ଝାରସୁଗୁଡ଼ା: ବେଆଇନ ନଦୀ ଜଳ ବ୍ୟବହାର ନେଇ ବେଦାନ୍ତ ଆଲୁମିନିୟମକୁ ମୋଟା ଅଙ୍କର ଫାଇନ କରାଯାଇଛି। ବୁର୍ଲା ସ୍ଥିତ ଜଳସେଚନ ବିଭାଗ ପକ୍ଷରୁ ବେଆଇନ ଭାବେ ପାଣି ଉଠାଇବାକୁ ନେଇ କମ୍ପାନୀକୁ ୨୩୩ କୋଟି ୧୧ ଲକ୍ଷ ଟଙ୍କାର ଫାଇନ କରାଯାଇଛି।

ଗ୍ରୀଷ୍ମ ଋତୁରେ କୌଣସି ନଦୀରୁ ଶିଳ୍ପାନୁଷ୍ଠାନଗୁଡ଼ିକୁ ଜଳ ନ ଉଠାଇବାକୁ ସ୍ପଷ୍ଟ ନିର୍ଦ୍ଦେଶ ଥିବା ସତ୍ତ୍ୱେ ବେଦାନ୍ତ ଆଲୁମିନିୟମ ଏହି ନିମୟର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। କମ୍ପାନୀ ଭେଡେନ ନଦୀରେ ବେଆଇନ ଭାବେ ପାଇପ ବିଛାଇ ପାଣି ଉଠାଉଥିବା ବା ସ୍ଥାନୀୟ ଗ୍ରାମବାସୀମାନେ ଅଭିଯୋଗ କରିଥିଲେ।

ଏହି ଘଟଣାକୁ ନେଇ ଆଞ୍ଚଳିକ ପରିବେଶ ସୁରକ୍ଷା ସଂଘ ପକ୍ଷରୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ ନେତୃତ୍ୱରେ ଏକ ଟିମ ଘଟଣାସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରିଥିଲେ। ତଦନ୍ତ ପରେ ବାସ୍ତଵିକ ସ୍ଥିତି ପରଖି ପାଣି ଚୋରି ହେଉଥିବା ଜାଣିବାକୁ ପାଇଥିଲା ଟିମ୍।

Also Read-  ଶ୍ରମ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା ଶ୍ରମିକଙ୍କ ମଜୁରୀ


​ଏହାପରେ ବିଭାଗ ପକ୍ଷରୁ ଏ ସଂପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି କମ୍ପାନୀକୁ ୨୩୩ କୋଟି ୧୧ଲକ୍ଷ ଟଙ୍କା ଜୋରିମାନା କରାଯାଇଛି। ଏହି ଫାଇନ ସହିତ ମାସକ ଭିତରେ ସମସ୍ତ ଦେୟ ଦେବାକୁ ଜଳସେଚନ ବିଭାଗ ନୋଟିସ ଜାରୀ କରିଛି। 

ବୁର୍ଲା ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ପ୍ରସ୍ତୁତ ଜଳ ଭଡା ଗଣନା ସିଟ୍ ଅନୁଯାୟୀ, କମ୍ପାନୀ ୧ ମଇ, ୨୦୨୫ ରୁ ୨୯ ଏପ୍ରିଲ, ୨୦୨୬ ପର୍ଯ୍ୟନ୍ତ ପ୍ରତିଦିନ ୧,୦୩,୬୮୦ ଘନ ମିଟର ହାରରେ ନଦୀ ଜଳ ଉଠାଇଥିବା ଅଭିଯୋଗ ହୋଇଛି। ମୂଲ୍ୟାୟନରେ ମୂଳ ଜଳ ଶୁଳ୍କ, ବିଳମ୍ବରେ ପୈଠ ପାଇଁ ୬ ଥର ଜରିମାନା ଏବଂ ୨% ମାସିକ ସୁଧ ଯୋଡ଼ାଯାଇ କମ୍ପାନୀକୁ ମୋଟା ଅଙ୍କର ଫାଇନ ଦେବାକୁ ନୋଟିସ୍ କରାଯାଇଛି।

ଅଧିକାରୀମାନେ କହିଛନ୍ତି ଯେ କମ୍ପାନୀ ପାଣି ଉଠାଇବା ସମୟ ମଧ୍ୟରେ କୌଣସି ପ୍ରକାର ଦେୟ ପୈଠ କରିଥିବା ରେକର୍ଡ କରାଯାଇ ନାହିଁ। ଫଳରେ କମ୍ପାନୀ ଉପରେ ମାସ ପରେ ମାସ ବକେୟା ରାଶି ଜମା ହେଉଥିଲା। ମେ ୨୦୨୫ରେ ପ୍ରାୟ ୨.୭୪ କୋଟି ଟଙ୍କାରୁ ଆରମ୍ଭ ହୋଇଥିବା ବକେୟା ରାଶି ଜୋରିମାନା ଏବଂ ସୁଧ ଯୋଗୁ ତୀବ୍ର ଭାବରେ ବୃଦ୍ଧି ପାଇଲା, ଶେଷରେ ଏପ୍ରିଲ ୨୯ ସୁଦ୍ଧା ଏହା ୨୩୩,୧୧,୨୪,୯୨୬ ଟଙ୍କାରେ ପହଞ୍ଚିଛି।

ଜଳ ସେଚନ ବିଭାଗ ବେଦାନ୍ତକୁ ଲେଖିବା ଚିଠିରେ କୁହାଯାଇଛି “ଅନଧିକୃତ ଭାବରେ ଜଳ ଉଠାଣ ପାଇଁ ପେନାଲ୍ଟି ଲାଗୁ କରାଯାଇଛି, ଏବଂ ଏହା ମାସକ ମଧ୍ୟରେ ପାଳନ କରାଯିବା ଆବଶ୍ୟକ ବୋଲି ଦାବି କରାଯାଇଛି। ଉପରୋକ୍ତ ନିର୍ଦ୍ଦେଶାବଳୀ ପାଳନ ନ କଲେ ଓଡ଼ିଶା ଜଳସେଚନ ଆଇନ ଏବଂ ନିୟମ ୧୯୫୯ ଏବଂ ୧୯୬୧ ଅନୁଯାୟୀ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।” ଜଳସେଚନ ବିଭାଗର ସୂତ୍ର ଅନୁଯାୟୀ କମ୍ପାନୀ ବିନା ଅନୁମତିରେ ଭେଡେନ ନଦୀର ଏକ ଶାଖା ନଦୀ ଖେରୱାଲ ନାଳରୁ ଜଳ ଉତ୍ତୋଳନ କରୁଥିଲା। ଏହି ଅଭିଯୋଗ ପରେ ମାମଲା ସମ୍ନାକୁ ଆସିଥିଲା।

Also Read- ଆସନ୍ତା ୨୪ ଘଣ୍ଟା ପାଇଁ ୮ ଜିଲ୍ଲାକୁ ବଜ୍ରପାତ ସତର୍କତା, ବଜ୍ରପାତ ନେଇ ୮ ଜିଲ୍ଲାକୁ ପାଣିପାଗ ବିଭାଗର ଅରେଞ୍ଜ ଓ୍ବାର୍ଣ୍ଣିଂ