ଭୋପାଳ: ବଲିଉଡ୍ ଅଭିନେତ୍ରୀ ଏବଂ ଭୋପାଳର ନୱାବ ପରିବାରର ବୋହୂ କରୀନା କପୁର ଖାନ ଦୀପାବଳିରେ ନିଜର କିଛି ଫଟୋ ସେୟାର କରିଥିଲେ । ତାଙ୍କ ଦୀପାବଳି ଲୁକକୁ ନେଇ ଏବେ ବିବାଦ ଦେଖାଦେଇଛି । ସୋସିଆଲ ମିଡିଆରେ ସେୟାର କରିଥିବା ଫଟୋରେ କରୀନା ପିନ୍ଧିଥିବା ଏକ ପୁରୁଣା ପେଣ୍ଡାଣ୍ଟକୁ ନେଇ ଆପତ୍ତି ଉଠାଇଛନ୍ତି ମଧ୍ୟପ୍ରଦେଶର ଜଣେ ସାମାଜିକ କର୍ମୀ । ଏହି ପେଣ୍ଡାଣ୍ଟରେ କୁରାନର ଆୟତ ଲେଖାଥିବାରୁ ଏହାକୁ ଫ୍ୟାଶନ୍ ଆକ୍ସେସୋରି ଭାବେ ପ୍ରଦର୍ଶନ କରିବା ସମୁଲମାନଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଏହି ଘଟଣାରେ ମଧ୍ୟପ୍ରଦେଶ କଂଗ୍ରେସର ମୁଖ୍ୟ ମୁଖପାତ୍ର ତଥା ସାମାଜିକ କର୍ମୀ ଅବ୍ବାସ ହଫିଜ୍ କରୀନା କପୁରଙ୍କୁ ଆଇନଗତ ନୋଟିସ୍ ପଠାଇଛନ୍ତି । କରୀନା କପୁର ଦୀପାବଳି ଅବସରରେ ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଥିଲେ । ଏହି ଫଟୋରେ ସେ ନୱାବ ପରିବାରର ପ୍ରାୟ ୨୦୦ ବର୍ଷ ପୁରୁଣା ଏକ ପାରମ୍ପରିକ ପେଣ୍ଡାଣ୍ଟ ପିନ୍ଧିଥିବା ନଜର ଆସିଥିଲେ । ଅବ୍ବାସ ହଫିଜଙ୍କ କହିବା ଅନୁସାରେ, ଏହି ପେଣ୍ଡାଣ୍ଟ ଭୋପାଳର ରାଜପରିବାରର ବେଗମମାନଙ୍କ ଐତିହ୍ୟ ସହ ଜଡ଼ିତ । ଏଥିରେ କୁରାନର ଏକ ଆୟତ ଖୋଦିତ ହୋଇଛି । ସେ କହିଛନ୍ତି, କରୀନା କ'ଣ ପିନ୍ଧିବେ, କେମିତି ରହିବେ, ତାହା ତାଙ୍କର ବ୍ୟକ୍ତିଗତ ଅଧିକାର । କିନ୍ତୁ କୁରାନର ଆୟତ ଲେଖାଥିବା ଏହି ପେଣ୍ଡାଣ୍ଟର ଧାର୍ମିକ ମହତ୍ତ୍ୱ ରହିଛି । ଏହାକୁ କେବଳ ଫ୍ୟାଶନର ଏକ ସାମଗ୍ରୀ ଭାବେ ପ୍ରଦର୍ଶନ କରିବା ଉଚିତ୍ ନୁହେଁ ।

Also Read: ବଲିଉଡର ବଡ ପରଦାରେ ଆସାମର ବେତ କାରିଗରୀର ଚମତ୍କାରିତା, କାରିଗରଙ୍କୁ ଛୁଟୁଛି ପ୍ରଶଂସାର ସୁଅ

ଅବ୍ବାସ ହଫିଜ୍ ଆହୁରି କହିଛନ୍ତି ଯେ, ଭୋପାଳର ବେଗମମାନେ ଏହି ପେଣ୍ଡାଣ୍ଟକୁ ଫ୍ୟାଶନ୍ ପାଇଁ ନୁହେଁ, ବରଂ ଧାର୍ମିକ ଆସ୍ଥାର ପ୍ରତୀକ ଭାବେ ବ୍ୟବହାର କରୁଥିଲେ । ସେମାନେ ଏହାକୁ ପରଦା ଭିତରେ ପିନ୍ଧୁଥିଲେ ଏବଂ ଘର କିମ୍ବା ମହଲରେ ରଖୁଥିଲେ । କିନ୍ତୁ କରୀନା ଏହାକୁ ଫ୍ୟାଶନ୍ ଷ୍ଟେଟମେଣ୍ଟ ଭାବେ ପିନ୍ଧି ଫଟୋ ସେୟାର କରିବା ଠିକ୍ ନୁହେଁ ବୋଲି ସେ ମତ ଦେଇଛନ୍ତି । ଏହି କାରଣରୁ କରୀନାଙ୍କୁ ନୋଟିସ୍ ପଠାଇ ସୋସିଆଲ ମିଡିଆରୁ ସମସ୍ତ ସମ୍ପୃକ୍ତ ଫଟୋ ହଟାଇବା ସହ ମୁସଲମାନ ସମ୍ପ୍ରଦାୟକୁ କ୍ଷମା ମାଗିବାକୁ ଦାବି କରିଛନ୍ତି । ଯଦି ଫଟୋ ହଟାଯାଏ ନାହିଁ, ତେବେ ତାଙ୍କ ଓକିଲ ଏହି ମାମଲାକୁ ଆଇନଗତ ଭାବେ ଆଗକୁ ନେବେ ବୋଲି ହଫିଜ୍ କହିଛନ୍ତି ।

ଅବ୍ବାସ ହଫିଜ୍ ସ୍ପଷ୍ଟ କରିଛନ୍ତି ଯେ, ଏହି ମାମଲାରେ କଂଗ୍ରେସ ଦଳର କୌଣସି ଆଭିମୁଖ୍ୟ ନାହିଁ । ଏହା ତାଙ୍କର ବ୍ୟକ୍ତିଗତ ମାମଲା । ଏହାକୁ ଦଳର ବିଚାରଧାରା କିମ୍ବା ରାଜନୈତିକ ଆଭିମୁଖ୍ୟ ସହ ଯୋଡ଼ା ନଯାଉ ବୋଲି ସେ କହିଛନ୍ତି । ଅନ୍ୟପଟେ, ଏହି ବିବାଦ ଉପରେ କରୀନା କପୁର କିମ୍ବା ତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।