ଭୁବନେଶ୍ବର ୧୪।୧୧: ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ସ୍ଲୋଗାନରେ ଭୁବନେଶ୍ୱରରେ ବିଜେପି ପକ୍ଷରୁ ଆୟୋଜିତ ହୋଇଛି ବିଶାଳ ପଦଯାତ୍ରା । ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ବାଣୀବିହାର ଛକ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ଦଳର ଜାତୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସୁଧାଂଶୁ ତ୍ରିବେଦୀଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ ।

ପଦଯାତ୍ରା ଅବସରରେ ବିଜେପି ନେତାମାନେ ଗଣତନ୍ତ୍ର, ନିର୍ବାଚନୀ ପ୍ରକ୍ରିୟା ଓ ଦେଶର ରାଜନୈତିକ ପରିସ୍ଥିତିକୁ ନେଇ ନିଜ ନିଜର ମତ ରଖିଥିଲେ । ବିଶେଷକରି ଭୋଟର ତାଲିକାର ସ୍ୱଚ୍ଛତା ଓ ନିର୍ବାଚନୀ ପ୍ରକ୍ରିୟାକୁ ନେଇ ବିରୋଧୀଙ୍କ ଅଭିଯୋଗ ଉପରେ ପ୍ରଶ୍ନ ଉଠାଇଥିଲେ ବିଜେପି ନେତା । ଯେଉଁ ରାଜ୍ୟରେ ବିଜେପି କ୍ଷମତାରେ ନାହିଁ, ସେଠାରେ ନିର୍ବାଚନକୁ ନେଇ ସମାନ ପ୍ରଶ୍ନ କାହିଁକି ଉଠୁନାହିଁ ବୋଲି ସେମାନେ ପ୍ରଶ୍ନ କରିଥିଲେ । ଏହାସହ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଙ୍କୁ ଟାର୍ଗେଟ୍ କରି ବିଜେପି ନେତାମାନେ କହିଥିଲେ, ନିର୍ବାଚନରେ ପରାଜୟ ପରେ ବିରୋଧୀ ଦଳ ଭୋଟ ଚୋରି ଓ ଗଣତନ୍ତ୍ର ବିପଦରେ ଥିବା ଭଳି ଅଭିଯୋଗ ଆଣୁଛନ୍ତି ।

Also Read:- ପୁରୀରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା, ସବୁ ସଂସ୍ଥାରେ POSH କମିଟି ବାଧ୍ୟତାମୂଳକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ, ଦେଶର ବିକାଶ ଓ ଯୁବପିଢ଼ିଙ୍କ ଭୂମିକା ଉପରେ ମଧ୍ୟ ନେତାମାନେ ଗୁରୁତ୍ୱ ଦେଇଥିଲେ । ପଦଯାତ୍ରା ମାଧ୍ୟମରେ ଦଳ ଗଣତନ୍ତ୍ରର ସୁରକ୍ଷା ଓ ରାଜନୈତିକ ସଚେତନତାର ବାର୍ତ୍ତା ଦେଇଥିବା କହିଛି ବିଜେପି ।