ନୂଆଦିଲ୍ଲୀ ୧୪।୧୧; କ୍ରିକେଟ୍ ପଡ଼ିଆରେ ଛକା ଓ ଚୌକାରେ ଦର୍ଶକଙ୍କ ମନ ଜିଣୁଥିବା ରିଙ୍କୁ ସିଂହ ଏବେ ଜୀବନର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ଖୁବଶୀଘ୍ର ବିବାହ କରିବେ ଟିମ୍ ଇଣ୍ଡିଆର ଏହି ଷ୍ଟାର୍ କ୍ରିକେଟର । ସମାଜବାଦୀ ପାର୍ଟିର ସାଂସଦ ପ୍ରିୟା ସରୋଜଙ୍କ ହାତ ଧରିବେ ରିଙ୍କୁ । ଡିସେମ୍ବର ୪ ତାରିଖରେ ଲକ୍ଷ୍ନୌରେ ଉଭୟଙ୍କ ବିବାହ ହେବାକୁ ଥିବାବେଳେ ଏବେଠାରୁ ଆରମ୍ଭ ହୋଇଗଲାଣି ଜୋରଦାର ପ୍ରସ୍ତୁତି ।

ବିବାହକୁ ନେଇ ରିଙ୍କୁଙ୍କ ପରିବାର ପକ୍ଷରୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ରିଙ୍କୁଙ୍କ ମାଆ, ଭାଇ ଓ ଭଉଣୀ ଲକ୍ଷ୍ନୌସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇ ବିବାହ କାର୍ଡ ପ୍ରଦାନ କରିଛନ୍ତି । ଲକ୍ଷ୍ନୌର ରାମାଡା ହୋଟେଲରେ ଏହି ବିବାହ ଉତ୍ସବ ଆୟୋଜିତ ହେବାକୁ ଥିବାବେଳେ କ୍ରିକେଟ୍ ଓ ରାଜନୈତିକ ଜଗତର ଅନେକ ନାମୀଦାମୀ ଚେହେରା ସାମିଲ ହେବାର ଆଶା ରହିଛି ।

ତେବେ ରିଙ୍କୁ ଓ ପ୍ରିୟାଙ୍କ ପ୍ରେମ କାହାଣୀ ମଧ୍ୟ ବେଶ୍ ରୋଚକ । କୋଭିଡ୍ ସମୟରେ ସୋସିଆଲ ମିଡିଆରେ ପ୍ରିୟାଙ୍କ ଫଟୋ ଦେଖି ତାଙ୍କୁ ପସନ୍ଦ କରିଥିଲେ ରିଙ୍କୁ । ହେଲେ ପ୍ରଥମେ ମେସେଜ୍ କରିବାକୁ ସାହସ ଜୁଟାଇ ପାରିନଥିଲେ । ପରେ ପ୍ରିୟା ତାଙ୍କ ଫଟୋ ଲାଇକ୍ କରିବା ପରେ ଆରମ୍ଭ ହୋଇଥିଲା କଥାବାର୍ତ୍ତା । ଧୀରେ ଧୀରେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ୨୦୨୫ ଜୁନ୍ ୮ ତାରିଖରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା ।

ଅନ୍ୟପଟେ ରିଙ୍କୁଙ୍କ କ୍ରିକେଟ୍ କ୍ୟାରିୟରକୁ ପ୍ରିୟା ସବୁବେଳେ ସମର୍ଥନ କରିଆସିଛନ୍ତି । ଷ୍ଟାଡିୟମରେ ଉପସ୍ଥିତ ରହି ରିଙ୍କୁଙ୍କୁ ଉତ୍ସାହିତ କରିବାର ଦୃଶ୍ୟ ମଧ୍ୟ ଅନେକ ଥର ଦେଖିବାକୁ ମିଳିଛି । ତେବେ ଆଗାମୀ ACC ରାଇଜିଂ ଷ୍ଟାର୍ସ ଏସିଆ କପରେ ଭାରତ 'ଏ' ଦଳର ଉପଅଧିନାୟକ ଭାବେ ଦାୟିତ୍ୱ ପାଇଛନ୍ତି ରିଙ୍କୁ । ନଭେମ୍ବର ୧୯ରୁ ୨୯ ପର୍ଯ୍ୟନ୍ତ କତାରର ଦୋହାରେ ଏହି ପ୍ରତିଯୋଗିତା ଖେଳାଯିବ । କ୍ରିକେଟ୍ ପଡ଼ିଆରେ ନିଜ ବ୍ୟାଟିଂରେ ଚମକୁଥିବା ରିଙ୍କୁ ଏବେ ଜୀବନର ନୂଆ ପାଳି ପାଇଁ ପ୍ରସ୍ତୁତ । ତେବେ ଏହି ଷ୍ଟାର୍ କ୍ରିକେଟରଙ୍କ ବିବାହକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଏବେଠାରୁ ଉତ୍ସାହ ଦେଖିବାକୁ ମିଳିଲାଣି ।