• ନୀତି ଅନୁସାରେ ଭାରତ ନିର୍ମିତ ହ୍ୱିସ୍କି, ଜିନ୍, ରମ, ବ୍ରାଣ୍ଡି ଓ ଭୋଡକା ତଥା ଅନ୍ୟ ମଦ ଉପରେ ମୂଲ୍ୟ ଆଧାରିତ ଉତ୍ପାଦ ଶୁଳ୍କକୁ ୫୫%ରୁ ବଢାଇ ୬୫% କରିଦିଆଯାଇଛି
  • ବିୟର ଉପରେ ଲାଗୁ ହେଉଥିବା ଏକ୍ସାଇଜ ଡ୍ୟୁଟିକୁ ଅପରିବର୍ତ୍ତିତ ରଖା ଯାଇଛି
  • ଅନ୍ୟ ଦେଶରୁ ଆମଦାନୀ ହେଉଥିବା ହ୍ୱିସ୍କି, ଜିନ୍, ରମ, ବ୍ରାଣ୍ଡି, ଭୋଡକା ଓ ଅନ୍ୟ ମଦ ପାଇଁ ଲାଗୁ ହେଉଥିବା ୨୫%ଏକ୍ସାଇଜ ଡ୍ୟୁଟି ଅପରିବର୍ତ୍ତିତ ରହିଛ

ଭୁବନେଶ୍ୱର ୨୮।୩: ଓଡ଼ିଶା ସରକାର ଭାରତ ତିଆରି ବିଦେଶୀ ମଦ (ଆଇଏମଏଫଏଲ) ଓ ଦେଶୀ ମଦ (ସିଏଲ) ଉପରେ ଶୁଳ୍କ ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ଶୁଳ୍କ ରାଜ୍ୟରେ ୧ ଏପ୍ରିଲ ୨୦୨୬ରୁ ଲାଗୁ ହେବ। ଏଣୁ ଶୁଳ୍କ ବଢିବା ଯୋଗୁ ଆଗାମୀ ମାସରୁ ରାଜ୍ୟରେ ମଦ ମହଙ୍ଗା ହେବା ନିଶ୍ଚିତ ହୋଇଯାଇଛି। ରାଜ୍ୟ ସରକାର ୨୬ ମାର୍ଚ୍ଚ ଗୁରୁବାର ନୂଆ ଏକ୍ସାଇଜ ଡ୍ୟୁଟି ସମ୍ପର୍କରେ ଅଧିସୂଚନା ଜାରି କରିଛନ୍ତି, ଯାହା ୩ ବର୍ଷ ପାଇଁ ଅର୍ଥାତ ୩୧ ମାର୍ଚ୍ଚ ୨୦୨୯ ପର୍ଯ୍ୟନ୍ତ ବଳବତ୍ତର ରହିବ। ନୂଆ ନୀତି ଅନୁସାରେ ଭାରତ ନିର୍ମିତ ହ୍ୱିସ୍କି, ଜିନ୍, ରମ, ବ୍ରାଣ୍ଡି ଓ ଭୋଡକା ତଥା ଅନ୍ୟ ମଦ ଉପରେ ମୂଲ୍ୟ ଆଧାରିତ ଉତ୍ପାଦ ଶୁଳ୍କକୁ ୫୫%ରୁ ବଢାଇ ୬୫% କରିଦିଆଯାଇଛି।

ବିୟର ଉପରେ ଏକ୍ସାଇଜ ଡ୍ୟୁଟି ଅପରିବର୍ତ୍ତିତ
ତେବେ ଉପଭୋଗର ଏକ ଅନ୍ୟ ପ୍ରମୁଖ ଶ୍ରେଣୀ ବିୟର ଉପରେ ଲାଗୁ ହେଉଥିବା ଏକ୍ସାଇଜ ଡ୍ୟୁଟିକୁ ଅପରିବର୍ତ୍ତିତ ରଖା ଯାଇଛି। ସେହିପରି ଅନ୍ୟ ଦେଶରୁ ଆମଦାନୀ ହେଉଥିବା ହ୍ୱିସ୍କି, ଜିନ୍, ରମ, ବ୍ରାଣ୍ଡି, ଭୋଡକା ଓ ଅନ୍ୟ ମଦ ପାଇଁ ଲାଗୁ ହେଉଥିବା ୨୫%ଏକ୍ସାଇଜ ଡ୍ୟୁଟି ଅପରିବର୍ତ୍ତିତ ରହିଛି। ଅନ୍ୟପଟେ ଆସ୍କା କୋ-ଅପରେଟିଭ ସୁଗାର ଇଣ୍ଡଷ୍ଟ୍ରିଜ୍ (ଏସଇଏସଆଇଏଲ) ଦ୍ୱାରା ପ୍ରସ୍ତୁତ ଓ ଯୋଗାଣ ହେଉଥିବା ଦେଶୀ ମଦ ବ୍ୟତୀତ ଅନ୍ୟ ଯୋଗାଣକାରୀଙ୍କ ଠାରୁ ମିଳୁଥିବା ଦେଶୀ ମଦ (ସିଏଲ) ଉପରେ କରକୁ ୪୦%ରୁ ବଢାଇ ୬୫% କରିଦେଇଛନ୍ତି। ଏହା ଛଡା ଓଡ଼ିଶା ସରକାର ପ୍ରଥମ ଥର ଏକ୍ସାଇଜ ଡ୍ୟୁଟି ଉପରେ ୦.୫% ନିଶାମୁକ୍ତି ଉପକର ମଧ୍ୟ ଲାଗୁ କରିଛନ୍ତି। ଏଣୁ ନୀତିରେ କୁହାଯାଇଛି ଯେ ଉପକରୁ ପ୍ରାପ୍ତ ଆୟକୁ ଆଦର୍ଶ ନିଶାମୁକ୍ତି କେନ୍ଦ୍ର ସ୍ଥାପନା ଓ ତାର ପରିଚାଳନା ପାଇଁ ଉପଯୋଗ କରାଯିବ।

ନୂଆ ଦେଶୀ ମଦ ଦୋକାନ ଖୋଲିବାକୁ ମିଳିବନି ଅନୁମତି
ନୂଆନୀତି ଅନୁସାରେ ଆଗାମୀ ୩ ବର୍ଷରେ କୌଣସି ପ୍ରକାରର ଦେଶୀ ମଦ ଦୋକାନ ଅଥବ ମଦ ତିଆରି ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ। ଏଥିରେ ଗ୍ରାମାଞ୍ଚଳରେ ମଦ ଦୋକାନ ଖୋଲିବା ପାଇଁ ଆଦୌ ଅନୁମତି ମିଳିବନି। ତେବେ ଉଦ୍ୟୋଗାଞ୍ଚଳରେ ଥିବା ତିନି ତାରକା ଓ ତାଠାରୁ ଉନ୍ନତ ମାନର ହୋଟେଲ ଓ କ୍ଲବମାନଙ୍କୁ ଏହି ନିୟମରୁ ଛାଡ ଦିଆଯାଇଛି। ନୀତି ଅନୁସାରେ ଧାର୍ମିକ ଭାବନାକୁ ସମ୍ମାନ କରି ଶ୍ରୀ ଜଗନ୍ନାଥ ମନ୍ଦିର ଆଖପାଖ ଅଥବା ବଡ଼ ଦାଣ୍ଡରେ କୌଣସି ପ୍ରକାରର ଅବକାରୀ ଦୋକାନ ଖୋଲିବାକୁ ଅନୁମତି ଦିଆଯିବନି କି ଏହି ଅଞ୍ଚଳକୁ ମଦ ହୋମ ଡେଲିଭରୀ ମଧ୍ୟ ମିଳିବ ନାହିଁ।

ଶସ୍ତା ଦରରେ ମଦ ବିକ୍ରି ପ୍ରଥା ବନ୍ଦ ହେବ
ଏହା ଛଡା ସରକାର ବିଭିନ୍ନ ପ୍ରାକରର ଏକ୍ସାଇଜ ଡ୍ୟୁଟି ଲାଇସେନ୍ସ ଲାଗି ଆବେଦନ ଶୁଳ୍କରେ ୧୦% ଓ ଲାଇସେନ୍ସ ଶୁଳ୍କରେ ପ୍ରତି ବର୍ଷ ୧୦ରୁ ୨୦% ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନରେ ଏବେକା ନ୍ୟୁନତମ ଗ୍ୟାରେଣ୍ଟି କୃତ ମାତ୍ରା (ଏମଜିକ୍ୟୁ) ପ୍ରଣାଳୀକୁ ନ୍ୟୁନତମ ଗ୍ୟାରେଣ୍ଟେଡ ଏକ୍ସାଇଜ ଡ୍ୟୁଟି ରେଭିନ୍ୟୁ (ଏମଜିଇଆର) ପ୍ରଣାଳୀରେ ବଦଳାଇ ଦିଆଯାଇଛି। ଏହା ଦ୍ୱାରା ନା କେବଳ ସରକାରୀ ରାଜସ୍ୱ ନିଶ୍ଚିତ ହେବ ବରଂ ବ୍ୟବସାୟୀଙ୍କ ଉପରେ ବିକ୍ରି ବଢାଇବାକୁ ଚାପ ମଧ୍ୟ ହ୍ରାସ ହେବ। ଅଧିକାରୀକ ସୂତ୍ର ଅନୁସାରେ ଏହା ଦ୍ୱାରା ଶସ୍ତା ଦରରେ ମଦ ବିକ୍ରି ପ୍ରଥା ଉପରେ ରୋକ ଲାଗିବ।

ଲାଗୁ ହେବ ‘ଟ୍ରାକ୍ ଆଣ୍ଡ ଟ୍ରେସ୍’ ପ୍ରଣାଳୀ
ସରକାର ଅତିରିକ୍ତ ନ୍ୟୁଟ୍ରଲ ଆଲକୋହଲ (ଇଏନଏ) ଯାତାୟାତ ଉପରେ ନଜର ରଖିବାକୁ ତଥା ଉତ୍ପାଦନରୁ ଆରମ୍ଭ କରି ଖୁଚୁରା ବିକ୍ରି ପର୍ଯ୍ୟନ୍ତ ବୋତଲ ସ୍ତରରେ ଟ୍ରାକିଂ କରିବା ପାଇଁ ‘ଟ୍ରାକ୍ ଆଣ୍ଡ ଟ୍ରେସ୍’ ପ୍ରଣାଳୀ ମଧ୍ୟ ଆରମ୍ଭ କରିଛନ୍ତି। ଏହା ଛଡା ସବୁ ଉତ୍ପାଦନ ୟୁନିଟି ଓ ଖୁଚୁରା ଦୋକାନଙ୍କୁ ସିସିଟିଭି ନଜରରେ ରଖା ଯିବ। ଏହା ଦ୍ୱାରା ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ ଓ ଜିଲ୍ଲା ଅଧିକାରୀଙ୍କୁ ଲାଇଭ ଫିଡ ନିୟମିତ ମିଳିପାରିବ। ଆଉଟ-ଷ୍ଟିଲ (ଓଏସ) ଉତ୍ପାଦନ ୟୁନିଟ୍ ଙ୍କୁ ଆଧୁନିକରଣ କରିବାକୁ, ଉନ୍ନତ ପ୍ୟାକେଜିଂ ଓ କ୍ୱାଲିଟି କଣ୍ଟ୍ରୋଲ ଉପକରଣ ସ୍ଥାପନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।