ଅଲ ଏମିରାତ: ୧୯ ବର୍ଷରୁ କମ ଏସିଆ କପ୍ ଫାଇନାଲରେ ଆଜି ମୁହାଁମୁହିଁ ହୋଇଛନ୍ତି ଦୁଇ ଚିର ପ୍ରତିଦ୍ଵନ୍ଦ୍ଵୀ ଭାରତ ଓ ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୯ ଓ୍ଵିକେଟ୍ ହରାଇ ୩୩୭ ରନର ବିଶାଳ ସ୍କୋର କରିଛି। ଚାମ୍ପିଅନ ହେବା ପାଇଁ ଭାରତକୁ ଦରକାର ୩୩୮ ରନ। ପାକିସ୍ତାନ ପକ୍ଷରୁ ଉସ୍ମାନ ଖାନ ୧୦୭ ରନର ଦମଦାର ଶତକୀୟ ଇନିଂସ ଖେଳିଥିବା ବେଳେ ଅବଦୁଲ କାଦିର ୮୦ ରନ ଓ ଫରହାନ ୟୁସୁଫ ୬୩ ରନର ଦ୍ରୁତ ଇନିଂସ ଖେଳି ପାକିସ୍ତାନକୁ ଏହି ବିଶାଳ ସ୍କୋରରେ ପହଞ୍ଚାଇବାରେ ସହାୟକ ହୋଇଛନ୍ତି। ଭାରତ ପକ୍ଷରୁ କାବ୍ୟା ପଟେଲ୍ ୪ ଓ ଚିଗୁରୁପତି ଭେଙ୍କଟ ୩ଟି ଓ୍ଵିକେଟ୍ ନେଇଛନ୍ତି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ପାକିସ୍ତାନ। ଦଳର ଦୁଇ ଓପନର ଉସ୍ମାନ ଖାନ ଓ ହାୟମ ଖାନ ପ୍ରଥମ ଓ୍ଵିକେଟରେ ୬୧ ରନ ଯୋଡ଼ି ଦଳକୁ ମଜବୁତ ଆରମ୍ଭ ଦେଇଥିଲେ। ହାୟମ ଖାନ୨୧ ରନ କରି କାବ୍ୟା ପଟେଲଙ୍କ ଶିକାର ହୋଇଥିଲେ। ତେବେ ମିଳିଥିବା ଏହି ଆରମ୍ଭର ଭରପୂର ଫାଇଦା ଉଠାଇଥିଲେ ଉସ୍ମାନ ଓ ଅବଦୁଲ କାଦିର। ଦୁଇ ବ୍ୟାଟର ଦ୍ରୁତ ରନ କରି ଭାରତୀୟ ବୋଲରଙ୍କୁ ଚାପରେ ରଖିଥିଲେ। ଏହି କ୍ରମରେ ଦୁଇ ବ୍ୟାଟର ନିଜ ନିଜର ଅର୍ଦ୍ଧଶତକ ମଧ୍ୟ ପୂରଣ କରିଥିଲେ। ଦୁହେଁ ଦ୍ଵିତୀୟ ଓ୍ଵିକେଟ୍ ଭାଦିଦାରୀରେ ୧୩୫ ରନ ଯୋଡ଼ି ଦଳର ସ୍କୋରକୁ ୨୦୦ ପହଞ୍ଚାଇଥିଲେ।

Also Read: ୧୫ ବଲରେ ହାଫ୍ ସେଞ୍ଚୁରୀ : ଷ୍ଟାଡିୟମରେ ଛକା-ଚଉକା ବର୍ଷା କଲେ ସୂର୍ଯ୍ୟ କୁମାର ଯାଦବ

ଶତକ ଆଡ଼କୁ ଅଗ୍ରସର ହେଉଥିବା ଅବଦୁଲ କାଦିରଙ୍କୁ ଆଉଟ୍ କରି ଏହି ଯୋଡ଼ି ଭାଙ୍ଗିଥିଲେ ଅର୍ଜୁନ ରାଜପୁତ। କାଦିର ଦ୍ରୁତ ବ୍ୟାଟିଂ କରି ୫୪ ବଲରୁ ୩ ଚୌକା ଓ ୮ ଛକା ସହ ୮୦ ରନ ଉଲ୍ଲେଖନୀୟ ଇନିଂସ ଖେଳିଛନ୍ତି। ଏହା ପରେ ଉସ୍ମାନ ଓ ଫରହାନ ୟୁସୁଫ ୪୩ ରନ ଯୋଡ଼ିଥିଲେ। ଉସ୍ମାନ ୧୧୧ ବଲରୁ ୧୧ ଚୌକା ଓ ୩ ଛକା ସହ ୧୦୭ ରନ କରି ପାଭିଲିୟନ ଫେରିଥିଲେ। ଏହି ଯୋଡ଼ି ଭାଙ୍ଗିବା ପରେ ଭାରତୀୟ ବୋଲର ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ଅଧିନାୟକ ୟୁସୁପ ଗୋଟିଏ ପଟେ କ୍ରିଜରେ ଥିଲେ ହେଁ ଅନ୍ୟପଟେ ଓ୍ଵିକେଟ୍ ପତନ ହୋଇଥିଲା। ସେ ୬୩ ରନର ଅଧିନାୟକତ୍ଵ ଇନିଂସ ଖେଳିଥିଲେ। ଶେଷ ଆଡ଼କୁ ୧୯ ବର୍ଷରୁ କମ୍ ପାକିସ୍ତାନ ଦଳ ବ୍ୟାଟିଂ ବିପର୍ଯ୍ୟୟ ଭୋଗିବାରୁ ଦଳ ୪୦୦ ରନ ପହଞ୍ଚି ପାରିନି। ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ଦଳ ୩୩୭ ରନ କରିଛି। ଭାରତ ପକ୍ଷରୁ ବୋଲିଂରେ କାବ୍ୟା ପଟେଲ୍ ୬୮ ରନ ଦେଇ ୪ ଓ୍ଵିକେଟ୍ ଏବଂ ଚିଗୁରୁପତି ଭେଙ୍କଟ ୪୦ ବିନିମୟରେ ୩ ଓ୍ଵିକେଟ୍ ନେଇଛନ୍ତି।