କଟକ ୧୪।୧୧: ଏଥର ବାଲିଯାତ୍ରା ହେବ ସ୍ବତନ୍ତ୍ର । କାରଣ ପ୍ରଥମ ଥର ପାଇଁ ବାଲିଯାତ୍ରାକୁ ଉଦଘାଟନ କରିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚଳିତ ବର୍ଷ ମୁଖ୍ୟ ଆକର୍ଷଣ ରହିବ ଅନ୍ତର୍ଜାତୀୟ ବୋଟ୍ ରେସ୍ । ସେହିପରି ନେଟଓ୍ବର୍କ ସମସ୍ୟା ଦୂର ପାଇଁ ମଧ୍ୟ କାମ ଚାଲିଛି ।

ତେବେ ବାଲିଯାତ୍ରାକୁ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ଉପରେ ପୋଲିସ ଡିଜି ବିନୟତୋଷ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ରାଷ୍ଟ୍ରପତିଙ୍କ ଗସ୍ତ ଦିନ ବାଲିଯାତ୍ରା ପଡ଼ିଆକୁ ସାଧାରଣ ଲୋକଙ୍କ ପ୍ରବେଶ ପାଇଁ କଟକଣା ରହିବ ନାହିଁ । ଏହା କିଭଳି ସୁରୁଖୁରୁରେ ହୋଇପାରିବ ସେ ନେଇ ଟ୍ରାଫିକ୍ ବ୍ୟବସ୍ଥା କରାଯିବ । ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ବାଲିଯାତ୍ରା ପଡ଼ିଆକୁ ସାଧାରଣ ଲୋକ ଆସିବା ପାଇଁ ବିକଳ୍ପ ରୁଟ୍ କରାଯିବ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କଡ଼ା ସୁରକ୍ଷା ବନ୍ଦୋବସ୍ତ ହେବ ।

Also Read:-ପ୍ରୋଜେକ୍ଟ କରୁଥିଲେ, ହଠାତ୍ ଲାଗିଗଲା ନିଆଁ ; ପୋଡ଼ି ହୋଇ ଛାତ୍ର ଗୁରୁତର

ଚଳିତ ବର୍ଷ ଐତିହାସିକ କଟକ ବାଲିଯାତ୍ରାକୁ ଉଦଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଜ୍ୟ ସରକାର ଏ ନେଇ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ଦେଇଥିଲେ । ରାଷ୍ଟ୍ରପତି ନିମନ୍ତ୍ରଣ ସ୍ବୀକାର କରି ବାଲିଯାତ୍ରା ଉଦଘାଟନୀ ଉତ୍ସବରେ ଯୋଗ ଦେବା ପାଇଁ ସମ୍ମତି ପ୍ରକାଶ କରିଥିବା ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ । ସଂଧ୍ୟା ୫ଟାରେ ରାଷ୍ଟ୍ରପତି ସିଲଭର ସିଟି ବୋଟ୍ କ୍ଲବରେ ପହଞ୍ଚିବେ । ସେଠାରୁ ସ୍ବତନ୍ତ୍ର ଭାବେ ତିଆରି ଡଙ୍ଗାରେ ରାଷ୍ଟ୍ରପତି ମହାନଦୀର ଗଡଗଡିଆ ଘାଟକୁ ଆସିବେ । ସେଠାରେ ରାଷ୍ଟ୍ରପତି ବୋଇତ ବନ୍ଦାଣ କରିବେ । ବୋଇତ ବନ୍ଦାଣ ପରେ ଗଡଗଡିଆ ଘାଟରୁ ରାଷ୍ଟ୍ରପତି କଟକ ଇନ୍ କଟକ ଦେଇ ଓରମାସରେ ପହଞ୍ଚି ଏହାର ଉଦଘାଟନ କରିବେ । ଏହା ପରେ ରାଷ୍ଟ୍ରପତି ଗଣକବି ବୈଷ୍ଣବ ପାଣି ମଞ୍ଚରେ ବାଲିଯାତ୍ରା ଉଦଘାଟନୀ ଉତ୍ସବରେ ଯୋଗ ଦେବେ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଓ ସାହେବ ଶିନ୍ଦେ ।