ପୁରୀ ୧୪।୧୧: ପୁରୀ ବଡ଼ଦାଣ୍ଡରେ ମୃତ୍ୟୁର ଫାଶ ! ପୁରୀ ବଡ଼ଦାଣ୍ଡ ଦେଇ ଆପଣ ଯାଉଛନ୍ତି କି ? ଟିକିଏ ସାବଧାନ ହୋଇ ଯାଆନ୍ତୁ, କୌଣସି ସମୟରେ ଆପଣ ସହ ଘଟିପାରେ ବଡ଼ ଦୁର୍ଘଟଣା । ଏଭଳି ସ୍ଥିତି ଗତକାଲି ପୁରୀ ବଡ଼ଦାଣ୍ଡରେ ଦେଖିବାକୁ ମିଳିଥିଲା । ବଡ଼ଦାଣ୍ଡରେ ଏକ ହୋଟେଲର ରେଷ୍ଟୁରାଣ୍ଟରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟି ହୋଟେଲ୍ କର୍ମଚାରୀଙ୍କ ସହ ଜଣେ ଆଗ୍ନିକ ଏବଂ ବଡ଼ଦାଣ୍ଡରେ ଯାଉଥିବା ଜଣେ ମହିଳା ଆହତ ହୋଇଥିଲେ । ମହିଳା ଜଣକ ଜାଣିନଥିଲେ ବଡ଼ଦାଣ୍ଡରେ ଯାଉଥିବା ସମୟରେ ତାଙ୍କ ସହ ଏଭଳି ଅଘଟଣ ଘଟିବ ବୋଲି ।

ଖୁଲ୍ଲମଖୁଲା ଗ୍ୟାସ୍ ସିଲିଣ୍ଡରରେ ଖାଦ୍ୟ ସାମଗ୍ରୀ ବିକ୍ରି ହେଉଛି ଏବଂ ହଜାର ହଜାର ସ୍ଥାନୀୟ ବାସିନ୍ଦା ଏବଂ ପର୍ଯ୍ୟଟକ ଖାଦ୍ୟ ଖାଉଛନ୍ତି । ନା ସେଠାରେ ଅଛି ଅଗ୍ନି ନିର୍ବାପକ ଯନ୍ତ୍ର ନା ଅଛି ସୁରକ୍ଷା ବ୍ୟବସ୍ଥା । ଯଦି ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟେ ତେବେ ଧନଜୀବନ ହାନି ହେବାର ଆଶଙ୍କା ରହିଛି । ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତ ଓ ସହରବାସିନ୍ଦାଙ୍କ ଭିଡ଼ ସବୁଦିନ ଦେଖିବାକୁ ମିଳିଥିବା ବେଳେ ଦୋକାନୀ ମାନେ ମାସକୁ ପ୍ରାୟ ୧୦ରୁ ଅଧିକ ଗ୍ୟାସ୍ ସିଲିଣ୍ଡର ବ୍ୟବହାର କରିଥାନ୍ତି । ଏଠି ପ୍ରଶ୍ନ ଉଠୁଛି ପୁରୀ ବଡ଼ଦାଣ୍ଡରେ ଦୋକାନୀ ମାନେ ଏତେ ପରିମାଣର ଗ୍ୟାସ୍ ଆଣୁଛନ୍ତି କେଉଁଠାରୁ ? ଘରୋଇ ଗ୍ୟାସ୍‌କୁ ବ୍ୟବସାୟିକ ଉଦ୍ଦେଶ୍ୟରେ ଦୋକାନୀ ମାନେ ବ୍ୟବହାର କରୁନାହାନ୍ତି ତ ? ଦୋକାନୀ ମାନେ କେବଳ ବଡ଼ଦାଣ୍ଡ ନୁହେଁ ବରଂ ବ୍ୟବସାୟିକ ଉଦ୍ଦେଶ୍ୟରେ ସହରର ଗଳିକନ୍ଦିରେ ଗ୍ୟାସ୍ ସିଲିଣ୍ଡର ବ୍ୟବହାର କରୁଛନ୍ତି । ଖୁବଶୀଘ୍ର ଅଗ୍ନିଶମ ବାହିନୀ ଓ ପୁରୀ ପୋଲିସ ତରଫରୁ କଡାକଡି ଯାଞ୍ଚ କରାଯିବ ବୋଲି କହିଛନ୍ତି ପୁରୀ ଏସପି ।

​​​​​​​

Also Read:- ପ୍ରୋଜେକ୍ଟ କରୁଥିଲେ, ହଠାତ୍ ଲାଗିଗଲା ନିଆଁ ; ପୋଡ଼ି ହୋଇ ଛାତ୍ର ଗୁରୁତର

ପୁରୀ ବଡଦାଣ୍ଡରେ ଶହ ଶହ ହୋଟେଲ୍ ଓ ହୋଟେଲ୍ ଭିତରେ ରେଷ୍ଟୁରାଣ୍ଟ ରହିଛି । ଗତକାଲିର ଘଟଣା ପରେ ଏବେ ବଡଦାଣ୍ଡରେ ଥିବା ହୋଟେଲ୍ ଓ ରେଷ୍ଟୁରାଣ୍ଟର ସୁରକ୍ଷା ସହ ଲୋକଙ୍କ ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଘରୋଇ ଗ୍ୟାସ୍ ବ୍ୟବହାର କରୁଥିବା ହୋଟେଲ ଓ ରେଷ୍ଟୁରାଣ୍ଟ ଉପରେ ESSENTIAL COMMODITY ACT ଅନୁସାରେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ । ଅନ୍ୟପଟେ ଆଗାମୀ ଦିନରେ ହୋଟେଲ୍ ଓ ରେଷ୍ଟୁରାଣ୍ଟ ଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିଛି କି ନାହିଁ ତାହାକୁ ଯାଞ୍ଚ କରିବା ସହ ସୁରକ୍ଷା ବ୍ୟବସ୍ଥା ଉପରେ ଧ୍ୟାନ ଦେବାକୁ ମାଲିକ ମାନଙ୍କୁ ନିର୍ଦ୍ଦେଶ ଦିଆଯିବ କହିଛନ୍ତି ଅଗ୍ନିଶମ ଅଧିକାରୀ ।