ଭୁବନେଶ୍ୱର ୦୯।୦୯ : ବାଲେଶ୍ବରରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନ ଏବେ ନନ୍ଦନକାନନରେ ଅଛନ୍ତି। ଏହି ଓରାଙ୍ଗଉଟାନଗୁଡ଼ିକୁ ଭେଟେରିନାରି ବିଭାଗର କ୍ବାରାଣ୍ଟାଇନ ସେଣ୍ଟରରେ ରଖା ଯାଇଛି। ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି ।

ଖବର ଅନୁଯାୟୀ, ବୁଧବାର ସକାଳେ ବାଲେଶ୍ବରର ବିଚିତ୍ରପୁର ଜଙ୍ଗଲରୁ ଏହି ୫ ଓରାଙ୍ଗଉଟାନ ଛୁଆଙ୍କୁ ଉଦ୍ଧାର କରାଯାଇଛି । ଏଥିରେ ୩ଟି ଅଣ୍ଡିରା, ୨ଟି ମାଈ ଅଛନ୍ତି। ସମସ୍ତଙ୍କ ବୟସ ୧ ବର୍ଷରୁ କମ୍। ଇଣ୍ଡୋନେସିଆ, ମାଲେସିଆ ଭଳି ଚିରହରିତ ଜଙ୍ଗଲରେ ଦେଖାଯାଉଥିବା ଏହି ବିରଳ ବନ୍ୟଜନ୍ତୁ କେଉଁଠୁ କେଉଁ ରୁଟ୍ ଦେଇ ଓଡ଼ିଶା ଆସିଲେ ତାହା ସଭିଙ୍କୁ ତାଜୁବ କରିଛି।

Also Read:-ଏଇଠୁ ଓଡ଼ିଶାକୁ ଆସିଛନ୍ତି ଓରାଙ୍ଗଉଟାନ ! ବନ ବିଭାଗର ଅନୁମାନରୁ ବାହାରିବ ସତ

ତେବେ ଏହି ଘଟଣାକୁ ନେଇ ସନ୍ଦେହ କରାଯାଉଛି କି, ଏହା ପଛରେ ଏକ ବିରାଟ ଅନ୍ତର୍ଜାତୀୟ ବନ୍ୟଜନ୍ତୁ ତସ୍କରି ରାକେଟ୍ ସକ୍ରିୟ ଅଛି। ସମୁଦ୍ରପଥ ଦେଇ ପଶ୍ଚିମବଙ୍ଗର ଏକ ବନ୍ଦରରୁ ଏଠାକୁ ଚୋରାରେ ଚାଲାଣ କରାଯାଇଥାଇପାରେ। ଧରାପଡ଼ିବା ଭୟରେ ବନ୍ୟଜନ୍ତୁ ତସ୍କରମାନେ ଏମାନଙ୍କୁ ଝାଉଁ ଜଙ୍ଗଲରେ ଛାଡ଼ି ପଳାଇଛନ୍ତି। ଘଟଣାସ୍ଥଳରୁ କିଛି ହାତ ଗ୍ଲୋବ୍ସ ମିଳିଛି। ଯାହାକୁ ନେଇ ବନ୍ୟଜନ୍ତୁ ତସ୍କରିର ଗନ୍ଧ ବାରି ହେଉଛି। ବନ ଅଧିକାରୀମାନେ ଏହାର ଲିଙ୍କ୍ ଖୋଜୁଛନ୍ତି। ଯଦି କିଛି ପ୍ରମାଣ ମିଳେ, ତେବେ ୱାଇଲ୍ଡଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ ଦ୍ୱାରା ଅନ୍ତର୍ଜାତୀୟ ରାକେଟ୍ ର ତଦନ୍ତ କରାଯିବ।