ଅଲ ଏମିରାତ: ଭାରତ-ପାକିସ୍ତାନ ମ୍ୟାଚ୍, ରୋମାଞ୍ଚକର ଏବଂ ସଂଘର୍ଷ କେମିତି ବା ହେବନି। ସେ ଜାତୀୟ ପୁରୁଷ ଦଳ ହୁଅନ୍ତୁ କି ୧୯ ବର୍ଷରୁ କମ। ପ୍ରତିଟି ମ୍ୟାଚ୍ ବଢାଇ ଦିଏ ହାର୍ଟବିଟ୍। ଠିକ୍ ସେହିପରି ମ୍ୟାଚ୍ ଶନିବାର ୧୯ ବର୍ଷରୁ କମ ଏସିଆ କପ୍ ଫାଇନାଲରେ ଦେଖିବାକୁ ମିଳିଛି। ସଂଘର୍ଷପୂର୍ଣ୍ଣ ଓ ରୋମାଞ୍ଚକର ଟାଇଟଲ୍ ମୁକାବିଲାରେ  ପାକିସ୍ତାନ ହାତରୁ ବିଜୟ ଛଡ଼ାଇ ନେଇଛି ଭାରତ। ଗୋଟିଏ ଓ୍ଵିକେଟରେ ମ୍ୟାଚ୍ ଜିତି ନବମ ଥର ୧୯ ବର୍ଷରୁ କମ ଏସିଆ କପ୍ ଚାମ୍ପିଅନ ହୋଇଛି ଟିମ୍ ଇଣ୍ଡିଆ। ନିମ୍ନକ୍ରମରେ ମନଲ ଚୌହାନ ଓ ମୋହିତ ଉଲଭା ଅବିଶ୍ଵସନୀୟ ବ୍ୟାଟିଂ କରି ଭାରତକୁ ଦେଇଛନ୍ତି ସ୍ମରଣୀୟ ବିଜୟ। ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ଉସ୍ମାନ ଖାନଙ୍କ ୧୦୭ ରନ, ଅବଦୁଲ କାଦିରଙ୍କ ୮୦ ରନ ଓ ଅଧିନାୟକ ଫରହାନ ୟୁସୁଫଙ୍କ ୬୩ ରନ ବଳରେ ୯ ଓ୍ଵିକେଟ୍ ହରାଇ କରିଥିଲା ୩୩୭ ରନ। ଜବାବରେ ଭାରତ ସମାନ ୯ ଓ୍ଵିକେଟ୍ ହରାଇ ମ୍ୟାଚର ଶେଷ ବଲରେ ବାଜି ମାରି ନେଇଛି। ଛକା ମାରି ଦଳକୁ ଜିତାଇନ୍ତି ମୋହିତ ଉଲଭା।

Also Read: ୧୫ ବଲରେ ହାଫ୍ ସେଞ୍ଚୁରୀ : ଷ୍ଟାଡିୟମରେ ଛକା-ଚଉକା ବର୍ଷା କଲେ ସୂର୍ଯ୍ୟ କୁମାର ଯାଦବ

୩୩୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତକୁ ମଜବୁତ ଆରମ୍ଭ ଦେଇଥିଲେ ଦୁଇ ଓପନର ଆର୍ଯ୍ୟବୀର ସେହ୍ଵାଗ ଓ ଅଧିନାୟକ ଲକ୍ଷ୍ୟ ରାଜେଶ ରାୟଚନ୍ଦାନୀ। ଉଭୟ ଦମଦାର ବ୍ୟାଟିଂ କରି ପ୍ରଥମ ଓ୍ଵିକେଟ୍ ପାଇଁ ୯୫ ରନ ଯୋଡ଼ି ଦଳ ପାଇଁ ବିଜୟର ମୂଳଦୁଆ ପକାଇଥିଲେ। ହେଲେ ସେହ୍ଵାଗ ୬୧ ବଲରୁ ୯ ଚୌକା ସହ ୫୮ ରନ କରି ପାଭିଲିୟନ ଫେରିଥିଲେ। ପୁଣି ଭିକେ ଭିନିଥ ୨୪ ରନ କରି ଆଉଟ୍ ହୋଇଥିଲେ। ଗୋଟିଏ ପଟେ ଅଧିନାୟକ ରାୟଚନ୍ଦାନୀ କ୍ରିଜରେ ଜମିଥିବା ବେଳେ ମଧ୍ୟକ୍ରମରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା ଭାରତ। ଅର୍ଜୁନ ରାଜପୁତ(୧୬ ରନ), ୟଶବର୍ଦ୍ଧନ ଚୌହାନ(୯ ରନ) ନିରାଶ କରିଥିଲେ। ଆଉ ପଞ୍ଚମ ଓ୍ଵିକେଟ୍ ଭାବେ ଭାରତକୁ ଅଧିନାୟକଙ୍କ ରୂପେ ଲାଗିଥିଲା ଝଟକା। ରାୟଚନ୍ଦାନୀ ୮୦ ରନର ଇନିଂସ ଖେଳି ୩୭ତମ ଓଭରରେ ପାଭିଲିୟନ ଫେରିଥିଲେ।

ପୁଣି ସେହି ଓଭରେ ଅନ୍ଵୟ ଦ୍ରାବିଡ଼(୧୯ ରନ) ଆଉଟ୍ ହେବା ଦଳକୁ ବଡ଼ ଝଟକା ଦେଇଥିଲା। ୨୧୭ ରନରେ ୬ ଓ୍ଵିକେଟ୍ ହରାଇ ଭାରତ ପରାଜୟର ସଙ୍କଟରେ ପଡ଼ିଥିଲା। ତେବେ ନିମ୍ନକ୍ରମରେ ମଙ୍ଗ ଧରିଥିଲେ ମନଲ ଚୌହାନ। ତଥାପି ୨୫୧ ରନ ଏବଂ ୨୫୨ ରନ ସ୍କୋରରେ ଭାରତ ସପ୍ତମ ଓ ଅଷ୍ଟମ ଓ୍ଵିକେଟ୍ ହରାଇଥିଲା। ସେହି ସମୟରେ ଭାରତକୁ ଦରକାର ଥିଲା ଆହୁରି ୮୬ ରନ ଏବଂ ହାତରେ ଥିଲା ମାତ୍ର ୨ ଓ୍ଵିକେଟ୍। ବିଜୟ ଅସମ୍ଭବ ଲାଗୁଥିଲା। ପାକିସ୍ତାନ ହାତମୁଠାରେ ଥିଲା ମ୍ୟାଚ୍। କିନ୍ତୁ ଏହା ପରେ ମନଲ ଓ ମୋହିତ ଉଲଭା ଯେମିତି ବ୍ୟାଟିଂ କଲେ ତାହା ଆଗାମୀ ଅନେକ ବର୍ଷ ପାଇଁ ସ୍ମୃତି ହୋଇ ରହିବ। ଦୁଇ ବ୍ୟାଟର ପାକିସ୍ତାନ ବୋଲରଙ୍କ ଉପରେ କରିଥିଲେ କାଉଣ୍ଟର ଆଟାକ୍। ଫଳରେ ମ୍ୟାଚ ନେଇଥିଲା ରୋମାଞ୍ଚକର ମୋଡ଼।

Also Read: ସଚିନଙ୍କ ଶହେ ଶତକର ପିଛା କରୁଥିଲେ କୋହଲି, ଖାତାରେ ଯୋଡି଼ ହୋଇଗଲା ଅଲୋଡା 'ଡକ୍' ମାଇଲଷ୍ଟୋନ୍

ପ୍ରତିଟି ରନ ପାଇଁ ବ୍ୟାକୁଳତା ବଢି ଚାଲିଥିଲା। ତେବେ ୩୦୯ ରନ ସ୍କୋରରେ ମନଲ ଆଉଟ୍ ହୋଇଥିଲେ। ସେ ୩୨ ବଲରୁ ୩ ଚୌକା ଓ ୩ ଛକା ସହ ୪୭ ରନର ବହୁମୂଲ୍ୟ ଇନିଂସ ଖେଳିଥିଲେ। ପୁଣି ମ୍ୟାଚ୍ ପାକିସ୍ତାନ ଆଡ଼କୁ ଢଳିଥିଲା। ହେଲେ ଅନ୍ୟ ପାର୍ଶ୍ଵରେ କ୍ରିଜରେ ଥିବା ମୋହିତ ହାର ମାନି ନ ଥିଲେ। ସେ ଚୌକା ଓ ଛକା ବର୍ଷା କରିଥିଲେ। ଚିଗୁରୁପତି ଭେଙ୍କଟଙ୍କ ସହ ମିଶି ଅବିଭାଜିତ ଦଶମ ଓ୍ଵିକେଟରେ ୩୦ ରନ ଯୋଡ଼ି ଭାରତକୁ ବିଜୟୀ କରାଇଛନ୍ତି। ଶେଷ ଓଭରରେ ଭାରତକୁ ଦରକାର ଥିଲା ୮ ରନ। କିନ୍ତୁ ଶେଷ ବଲରେ ୩ ରନ ଥିଲା ଜିତିବାକୁ। ଆଉ ଛକା ମାରି ଦଳକୁ ଅବିଶ୍ଵସନୀୟ ବିଜୟ ଦେଇଛନ୍ତି ଉଲଭା। ଭାରତ ମ୍ୟାଚକୁ ୧ ଓ୍ଵିକେଟରେ ଜିତି ନବମ ଥର ୧୯ ବର୍ଷରୁ କମ ଏସିଆ କପ୍ ଟାଇଟଲ୍ ଜିତିଛି।