ମୁମ୍ୱାଇ ୧୩।୧୧ : ଶାହରୁଖ ଖାନ ଯେମିତି ଲୋକପ୍ରିୟ ଓ ପ୍ରସିଦ୍ଧ । ତାଙ୍କ ଘର 'ମନ୍ନତ' ମଧ୍ୟ ସେମିତି ଖୁବ୍ ଚର୍ଚ୍ଚିତ । ସମସ୍ତଙ୍କ ପାଖରେ ପରିଚିତ ଶାହାରୁଖଙ୍କ ବଙ୍ଗଳା ମନ୍ନତ । ପ୍ରଶଂସକମାନେ ତାଙ୍କ ଘର ମନ୍ନତ ବାହାରକୁ ଫଟୋ କ୍ଲିକ୍ କରିବାକୁ ଯାଆନ୍ତି । ଶାହରୁଖଙ୍କ ପତ୍ନୀ ଗୌରୀ ଖାନ ଜଣେ ଇଣ୍ଟେରିଅର୍ ଡିଜାଇନର୍। ଗୌରୀ ନିଜେ 'ମନ୍ନତ'କୁ ଡିଜାଇନ୍ କରିଛନ୍ତି । ହେଲେ ସେହି ଘରେ କିନ୍ତୁ ଶାହରୁଖଙ୍କ ନିଷ୍ପତ୍ତି କାମ କରେନି । ତାଙ୍କ ଘର ମନ୍ନତରେ ତାଙ୍କୁ କେଉଁ ସବୁ କାମ କରିବାର ଅନୁମତି ନାହିଁ , ଶାହରୁଖ ଏହାର କାରଣ ମଧ୍ୟ କହିଛନ୍ତି।

ଶାହରୁଖ୍ କହିଛନ୍ତି, ମୋ ଘରେ, ମୋତେ କିଛି କରିବାର ଅନୁମତି ନାହିଁ । ଆମ ଘର ଭିତରେ, ଗୌରୀଙ୍କ ଘର ବିଷୟରେ କିଛି କୁହାଯାଇ ପାରିବ ନାହିଁ । ଆମେ ନା ୱାଇ-ଫାଇ ବିଷୟରେ କିଛି କହି ପାରିବା, ନା ବିଛଣାରେ ଖାଦ୍ୟ ଖାଇ ପାରିବା, ନା ରଙ୍ଗ ବିଷୟରେ କିଛି କହି ପାରିବା, ନା ପେଣ୍ଟିଂ, ସିଡ଼ି, ଛାତ କିମ୍ବା ଲାଇଟ୍ ବିଷୟରେ କିଛି କହି ପାରିବା । ଆମେ ଏସବୁ ମଧ୍ୟରୁ କୌଣସି ଜିନିଷ ବିଷୟରେ କିଛି କହି ପାରିବା ନାହିଁ ।

ନିକଟରେ ଦୁବାଇର ଏକ ଇଭେଣ୍ଟରେ କରଣ ଜୋହରଙ୍କ ପ୍ରଶ୍ନରେ ଶାହରୁଖ କହିଥିଲେ - ତାଙ୍କ ଘରେ ତାଙ୍କୁ କେଉଁ ଜିନିଷ କରିବାକୁ ଅନୁମତି ନାହିଁ ? ବହୁତ କମ୍ ଜିନିଷ ଅଛି ଯାହାକୁ ନେଇ ସେ ଘରେ ନିଷ୍ପତ୍ତି ନିଅନ୍ତି । ତାଙ୍କ ମତରେ ଘରର ବସ୍ ହେଉଛନ୍ତି ଗୌରୀ ଖାନ୍ ଏବଂ ସେ ନା ଖାଦ୍ୟ, ନା ଆର୍ଟ, ନା ଲିଫ୍ଟ, ନା ଲାଇଟ୍, ନା ଆସବାବପତ୍ର କିମ୍ବା ୱାଇ-ଫାଇକୁ ନେଇ କିଛି ବି କହି ପାରିବେ ନାହିଁ । ଶାହରୁଖ ପୁଣି ନିଜର ଭବିଷ୍ୟତ ଯୋଜନାକୁ ନେଇ ମଜାଳିଆ ଭାବେ କହିଛନ୍ତି, ଆମେ ଶାନ୍ତିରେ ବସି ଘରକୁ ଉପଭୋଗ କରୁଛୁ । ଗୌରୀ କେମିତିକା ଘର ତିଆରି କରିଛନ୍ତି ସତରେ । ବର୍ତ୍ତମାନ ମୋର ସମସ୍ୟା ଏହା ଯେ ପେଣ୍ଟହାଉସକୁ ଯାଇ ମଧ୍ୟ ଏହାହିଁ କହିବାକୁ ପଡ଼ିବ, ଗୌରୀ କେମିତିକା ବଢିଆ ଏକ ପେଣ୍ଟହାଉସ୍ ତିଆରି କରିଛନ୍ତି।

ତେବେ ଏସବୁ ମଜା ମଧ୍ୟରେ ଶାହରୁଖ ଏହା ମଧ୍ୟ କହିଛନ୍ତି ଯେ ଏହି ଘରଟି ତାଙ୍କ ପାଇଁ କେତେ ମୂଲ୍ୟବାନ। ଶାହରୁଖ କହିଛନ୍ତି ଯେ, ଅଳ୍ପ ବୟସରେ ହିଁ ସେ ନିଜ ପିତାମାତାଙ୍କୁ ହରାଇ ଥିଲେ ଏବଂ ଯେପର୍ଯ୍ୟନ୍ତ ସେ ଗୌରୀଙ୍କୁ ବିବାହ କରି ନଥିଲେ, ସେପର୍ଯ୍ୟନ୍ତ ତାଙ୍କର ନିଜର କୌଣସି ଘର ନଥିଲା । ଏହାପରେ ଏକ ଘର କିଣିବା ଥିଲା ତାଙ୍କର ସବୁଠାରୁ ବଡ଼ ସ୍ୱପ୍ନ । ସେ କହିଛନ୍ତି ଯେ ସେ ନିଜର ଫିଲ୍ମକୁ ବହୁତ ଭଲ ପାଆନ୍ତି, ପରିବାରକୁ, କାମକୁ, କିନ୍ତୁ ଏହି ଘରଟିର ତାଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି।

ଶାହରୁଖଙ୍କୁ ୨୦୨୩ରେ ରିଲିଜ ହୋଇଥିବା ତାଙ୍କର ଫିଲ୍ମ 'ଡଙ୍କି'ରେ ଶେଷଥର ପାଇଁ ଦେଖିବାକୁ ମିଳି ଥିଲା। ଏହାପରେ ଶାହରୁଖଙ୍କର କୌଣସି ଫିଲ୍ମ ରିଲିଜ ହୋଇ ନାହିଁ । ବର୍ତ୍ତମାନ ସେ ଆଗାମୀ ଫିଲ୍ମ 'କିଙ୍ଗ୍'ରେ ନଜର ଆସିବେ । ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଶାହରୁଖଙ୍କ ସହ ଦୀପିକା ପାଦୁକୋନ୍, ସୁହାନା ଖାନ୍, ଅଭିଷେକ ବଚ୍ଚନ, ରାଘବ ଜୁୟାଲ ଏବଂ ଆହୁରି ଅନେକ ଅଭିନେତା ଅଛନ୍ତି।