ମୁମ୍ଵାଇ ୧୩। ୧୧: ବକ୍ସ ଅଫିସରେ ଇତିହାସ ରଚିଛି ‘ରାମାୟଣ ପାର୍ଟ ୧’। ମୁକ୍ତି ପାଇବାର ମାତ୍ର ୮ ଦିନ ମଧ୍ୟରେ ଫିଲ୍ମଟି ବିଶ୍ୱବ୍ୟାପୀ ୧୦୦୦ କୋଟି ଟଙ୍କାରୁ ଅଧିକ ଆୟ କରିଛି। ଏହି ସଫଳତା ସହ ‘ରାମାୟଣ’ ୧୦୦୦ କୋଟି କ୍ଲବ୍ରେ ପ୍ରବେଶ କରିଥିବା ୧୧ତମ ଭାରତୀୟ ଫିଲ୍ମ ହୋଇଛି । ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଏହି ମେଗା ବଜେଟ୍ ଫିଲ୍ମରେ ରଣବୀର କପୁର ଭଗବାନ ରାମଙ୍କ ଭୂମିକାରେ, ସାଇ ପଲ୍ଲବୀ ସୀତାଙ୍କ ଭୂମିକାରେ ଏବଂ ୟଶ୍ ରାବଣଙ୍କ ଭୂମିକାରେ ନଜର ଆସିଛନ୍ତି।

ନଭେମ୍ବର ୫ରେ ପ୍ରେକ୍ଷାଳୟକୁ ଆସିଥିବା ‘ରାମାୟଣ’ ପ୍ରଥମ ୭ ଦିନରେ ପ୍ରାୟ ୯୪୫ କୋଟି ଟଙ୍କା ଆୟ କରିଥିଲା। ଅଷ୍ଟମ ଦିନରେ ଫିଲ୍ମକୁ ୧୦୦୦ କୋଟି ମାର୍କ ପହଞ୍ଚିବା ପାଇଁ ଆହୁରି ପ୍ରାୟ ୫୫ କୋଟି ଟଙ୍କା ଦରକାର ଥିଲା । କିନ୍ତୁ ଦର୍ଶକଙ୍କ ଭାରି ସମର୍ଥନରୁ ଅଷ୍ଟମ ଦିନରେ ଫିଲ୍ମର ବିଶ୍ୱବ୍ୟାପୀ ଆୟ ୮୫ କୋଟି ଟଙ୍କାରୁ ଅଧିକ ହୋଇଥିବା କୁହାଯାଇଛି । ରିପୋର୍ଟ ଅନୁସାରେ ଅଷ୍ଟମ ଦିନରେ ‘ରାମାୟଣ’ ୨୪ ହଜାରରୁ ଅଧିକ ଶୋରୁ ଭାରତରେ ୫୩.୫୦ କୋଟି ଟଙ୍କା ନେଟ୍ କଲେକ୍ସନ କରିଛି। କେବଳ ହିନ୍ଦୀ ଭାଷାରୁ ୪୩ କୋଟି ଟଙ୍କା ଆୟ ହୋଇଥିବାବେଳେ କନ୍ନଡରୁ ୩.୨୫ କୋଟି, ମଲୟାଳମରୁ ୨.୮୦ କୋଟି, ତେଲୁଗୁ ରୁ ୨.୩୦ କୋଟି ଓ ଅନ୍ୟାନ୍ୟ ଭାଷାରୁ ମଧ୍ୟ ଭଲ ଆୟ ହୋଇଛି ।

ଭାରତରେ ଫିଲ୍ମର ମୋଟ ଗ୍ରସ୍ କଲେକ୍ସନ ୬୭୫.୦୫ କୋଟି ଟଙ୍କା ଓ ମୋଟ ନେଟ୍ କଲେକ୍ସନ ୫୬୪.୬୦ କୋଟି ଟଙ୍କାରେ ପହଞ୍ଚିଛି। ବିଦେଶୀ ବଜାରରେ ମଧ୍ୟ ‘ରାମାୟଣ’ ଜବରଦସ୍ତ ପ୍ରଦର୍ଶନ କରିଛି। ଅଷ୍ଟମ ଦିନରେ ବିଦେଶରୁ ପ୍ରାୟ ୨୫ କୋଟି ଟଙ୍କା ଆୟ ହୋଇଥିବାବେଳେ ବିଦେଶର ମୋଟ ଗ୍ରସ୍ କଲେକ୍ସନ ୩୫୮.୫୦ କୋଟି ଟଙ୍କାରେ ପହଞ୍ଚିଛି। ଏହା ସହ ଫିଲ୍ମର ବିଶ୍ୱବ୍ୟାପୀ ମୋଟ ଗ୍ରସ୍ କଲେକ୍ସନ ପ୍ରାୟ ୧,୦୩୩.୫୫ କୋଟି ଟଙ୍କା ହୋଇଛି।

ଏହି ସଫଳତା ସହ ‘ରାମାୟଣ’ ୧୦୦୦ କୋଟି ଟଙ୍କା ଆୟ କରିବାରେ ତୃତୀୟ ସବୁଠାରୁ ଦ୍ରୁତ ଭାରତୀୟ ଫିଲ୍ମ ହୋଇଛି। ଏହା ପୂର୍ବରୁ ‘ପୁଷ୍ପା ୨’ ଓ ‘ଧୁରନ୍ଧର ୨’ ୭ ଦିନ ମଧ୍ୟରେ ଏହି ମାଇଲଷ୍ଟୋନ ଛୁଇଁଥିଲା । ‘ବାହୁବଳୀ ୨’କୁ ଏହି ରେକର୍ଡ ପାଇଁ ପ୍ରାୟ ୧୦ରୁ ୧୧ ଦିନ ଲାଗିଥିଲା। ‘ରାମାୟଣ’ ପୂର୍ବରୁ ରଣବୀର କପୁରଙ୍କ ‘ଆନିମଲ୍’ର ବିଶ୍ୱବ୍ୟାପୀ ଆୟକୁ ମଧ୍ୟ ଅତିକ୍ରମ କରିସାରିଛି। ଏବେ ସମସ୍ତଙ୍କ ନଜର ଦ୍ୱିତୀୟ ସପ୍ତାହର ବକ୍ସ ଅଫିସ କଲେକ୍ସନ ଉପରେ ରହିଛି। ଛୁଟି ପରେ ମଧ୍ୟ ଫିଲ୍ମ ଏହି ଗତି ଜାରି ରଖିପାରିବ କି ନାହିଁ, ତାହା ଦେଖିବାକୁ ବାକି ରହିଲା।