ମୁମ୍ବାଇ : 'ଜଲସା'କୁ ପୁଣି ବୋମା ଧମକ । ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ମୁମ୍ବାଇସ୍ଥିତ ଘର 'ଜଲସା'କୁ ପୁଣି ଥରେ ଆସିଛି ଧମକ । ଗତ ସପ୍ତାହରେ ଏହା ତୃତୀୟ ଥର ପାଇଁ ଏକ ଧମକପୂର୍ଣ୍ଣ ଇମେଲ୍ ଆସିଛି ଯେଉଁଥିରେ ବିଗ୍ ବିଙ୍କ ଘର ସମେତ ମୁମ୍ବାଇର ଅନେକ ପ୍ରମୁଖ ସ୍ଥାନକୁ ବୋମାରେ ଉଡାଇବା ପାଇଁ ଟାର୍ଗେଟ କରାଯାଇଛି। ଏହି ଖବର ମିଳବା ମାତ୍ରେ ପୋଲିସ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ଆଲର୍ଟ ରହିବ ସହ ବୋମା ନିଷ୍କ୍ରିୟକାରୀ ଦଳ ଏବଂ ସୁରକ୍ଷା ଦଳ ସମ୍ପୃକ୍ତ ସ୍ଥାନଗୁଡ଼ିକୁ ତନ୍ନତନ୍ନ ଯାଞ୍ଚ କରୁଛନ୍ତି । ତଥାପି କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନାହିଁ। ରିପୋର୍ଟ ଅନୁସାରେ, ଇମେଲରେ ଅମିତାଭ ବଚ୍ଚନଙ୍କ ଜୁହୁ ବଙ୍ଗଳା, ଜଲସା, ମୁମ୍ବାଇ ମେୟରଙ୍କ କାର୍ଯ୍ୟାଳୟ, ବ୍ୟାଙ୍କ, କୋର୍ଟ,ଏବଂ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରର ନାମ ଉଲ୍ଲେଖ ଥିଲା ।

ଧମକ ପରେ, ମୁମ୍ବାଇ ପୋଲିସ ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକ ସ୍ଥାନଗୁଡ଼ିକରେ ନଜର ବଢ଼ାଇ ଦେଇଛନ୍ତି। ବମ୍ ସ୍କ୍ବାଡ୍ ବିଭିନ୍ନ ସ୍ଥାନରେ ତଲାସି ଚଳାଇଛନ୍ତି। ତଦନ୍ତ ସମୟରେ କୌଣସି ବିସ୍ଫୋରକ କିମ୍ବା ସନ୍ଦେହଜନକ ଜିନିଷ ଉଦ୍ଧାର କରାଯାଇ ନାହିଁ | ପୋଲିସ ବର୍ତ୍ତମାନ ଧମକପୂର୍ଣ୍ଣ ଇମେଲଟି ତଦନ୍ତ କରୁଛି। ଅଧିକାରୀମାନେ ଏହାକୁ କିଏ ପଠାଇଛି ଏବଂ ଧମକର ବିଶ୍ୱସନୀୟତା ନିର୍ଣ୍ଣୟ କରିବାକୁ ଚେଷ୍ଟା କରୁଛନ୍ତି। ସୂଚନା ଥାଉ କି , ଅମିତାଭଙ୍କ ବଙ୍ଗଳାକୁ ଧମକ ପଠାଯିବାର ଏହା ପ୍ରଥମ ଘଟଣା ନୁହେଁ। ଅକ୍ଟୋବର ୨୩ ତାରିଖରେ ଏକ ଧମକପୂର୍ଣ୍ଣ ଇମେଲ୍ ମଧ୍ୟ ଆସିଥିଲା। ସେହି ମେସେଜ୍ ମୁମ୍ବାଇ ମେୟର ଋତୁ ତାୱଡେ ଏବଂ ଡେପୁଟି ମେୟର ସଞ୍ଜୟ ଘାଡିଙ୍କ ନିକଟକୁ ମଧ୍ୟ ଆସିଥିଲା। ଇମେଲ୍ରେ ଅକ୍ଟୋବର ୩୧ ତାରିଖରେ ଏକ ସ୍କୁଲ୍ରେ ଗ୍ରେନେଡ୍ ଆକ୍ରମଣ ହେବାର ଚେତାବନୀ ଦିଆଯାଇଥିଲା। ଏଥିରେ ଏହା ମଧ୍ୟ ଦାବି କରାଯାଇଥିଲା ଯେ ଅମିତାଭ ବଚ୍ଚନଙ୍କ ଘର, ଜଳସାକୁ ଅକ୍ଟୋବର ୩୧ ରୁ ନଭେମ୍ବର ୨୭ ମଧ୍ୟରେ ଟାର୍ଗେଟ କରାଯାଇପାରେ। ତେବେ ଏହା ବାଦ ପୁଣି ଠାରେ ନଭେମ୍ବର ୬ ତାରିଖରେ ମଧ୍ୟ ଅମିତାଭଙ୍କ ଘରକୁ ବୋମା ଧମକ ମିଳିଥିଲା ।

ଏହି ବାର୍ତ୍ତାରେ ଖଲିସ୍ତାନ ବିଷୟରେ ଉଲ୍ଲେଖ ଥିଲା। ଦାବି କରାଯାଇଥିଲା ଯେ ନଭେମ୍ବର ୨୭ ତାରିଖରେ ମହାଲକ୍ଷ୍ମୀ ରେସକୋର୍ସ ଅଞ୍ଚଳରେ ହେବାକୁ ଥିବା ଗାୟକ ଦିଲଜିତ ଦୋସାଞ୍ଜଙ୍କ କନସର୍ଟ ଉପରେ ଆକ୍ରମଣ ହୋଇପାରେ। ଏହି ଧମକ ପରେ, ପୋଲିସ ତଦନ୍ତ ଆରମ୍ଭ କରିଥିଲା ଏବଂ ଅମିତାଭ ବଚ୍ଚନଙ୍କ ଘର ଚାରିପାଖରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିଥିଲା। ଅମିତାଭ ବଚ୍ଚନ ବୁଲେଟପ୍ରୁଫ୍ କାଚ ପଛରେ ତାଙ୍କ ପ୍ରଶଂସକମାନଙ୍କୁ ଭେଟିଥିଲେ। ନିରନ୍ତର ଧମକ ସତ୍ତ୍ୱେ, ଅମିତାଭ ବଚ୍ଚନ ତାଙ୍କ ପ୍ରଶଂସକମାନଙ୍କୁ ଭେଟିବାର ପରମ୍ପରା କିନ୍ତୁ ଜାରି ରଖିଥିଲେ। ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏବେ ମିଳିଥିବା ବୋମା ଧମକ ଓ ପୂର୍ବରୁ ବଲିଉଡ୍ରେ ସକ୍ରିୟ ଥିବା ଅଣ୍ଡରୱାର୍ଲ୍ଡ ଡନ ମଧ୍ୟରେ କୌଣସି ସମ୍ପର୍କ ଥିବା ପୋଲିସ ଏଯାଏଁ ସ୍ପଷ୍ଟ କରିନାହିଁ । ଧମକପୂର୍ଣ୍ଣ ଇ-ମେଲ୍ କିଏ ପଠାଇଛି, ଏହା ପଛରେ ମାଷ୍ଟରମାଇଣ୍ଡ କିଏ ସେନେଇ ତଦନ୍ତ ଚାଲିଛି ।