ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆରେ ଭାରତୀୟ କ୍ରିକେଟ୍ ଟିମର ଲଜ୍ଜାଜନକ ପରାଜୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯଦିଓ ଏହା ପୂର୍ବରୁ ଭାରତ କିୱି ବିପକ୍ଷରେ ଖରାପ ପ୍ରଦର୍ଶନ କରିସାରିଥିଲା, ତଥାପି ଗତକାଲି(ନଭେମ୍ବର ୧୩)ର ପରାଜୟ ଶ୍ରେୟସ ଆୟରଙ୍କ ପାଇଁ ସ୍ମରଣୀୟ ହୋଇ ରହିବ। କାରଣ ଗତକାଲିର ମ୍ୟାଚ୍ ଥିଲା ଶ୍ରେୟସଙ୍କ କ୍ୟାପ୍ଟେନସିପରେ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍। ହେଲେ ପ୍ରଥମ ଅଧିନାୟକତ୍ୱ ମ୍ୟାଚ୍ରେ ଟିମ ଇଣ୍ଡିଆ ଏମିତି ହାରିଲା ଯେ ସବୁଦିନ ପାଇଁ ଶ୍ରେୟସ ଆୟରଙ୍କ କ୍ୟାପ୍ଟେନସିପ୍ କ୍ୟାରିୟରରେ ଏକ ଅଲୋଡ଼ା ରେକର୍ଡ ଯୋଡ଼ି ହୋଇଗଲା।

ଶୁକ୍ରବାର ଖେଳାଯାଇଥିବା ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୩୩୩ ରନ୍ କରିଥିଲା। ଟାର୍ଗେଟ ପିଛା କରି ପଡ଼ିଆକୁ ଓହ୍ଲାଇଥିବା ଭାରତ ୧୦୦ ରନ ବି କରିପାରିଲା ନାହିଁ। ମାତ୍ର ୨୬.୪ ଓଭରରେ ୮୯ ରନ୍ କରି ଅଲ ଆଉଟ ହୋଇଗଲା। ଫଳରେ ନ୍ୟୁଜିଲାଣ୍ଡ ୨୪୪ ରନ୍ ବିଶାଳ ବିଜୟ ହାସଲ କରିଥିଲା। ତେବେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ସର୍ବନିମ୍ନ ଦିନିକିଆ ସ୍କୋର ୮୮ ରନର ରେକର୍ଡ ଭାଙ୍ଗିବାରୁ ଅଳ୍ପକେ ବର୍ତ୍ତିଯାଇଥିଲା। ଏହି ମ୍ୟାଚ୍ ୨୦୧୦ରେ ଦାମ୍ବୁଲାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲା ଭାରତ।

ଶ୍ରେୟସଙ୍କ ଅଲୋଡ଼ା ରେକର୍ଡ

ଗତକାଲି ମ୍ୟାଚ୍ ପାଇଁ ଶ୍ରେୟସ ଆୟର ଭାରତର ଦିନିକିଆ ଦଳର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ଦିନିକିଆ ଅନ୍ତର୍ଜାତୀୟରେ କ୍ୟାପ୍ଟେନସିପ୍ କରିବାରେ ଏହା ତାଙ୍କର ପ୍ରଥମ ମ୍ୟାଚ୍ ଥିଲା। ଆଉ ପ୍ରଥମରୁ ହିଁ ସେ ପରାଜୟର ସହ ଅଧିନାୟକତ୍ୱ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଅଲୋଡ଼ା ରେକର୍ଡ ସହ ଶ୍ରେୟସ ବିରାଟ କୋହଲି ଓ ଶୁଭମନ ଗିଲଙ୍କ ଭଳି ଅଧିନାୟକଙ୍କ ତାଲିକାରେ ସାମିଲ ହୋଇଛନ୍ତି, ଯେଉଁମାନେ ନିଜର ପ୍ରଥମ ଦିନିକିଆ ଓ ଟି-୨୦ କ୍ୟାପ୍ଟେନସିପ୍ ମ୍ୟାଚ୍‌ରେ ପରାଜିତ ହୋଇଥିଲେ।

Also Read- ପ୍ରଥମ ଓଭରରେ ୩ ୱିକେଟ୍ ନେଇ ଇତିହାସ ରଚିଲେ ମ୍ୟାଟ୍ ହେନରୀ, ପୋଲକ୍ ଓ ଭାସଙ୍କ ସ୍ପେଶାଲ୍ କ୍ଲବରେ ସାମିଲ

ଏହା ପୂର୍ବରୁ ଶ୍ରେୟସ ଆୟର କ୍ୟାପ୍ଟେନ୍ ଭାବେ ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ପରାଜିତ ହୋଇସାରିଛନ୍ତି। ଏହି ମ୍ୟାଚ୍ ୨୬ ଜୁନ୍ ୨୦୨୬ରେ ବେଲଫାଷ୍ଟରେ ଆୟରଲାଣ୍ଡ ବିପକ୍ଷରେ ଖେଳାଯାଇଥିଲା। ଯେଉଁଥିରେ ଇଣ୍ଡିଆ ୩୪ ରନରେ ପରାସ୍ତ ହୋଇଥିଲେ। ଏହା ଥିଲା ଶ୍ରେୟସ ଆୟରଙ୍କ କ୍ୟାପ୍ଟେନସିପରେ ଟିମ୍ ଇଣ୍ଡିଆର ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍।

ବିରାଟ ଓ ଗିଲଙ୍କ ଅଲୋଡ଼ା ରେକର୍ଡ

ଶ୍ରେୟସଙ୍କ ପୂର୍ବରୁ ବିରାଟ କୋହଲି ଓ ଶୁଭମନ ଗିଲ ମଧ୍ୟ କ୍ୟାପ୍ଟେନ୍ ଭାବେ ନିଜ ନିଜର ପ୍ରଥମ ଦିନିକିଆ ଓ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ହାରିଥିଲେ। ବିରାଟ କୋହଲି କ୍ୟାପ୍ଟେନ୍ ଭାବେ ୨ ଜୁଲାଇ ୨୦୧୩ରେ ଜାମାଇକାର କିଙ୍ଗଷ୍ଟନରେ ଶ୍ରୀଲଙ୍କା ବିପକ୍ଷରେ ନିଜର ପ୍ରଥମ ଦିନିକିଆ ମ୍ୟାଚ୍ ହାରିଥିଲେ। ସେହିପରି ଟି-୨୦ କ୍ୟାପ୍ଟେନ୍ ଭାବେ ୨୬ ଜାନୁଆରୀ ୨୦୧୭ରେ କାନପୁରରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ୱିକେଟରେ ପରାସ୍ତ ହୋଇଥିଲା। ବିରାଟଙ୍କ ପ୍ରଥମ ଟେଷ୍ଟ ଅଧିନାୟକତ୍ୱ ମ୍ୟାଚରେ ମଧ୍ୟ ଆଡିଲେଡ୍‌କେ ଅଷ୍ଟ୍ରେଲିଆଠାରୁ ୪୮ ରନରେ ହାରିଥିଲା ଭାରତ। 

ଅନ୍ୟପଟେ ଶୁଭମନ ଗିଲଙ୍କ କ୍ୟାପ୍ଟେନସିପରେ ଭାରତ ୬ ଜୁଲାଇ ୨୦୨୪ରେ ପ୍ରଥମ ଟି-୨୦ ମ୍ୟାଚ୍ ମାତ୍ର ୧୩ ରନରେ ହାରିଥିଲା। ଏହି ମ୍ୟାଚ୍‌ ହରାରେରେ ଜିମ୍ବାୱେ ବିପକ୍ଷରେ ଖେଳାଯାଇଥିଲା। ସେହିପରି ଟେଷ୍ଟ କ୍ୟାପ୍ଟେନ ଭାବେ ଗିଲ୍ ପ୍ରଥମ ମ୍ୟାଚ ଇଂଲଣ୍ଡ ଠାରୁ ହାରିଥିଲେ। ସେହି ମ୍ୟାଚ୍‌ରେ ଭାରତ ଦେଇଥିବା ୩୭୨ ରନ ଲକ୍ଷ୍ୟକୁ ଇଂଲଣ୍ଡ ଚତୁର୍ଥ ଇନିଂସରେ ପୂରା କରି ନେଇଥିଲା। ସେହିପରି ୧୯ ଅକ୍ଟୋବର ୨୦୨୫ରେ ପର୍ଥରେ ଅଷ୍ଟ୍ରେଲିଆ ବିପକ୍ଷରେ ଗିଲଙ୍କ ପ୍ରଥମ ଦିନିକିଆ ଅଧିନାୟକତ୍ୱ ମ୍ୟାଚରେ ଭାରତ ୭ ୱିକେଟରେ ପରାସ୍ତ ହୋଇଥିଲା।