିଲେ। ପ୍ରଥମରୁ ଏହା ଦୁର୍ଘଟଣା ପରି ମନେ ହେଉଥିଲା। କିନ୍ତୁ ପରିବାର ଲୋକଙ୍କ ଅଭିଯୋଗ ପରେ ଚନ୍ଦ୍ରଶେଖରପୁର ପୋଲିସ ଆରମ୍ଭ କରିଥିଲା ତଦନ୍ତ।

ଆହତ ଓ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା ପରେ ଏହା ହତ୍ୟା ବୋଲି ସନ୍ଦେହ କରିଥିଲା ପୋଲିସ। କୌଣସି ବିଳମ୍ବ ନକରି ଦୁର୍ଘଟଣା ଘଟାଇଥିବା ଅଭିଯୁକ୍ତ ଯେପରି ଖସି ଯାଇନପାରିବେ, ସେଥିପାଇଁ ପୂରା ଲାଗିପଡ଼ିଥିଲା। ରାତାରାତି ସବୁ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା ପୋଲିସ। ତଦନ୍ତରୁ ଜଣାପଡ଼ିଲା, ଏହା ଦୁର୍ଘଟଣା ନୁହେଁ ବରଂ ସଂଘବଦ୍ଧ ହତ୍ୟା।

Also Read:-ପୁଅ ହତ୍ୟାରେ ସଂପୃକ୍ତ ସମସ୍ତଙ୍କୁ ମିଳୁ କଠୋରରୁ କଠୋର ଦଣ୍ଡ, ନ୍ୟାୟ ନମିଳିବା ଯାଏଁ ଆମେ ଏଠୁ ଉଠିବୁନି

ପ୍ରେମ ବ୍ୟାପାରକୁ ନେଇ ଲସି ଦୋକାନରେ ଗଣ୍ଡଗୋଳ ହୋଇଥିଲା। ବାଇକରେ ଆସିଥିବା ମୃତକ ଓ ତାଙ୍କ ସହଯୋଗୀ ଆଉ ଅଭିଯୁକ୍ତଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। କିନ୍ତୁ ଏହାର କିଛି ସମୟ ପରେ ବାଇକରେ ଫେରୁଥିବା ବେଳେ ଅଭିଯୁକ୍ତମାନେ ଥାର୍ ଗାଡିରେ ସେମାନଙ୍କ ପିଛା କରିଥିଲେ। ଶେଯରେ ବାଇକ୍ ଆରୋହୀଙ୍କୁ ଚଢ଼ାଇ ହତ୍ୟା କରିଥିଲେ।

ସେହିପରି ମୃତକଙ୍କ ଭଉଣୀ କହିଛନ୍ତି- ଭାଇର ହତ୍ୟା ପଛରେ ତାର ସାଙ୍କମାନଙ୍କ ହାତ ରହିଛି। ଏମିତିକି ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ପିଲାଦିନର ବନ୍ଧୁ। ପ୍ରଥମେ ତାଙ୍କୁ ମାରପିଟ୍ କରିଥିଲେ। ତାପରେ ଗାଡ଼ି ଚଢ଼ାଇ ହତ୍ୟା କରିଥିଲେ।

ଚନ୍ଦ୍ରଶେଖରପୁର ପୋଲିସ ହତ୍ୟା ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା ଥାର୍ ଗାଡ଼ି ଓ ବାଇକକୁ ପୋଲିସ ଜବତ କରିଛି। ଏହି ଘଟଣାରେ ସଂପୃକ୍ତ ୫ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି। ହତ୍ୟାକାଣ୍ଡରେ କେବଳ ୫ଜଣଙ୍କ ସମ୍ପୃକ୍ତି ନା ଆଉ କାହାର ରହିଛି ହାତ ? ପୋଲିସ ତଦନ୍ତ ପରେ ହିଁ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିବ।