ପୁରୀ ୧୪।୧୧: ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହିତ ଆଶୀର୍ବାଦ ଲାଭ କଲେ ଆର୍ଟ ଅଫ୍ ଲିଭିଙ୍ଗର ପ୍ରତିଷ୍ଠାତା ତଥା ଆଧ୍ୟାତ୍ମିକ ଗୁରୁ ରବିଶଙ୍କର। ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି କଡ଼ା ସୁରକ୍ଷା ମଧ୍ୟରେ ଗୁରୁ ରବିଶଙ୍କର ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ପ୍ରଥମେ ଗଜପତିଙ୍କ ଶ୍ରୀନଅର ଯାଇଥିଲେ । ସେଠାରୁ ଶ୍ରୀମନ୍ଦିର ସିଂହଦ୍ୱାର ଠାରେ ପହଞ୍ଚିବା ପରେ ଅରୁଣ ସ୍ଥମ୍ଭ ନିକଟରେ ପ୍ରଣିପାତ କରିଥିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ସେବାୟତଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।

ରତ୍ନ ସିଂହାସନରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା ପରେ ମା’ ବିମଳା, ମା’ ଲକ୍ଷ୍ମୀଙ୍କୁ ଦର୍ଶନ କରିବା ପରେ ବାଇଶି ପାହାଚରେ କିଛି ସମୟ ଅତିକ୍ରାନ୍ତ କରିଥିଲେ ଓ ଶ୍ରଦ୍ଧାଳୁଙ୍କ ସହ ମତ ବିନିମୟ କରିଥିଲେ ରବିଶଙ୍କର ।

Also Read:- ଗଣତନ୍ତ୍ରର ସୁରକ୍ଷା ପାଇଁ ବିଜେପିର ରଣହୁଙ୍କାର, ଏକାଠି ହେଲେ ହେଭିୱେଟ୍ ନେତା

ଦର୍ଶନ ପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ମହାପ୍ରଭୁଙ୍କ ଅପାର କରୁଣାରୁ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତ ହେଲା । ଦେଶ ଓ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲି । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଅତି ସୁନ୍ଦର ଦର୍ଶନ ବ୍ୟବସ୍ଥା କରାଯାଇଛି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।

ଦର୍ଶନ ପରେ ପୁଣି ଥରେ ଶ୍ରୀନଅର ଯାଇ ଗଜପତି ଦିବ୍ୟସିଂହ ଦେବଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ପରେ ନୀଳାଦ୍ରି ଭକ୍ତ ନିବାସ ଯାଇ ନୀଳ ଶୈଳ କାର୍ଯ୍ୟକ୍ରମରେ ଚିତ୍ରକଳା ଶିବିର ବୁଲି ଦେଖିଛନ୍ତି । ସିଂହଦ୍ୱାରରେ ତାଙ୍କ ଅନୁଗାମୀ ମାନଙ୍କ ଭିଡ ଦେଖିବାକୁ ମିଳିଥିଲା ।