ଭୁବନେଶ୍ବର ୯।୯: ବାଲେଶ୍ବର ଜିଲ୍ଲା ଭୋଗରାଇରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗଓଟନକୁ ନନ୍ଦନକାନନରେ ରଖିବା ପାଇଁ ସେଣ୍ଟ୍ରାଲ୍ ଜୁ’ ଅଥରିଟିକୁ ଅନୁମତି ମାଗିଲା ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ । ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ଓରାଙ୍ଗଓଟାନଙ୍କୁ ନନ୍ଦନକାନନରେ କ୍ଵାରେଣ୍ଟାଇନରେ ରଖାଯାଇଛି । ସେମାନଙ୍କ ପାଇଁ ଇଣ୍ଡୋନେସିଆ କ୍ଲାଇମେଟ୍ ପ୍ରସ୍ତୁତ କରାଯାଇଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ।

​​​​​​​

ନନ୍ଦନକାନନରେ କେମିତି ଅଛନ୍ତି ଓରାଙ୍ଗଓଟାନ ତାହା ଜାଣିବାକୁ ପରିଦର୍ଶନ ଯିବେ ଜଙ୍ଗଲ ପରିବେଶ ମନ୍ତ୍ରୀ । ଏହା ସହ ମନ୍ତ୍ରୀ କହିଛନ୍ତ, ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ମିଳିବା ଘଟଣାର ତଦନ୍ତ କରୁଛି ଏସଟିଏଫ । WCCB ସହ ମିଶି ତଦନ୍ତ ଚଳାଇଛନ୍ତି STF ଟିମ୍ । ଭୋଗରାଇ ଜଙ୍ଗଲକୁ ଓରାଙ୍ଗଉଟାନ କେଉଁଠାରୁ ଆସିଲେ, କେଉଁ ଦେଶକୁ ଚାଲାଣ ହୋଇଥାନ୍ତେ ଓରାଙ୍ଗଉଟାନ, ଓରାଙ୍ଗଉଟାନ୍ ତସ୍କରୀରେ କିଏ ସାମିଲ, ତାହର ତଦନ୍ତ ଏସଟିଏଫ କରୁଥିବା ମନ୍ତ୍ରୀ କହିଛନ୍ତି ।

ମଙ୍ଗଳବାର ସକାଳେ ବାଲେଶ୍ବରର ବିଚିତ୍ରପୁର ଜଙ୍ଗଲରୁ ଏହି ୫ ଓରାଙ୍ଗଉଟାନ ଛୁଆଙ୍କୁ ଉଦ୍ଧାର କରାଯାଇଥିଲା । ଏଥିରେ ୩ଟି ଅଣ୍ଡିରା, ୨ଟି ମାଈ ଅଛନ୍ତି । ସମସ୍ତଙ୍କ ବୟସ ୧ ବର୍ଷରୁ କମ୍ । ଇଣ୍ଡୋନେସିଆ, ମାଲେସିଆ ଭଳି ଚିରହରିତ ଜଙ୍ଗଲରେ ଦେଖାଯାଉଥିବା ଏହି ବିରଳ ବନ୍ୟଜନ୍ତୁ କେଉଁଠୁ କେଉଁ ରୁଟ୍ ଦେଇ ଓଡ଼ିଶା ଆସିଲେ ତାହା ସଭିଙ୍କୁ ତାଜୁବ କରିଛି ।

​​​​​​​

Also Read:- ନନ୍ଦନକାନନରେ ବିରଳ ଓରାଙ୍ଗଉଟାନ, ଓଡ଼ିଶାକୁ ଆସିଲେ କେମିତି ?

ତେବେ ଏହି ଘଟଣାକୁ ନେଇ ସନ୍ଦେହ କରାଯାଉଛି କି, ଏହା ପଛରେ ଏକ ବିରାଟ ଅନ୍ତର୍ଜାତୀୟ ବନ୍ୟଜନ୍ତୁ ତସ୍କରି ରାକେଟ୍ ସକ୍ରିୟ ଅଛି । ସମୁଦ୍ରପଥ ଦେଇ ପଶ୍ଚିମବଙ୍ଗର ଏକ ବନ୍ଦରରୁ ଏଠାକୁ ଚୋରାରେ ଚାଲାଣ କରାଯାଇଥାଇପାରେ । ଧରାପଡ଼ିବା ଭୟରେ ବନ୍ୟଜନ୍ତୁ ତସ୍କରମାନେ ଏମାନଙ୍କୁ ଝାଉଁ ଜଙ୍ଗଲରେ ଛାଡ଼ି ପଳାଇଛନ୍ତି । ଘଟଣାସ୍ଥଳରୁ କିଛି ହାତ ଗ୍ଲୋବ୍ସ ମିଳିଛି । ଯାହାକୁ ନେଇ ବନ୍ୟଜନ୍ତୁ ତସ୍କରିର ଗନ୍ଧ ବାରି ହେଉଛି । ବନ ଅଧିକାରୀମାନେ ଏହାର ଲିଙ୍କ୍ ଖୋଜୁଛନ୍ତି । ଯଦି କିଛି ପ୍ରମାଣ ମିଳେ, ତେବେ ୱାଇଲ୍ଡଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ ଦ୍ୱାରା ଅନ୍ତର୍ଜାତୀୟ ରାକେଟ୍‌ର ତଦନ୍ତ କରାଯିବ ।

Watch Video: