ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୭ ପାଇଁ ଖେଳାଳିଙ୍କ ନିଲାମ ପୂର୍ବରୁ ହୋଇ ସାରିଛି ବଡ଼ ଟ୍ରେଡ ଡିଲ୍ । ପଞ୍ଜାବ କିଙ୍ଗ୍ସରେ ଏଣ୍ଟ୍ରି କରି ସାରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ଆଉ ମୁମ୍ବାଇ ଇଣ୍ଡିଆନ୍ସକୁ ଯାଇଛନ୍ତି ଅର୍ଶଦୀପ ସିଂ। ଟ୍ରେଡ ଡିଲ୍ ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନୂଆ ଠିକଣା ହୋଇଛି ପଞ୍ଜାବ କିଙ୍ଗ୍ସ। ହେଲେ ଟିମରେ ସାମିଲ୍ ହେବା ମାତ୍ରେ ଉଠିଛି ସବୁଠୁ ବଡ଼ ପ୍ରଶ୍ନ। କଣ ଶ୍ରେୟସ ଆୟରଙ୍କ ହାତରୁ ଯିବ ପଞ୍ଜାବ କିଙ୍ଗ୍ସର ଅଧିନାୟକ ପଦ। ତାଙ୍କୁ ହଟାଯାଇ କଣ ହାର୍ଦ୍ଦିକଙ୍କୁ କରାଯିବ ପଞ୍ଜାବ କିଙ୍ଗ୍ସର ଅଧିନାୟକ ? ଠିକ୍ ସେହିପରି ଯେମିତି  ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସରେ ଘଟିଥିଲା।

ହାର୍ଦ୍ଦିକଙ୍କ ପାଖରେ ଆଇପିଏଲ୍ ଟାଇଟଲ ଜିତିବାର ଅନୁଭବ ରହିଛି। ୨୦୨୨ରେ ଗୁଜରାଟ ଟାଇଟନ୍ସର ନେତୃତ୍ଵ ନେଇ ଦଳକୁ ଚାମ୍ପିଅନ କରାଇଥିଲେ ଏହି ଷ୍ଟାର ଅଲରାଉଣ୍ଡର। କିନ୍ତୁ ଶ୍ରେୟସ ଆୟରଙ୍କ ପାଖରେ ମଧ୍ୟ ଟାଇଟଲ୍ ଜିତିବାର ରହିଛି ଅଭିଜ୍ଞତା । ୨୦୨୪ରେ କୋଲକାତା ନାଇଟ୍ ରାଇଡର୍ସର ନେତୃତ୍ଵ ନେଇ ଚାମ୍ପିଅନ କରାଇଥିଲେ ଆୟର। ତେଣୁ ଶ୍ରେୟସ ଆୟରଙ୍କୁ ଅଧିନାୟକ ପଦରୁ ହଟାଇବା ମଧ୍ୟ ମୁସ୍କିଲ। ତେବେ ଚାଲନ୍ତୁ ଜାଣିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକ ହେବା ଏବଂ ନ ହେବାର କେତେ ଚାନ୍ସ ରହିଛି।

Also Read: ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବେ କି ରୋହିତ ଶର୍ମା ? ଅଜାଣତରେ ବଡ଼ ଖୁଲାସା କରି ଦେଲେ ମିଚେଲ୍ ସାଣ୍ଟନର

ନଜର ପକାଇବା ହାର୍ଦ୍ଦିକଙ୍କୁ କାହିଁକି ଅଧିନାୟକ ପଦ ଦେଇପାରେ ପଞ୍ଜାବ କିଙ୍ଗ୍ସ ଫ୍ରାଞ୍ଚାଇଜ। ଭାରତୀୟ କ୍ରିକେଟ୍ ଜଗତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ମୁମ୍ବାଇ ଇଣ୍ଡିଆନ୍ସରୁ ନିଜର ଆଇପିଏଲ୍ କ୍ୟାରିୟର ଆରମ୍ଭ କରିଥିବା ପାଣ୍ଡ୍ୟା ଖେଳିଛନ୍ତି ଅନେକ ସ୍ମରଣୀୟ ଇନିଂସ। ଦୀର୍ଘ ସମୟ ଧରି ୫ ଥରର ବିଜେତା ମୁମ୍ବାଇ ପକ୍ଷରୁ ଖେଳିବା ପରେ ୨୦୨୨ରେ ବଦଳିଥିଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଠିକଣା। ୨୦୨୨ରେ ଆଇପିଏଲ୍ ଦୁଇଟି ନୂଆ ଟିମ୍ ସାମିଲ ହେବା ପରେ ହାର୍ଦ୍ଦିକଙ୍କୁ  ଅଧିନାୟକ କରିଥିଲା ଗୁଜରାଟ ଟାଇଟନ୍ସ । ଆଉ ନିଜ ଅଧିନାୟକତ୍ଵ ସାବ୍ୟସ୍ତ କରିଥିଲେ ହାର୍ଦ୍ଦିକ । ପଦାର୍ପଣ ସଂସ୍କରଣ ୨୦୨୨ରେ ଗୁଜରାଟ ଟାଇଟନ୍ସକୁ କରାଇଥିଲେ ଚାମ୍ପିଅନ। ପୁଣି ତାଙ୍କ ନେତୃତ୍ଵରେ ୨୦୨୩ରେ ରନର୍ସଅପ୍ ହୋଥିଲା ଗୁଜରାଟ ଟାଇଟନ୍ସ। ତେଣୁ ହାର୍ଦ୍ଦିକଙ୍କ ନିକଟରେ ନେତୃତ୍ଵ ନେବାର ଅଭିଜ୍ଞତା ରହିଛି। ତେଣୁ ଏବେ ଆଇପିଏଲ୍ କରିଡରରେ ଚର୍ଚ୍ଚା ପଞ୍ଜାବ କିଙ୍ଗ୍ସର ନେତୃତ୍ଵ ପାଣ୍ଡ୍ୟାଙ୍କ ହାତକୁ ଯାଇପାରେ।

ଏବେ ଆଲୋଚନା କରିବା ହାର୍ଦ୍ଦିକଙ୍କ ପଞ୍ଜାବର ଅଧିନାୟକ ହେବାର ସମ୍ଭାବନା କ୍ଷୀଣ କାହିଁକି ? ଗୁଜରାଟ ଟାଇଟନ୍ସକୁ ଆଇପିଏଲରେ ଐତିହାସିକ ସଫଳତା ଦେବା ପରେ ପୁଣି ଥରେ ମୁମ୍ବାଇ ଇଣ୍ଡିଆନ୍ସକୁ ଘରବାହୁଡ଼ା କରିଥିଲେ ହାର୍ଦ୍ଦିକ। ଆଉ ଏହା ହିଁ ତାଙ୍କ ଆଇପିଏଲ୍ କ୍ୟାରିୟରରେ ଆରମ୍ଭ ହୋଇଥିଲା ଅଭିଶପ୍ତ ସମୟ । ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ ମଧ୍ୟ ନେଇଥିଲା ବହୁତ ବଡ଼ ଭୁଲ୍ ନିଷ୍ପତ୍ତି । ଯେଉଁ ଖେଳାଳି ୫ ଥର ଟାଇଟଲ୍ ଜିତାଇଛି ସେହି ରୋହିତ ଶର୍ମାଙ୍କୁ ହଟାଇ ହାର୍ଦ୍ଦିକଙ୍କୁ ସିଧାସଳଖ କରାଗଲା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ। ପ୍ରଶଂସକଙ୍କ ସହ ଦଳର ବାକି ଖେଳାଳି ମଧ୍ୟ ସହଜରେ ଅଧିନାୟକ ଭାବେ ହାର୍ଦ୍ଦିକଙ୍କୁ ଗ୍ରହଣ କରି ପାରି ନ ଥିଲେ। ତାଙ୍କ ନେତୃତ୍ଵରେ ବି ଗତ ୨୦୨୪, ୨୦୨୫ ଏବଂ ୨୦୨୬ ସିଜିନରେ ଦଳର ପ୍ରଦର୍ଶନ ରହିଥିଲା ଅତ୍ୟନ୍ତ ନିରାଶଜନକ।

Also Read: 'ଶତକ ନ ମାରିଲେ ମୁଁ'... : ବାପା ସେହ୍ୱାଗଙ୍କୁ କଥା ଦେଇଥିଲେ ଆର୍ଯ୍ୟବୀର, ସେଞ୍ଚୁରୀ ମାରି କହିଲେ ବଡ଼ କଥା

୨୦୨୪ ଆଇପିଏଲରେ ମୁମ୍ବାଇ ଥିଲା ପଏଣ୍ଟ ଟେବୁଲର ଶେଷ ସ୍ଥାନରେ। ୨୦୨୫ରେ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରି ଦଳ ପହଞ୍ଚି ପାରିଥିଲା ପ୍ଲେ ଅଫରେ। କିନ୍ତୁ ୨୦୨୬ରେ ପୁଣି ଦଳର ଅଧୋଗତି। ପଏଣ୍ଟ ଟେବୁଲରେ ରହିଲା ନବମ ସ୍ଥାନରେ। ତେଣୁ ସଦ୍ୟତମ ରେକର୍ଡ ଦେଖିଲେ ହାର୍ଦ୍ଦିକଙ୍କ ଅଧିନାୟକ ଭାବେ ରେକର୍ଡ ନିରାଶଜନକ ରହିଛି। ଅନ୍ୟପଟେ ଶ୍ରେୟସ ଆୟରଙ୍କ ନେତୃତ୍ଵରେ ପଞ୍ଜାବ କିଙ୍ଗ୍ସ ଆଇପିଏଲ୍ ୨୦୨୫ରେ ଖେଳିଥିଲା ଫାଇନାଲ୍ ମ୍ୟାଚ୍। ମୋଟାମୋଟି ପଞ୍ଜାବ କିଙ୍ଗ୍ସ ଆୟରଙ୍କ ନେତୃତ୍ଵରେ  କରିଛି ଭଲ ପ୍ରଦର୍ଶନ। ତଥାପି ହାର୍ଦ୍ଦିକଙ୍କୁ ପାଖରେ ଦଳର ନେତୃତ୍ଵ ନେବାର ରହିଛି ସାମର୍ଥ୍ୟ ଓ ଦକ୍ଷତା। ନିଜ ଦମରେ ମ୍ୟାଚ୍ ଜିତାଇବାରେ ସେ ମାହିର। ତେଣୁ ତାଙ୍କର ଅଧିନାୟକ କରାଯିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ଦେଖିବାକୁ ବାକି ରହିଲା କାହା ହାତରେ ରହୁଛି ପଞ୍ଜାବ କିଙ୍ଗ୍ସର ନେତୃତ୍ଵ ଡୋରି।