ଭୁବନେଶ୍ବର ୨୮।୩: ସରିଲା ଯୁକ୍ତ ୨ ପରୀକ୍ଷା । ଅନୁପସ୍ଥିତ ରହିଲେ ୫୦୩୧ ଜଣ ପରୀକ୍ଷାର୍ଥୀ । ୩ ଲକ୍ଷ ୯୬ ହଜାର ୫୯୨ ଜଣ ଛାତ୍ରଛାତ୍ରୀ ଦେଲେ ପରୀକ୍ଷା । ଫେବ୍ରୁଆରୀ ୧୮ରୁ ଆରମ୍ଭ ହୋଇଥିବା ପରୀକ୍ଷା ଆଜି ଅର୍ଥାତ୍ ମାର୍ଚ୍ଚ ୨୮ ତାରିଖରେ ଶେଷ ହୋଇଛି । ବିଜ୍ଞାନ ପରୀକ୍ଷା ୨୩ରେ ଶେଷ ହୋଇଥିବା ବେଳେ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ୨୫ରେ ଶେଷ ହୋଇଥିଲା । କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଛନ୍ତି ପରୀକ୍ଷାର୍ଥୀ । ୪ ଲକ୍ଷ ୧୬୨୩ ପରୀକ୍ଷାର୍ଥୀ କରିଥିଲେ ଫର୍ମ ଫିଲ୍ଅପ୍ ।

Also Read:- IMFL ଓ CL ଉପରେ ଶୁଳ୍କ ବଢାଇଲେ ଓଡ଼ିଶା ସରକାର, ରାଜ୍ୟରେ ବଢିବ ମଦ ଦର

ଉଲ୍ଲେଖଯୋଗ୍ୟ ଯେ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସନ୍ତା ଏପ୍ରିଲ ୨ ତାରିଖରୁ ଯୁକ୍ତ ୨ ଖାତାଦେଖା ଆରମ୍ଭ ହେବ ।ଚଳିତବର୍ଷ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପାଠ୍ୟକ୍ରମର ଖାତା ଦେଖାହେବ । ଏଥିପାଇଁ ୩୦ଟି ଜିଲ୍ଲାରେ ୧୫୧ଟି ମୂଲ୍ୟାୟନ କେନ୍ଦ୍ର ଖୋଲାଯିବ । ଖାତାଦେଖା ଦୁଇଟି ପର୍ଯ୍ୟାୟରେ ସମ୍ପନ୍ନ ହେବ । ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ଇ-ମୂଲ୍ୟାୟନ ହେବ । ଏହା ସହିତ ୭୫ଟି କେନ୍ଦ୍ର ଡିଜିଟାଲ୍ ମୋଡ୍ରେ କାମ କରିବ । ଅନ୍ୟପଟେ ୭୬ଟି କେନ୍ଦ୍ରରେ ପାରମ୍ପରିକ ଭାବରେ ଖାତା ଦେଖାଯିବ । କଳା ବିଭାଗରେ କେବଳ ଇଂରାଜୀ ବିଷୟର ଇ-ମୂଲ୍ୟାୟନ ହେବ । ସବୁ ଠିକ୍ଠାକ୍ ରହିଲେ ମେ’ ମାସର ତୃତୀୟ କିମ୍ବା ଚତୁର୍ଥ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇପାରେ ।