ନୂଆଦିଲ୍ଲୀ: ସଂପ୍ରତି ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ଗାନ୍ଧୀ ପରିବାର। ଗୋଟିଏ ପଟେ ସୋନିଆ ଗାନ୍ଧୀଙ୍କ ପୁସ୍ତକଙ୍କୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଏବେ ଆଉ ଗୋଟିଏ ପ୍ରସଙ୍ଗର ଏଣ୍ଟ୍ରି ହୋଇଛି। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ବ୍ୟକ୍ତିଗତ ଚିଠିକୁ ନେଇ ପୁଣି ଆରମ୍ଭ ହୋଇଛି ରାଜନୈତିକ ବିବାଦ। ନେହେରୁଙ୍କ ଦ୍ଵାରା ଲେଖାଯାଇଥିବା ୫୧ଟି କାର୍ଟନ୍‌ରେ ଥିବା ଚିଠିକୁ ଫେରାଇ ଆଣିବାକୁ ଦାବି କରିଛି ବିଜେପି । ଏହି ଚିଠିଗୁଡ଼ିକ ମଧ୍ୟରେ ବ୍ରିଟିଶ ଭାରତର ଶେଷ ଭାଇସରୟ ଲର୍ଡ ମାଉଣ୍ଟବ୍ୟାଟେନଙ୍କ ପତ୍ନୀ ଏଡୱିନା ମାଉଣ୍ଟବ୍ୟାଟେନଙ୍କୁ ଲେଖାଯାଇଥିବା ଚିଠି ମଧ୍ୟ ରହିଥିବା କୁହାଯାଉଛି।

ବିଜେପିର ଜାତୀୟ ମୁଖପାତ୍ର ସିଆର୍ କେଶବନ୍ ନେହେରୁଙ୍କ ଜନ୍ମବାର୍ଷିକୀ ଅବସରରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ସେ କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କୁ ଏହି ଚିଠିଗୁଡ଼ିକ ଫେରାଇବାକୁ ଅନୁରୋଧ କରିଛନ୍ତି। ଏହି ଦସ୍ତାବିଜଗୁଡ଼ିକ କୌଣସି ବ୍ୟକ୍ତିବିଶେଷଙ୍କ ବ୍ୟକ୍ତିଗତ ସମ୍ପତ୍ତି ନୁହେଁ, ବରଂ ଦେଶର ଐତିହାସିକ ଦସ୍ତାବିଜ ବୋଲି ସେ ଯୁକ୍ତି ରଖିଛନ୍ତି।

କେଶବନ୍ ଏକ୍ସରେ ପୋଷ୍ଟ କରି କହିଛନ୍ତି, ରାହୁଲ ଗାନ୍ଧୀ ବାରମ୍ବାର 'ଡରୋ ମତ୍' ଅର୍ଥାତ୍ ଡର ନାହିଁ ବୋଲି କହୁଛନ୍ତି। ତେବେ ନେହେରୁଙ୍କ ୫୧ଟି କାର୍ଟନ୍‌ରେ ଥିବା ଚିଠିକୁ ଦେଶର ମ୍ୟୁଜିୟମ୍‌କୁ ଫେରାଇବାକୁ ସେ ସାହସ ଦେଖାଇବେ କି ବୋଲି ପ୍ରଶ୍ନ କରିଛନ୍ତି। ଏହି ଚିଠିଗୁଡ଼ିକୁ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଓ ପାଠାଗାର (PMML)କୁ ଫେରାଇବାକୁ ସେ ଦାବି କରିଛନ୍ତି।

 

୧୯୭୧ରେ ଦାନ, ୨୦୦୮ରେ ଫେରାଇ ନେଇଥିଲେ ସୋନିଆ !

ରିପୋର୍ଟ ଅନୁସାରେ, ୧୯୭୧ ମସିହାରେ ନେହରୁଙ୍କ ଏହି ଚିଠିପତ୍ର ନେହରୁ ମେମୋରିଆଲ୍ ମ୍ୟୁଜିୟମ୍ ଆଣ୍ଡ ଲାଇବ୍ରେରୀକୁ ଦାନ କରାଯାଇଥିଲା। କିନ୍ତୁ ୨୦୦୮ ମସିହା ମେ' ମାସରେ ସୋନିଆ ଗାନ୍ଧୀ ଏହି ଦସ୍ତାବିଜଗୁଡ଼ିକୁ ଫେରାଇ ନେଇଥିବା ବିଜେପି ଅଭିଯୋଗ କରିଛି।

ଏହି ପ୍ରସଙ୍ଗରେ ୨୦୦୮ ଏପ୍ରିଲ ୨୯ ତାରିଖର ଏକ ଚିଠିକୁ ମଧ୍ୟ ସଂସ୍କୃତି ମନ୍ତ୍ରଣାଳୟ ଉଲ୍ଲେଖ କରିଛି। ସୋନିଆ ଗାନ୍ଧୀଙ୍କ ପ୍ରତିନିଧି ଏମ୍.ଭି. ରାଜନ୍ ଏହି ଚିଠି ଲେଖି ନେହରୁଙ୍କ ବ୍ୟକ୍ତିଗତ ପାରିବାରିକ ଚିଠି ଓ ଟିପ୍ପଣୀ ଫେରାଇ ନେବାକୁ ଇଚ୍ଛା ପ୍ରକାଶ କରିଥିବା ମନ୍ତ୍ରଣାଳୟ କହିଛି। ଏହାପରେ ୫୧ଟି କାର୍ଟନ୍‌ରେ ଥିବା ନେହରୁଙ୍କ ଦସ୍ତାବିଜ ସୋନିଆଙ୍କୁ ହସ୍ତାନ୍ତର କରାଯାଇଥିଲା।

୨୦୨୪ରୁ ଚିଠି ଫେରାଇବାକୁ ଦାବି

ଏହି ବିବାଦ ଏବେ ନୁହେଁ। ୨୦୨୪ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଓ ପାଠାଗାର ସୋସାଇଟିର ସଦସ୍ୟ ରିଜଓ୍ଵାନ କାଦ୍ରି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ୫୧ଟି କାର୍ଟନ୍ ଫେରାଇବାକୁ ଅନୁରୋଧ କରିଥିଲେ। ଯଦି ଚିଠିଗୁଡ଼ିକ ଫେରାଇବା ସମ୍ଭବ ନୁହେଁ, ତେବେ ସେ ଗୁଡ଼ିକୁ ଡିଜିଟାଲ୍ ମାଧ୍ୟମରେ ସଂରକ୍ଷଣ କରି ଗବେଷଣା ପାଇଁ ନକଲ ଉପଲବ୍ଧ କରାଇବାକୁ ମଧ୍ୟ ସେ ପ୍ରସ୍ତାବ ଦେଇଥିଲେ।

ଏହି ଚିଠିପତ୍ର ମଧ୍ୟରେ ଏଡୱିନା ମାଉଣ୍ଟବ୍ୟାଟେନଙ୍କ ସହ ନେହେରୁଙ୍କ ଚିଠି ଆଦାନପ୍ରଦାନ ବ୍ୟତୀତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୋବିନ୍ଦ ବଲ୍ଲଭ ପନ୍ତ ଏବଂ ସମାଜବାଦୀ ନେତା ଜୟପ୍ରକାଶ ନାରାୟଣଙ୍କ ସହ ହୋଇଥିବା ଚିଠି ବିନିମୟ ମଧ୍ୟ ରହିଛି। ୨୦୨୫ରେ ରିଜଓ୍ଵାନ କାଦ୍ରି ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଏହି ଦସ୍ତାବିଜ ଫେରସ୍ତ ପାଇଁ ଅନୁରୋଧ କରିଥିଲେ।

ସରକାର କହିଲେ, ଦସ୍ତାବିଜ ହଜିନାହିଁ

ଅନ୍ୟପଟେ, ୨୦୨୫ ଡିସେମ୍ବରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଏହି ମାମଲାରେ ସ୍ପଷ୍ଟୀକରଣ ଦେଇଥିଲା। ନେହେରୁଙ୍କ କୌଣସି ଦସ୍ତାବିଜ ହଜିଯାଇନାହିଁ ବୋଲି ମନ୍ତ୍ରଣାଳୟ କହିଥିଲା। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ମଧ୍ୟ PMMLରୁ ନେହେରୁଙ୍କ ସମ୍ପର୍କିତ କୌଣସି ଦସ୍ତାବିଜ ନିଖୋଜ ହୋଇନଥିବା 
କହିଥିଲେ।

ସରକାରଙ୍କ କହିବା ଅନୁସାରେ, ଏହି ଦସ୍ତାବିଜଗୁଡ଼ିକ କେଉଁଠି ଅଛି ତାହା ଜଣାଅଛି। ସେଗୁଡ଼ିକ ୨୦୦୮ରେ ସୋନିଆ ଗାନ୍ଧୀଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହାକୁ ଫେରାଇ ଆଣିବା ପାଇଁ ୨୦୨୫ ଜାନୁଆରୀ ୨୮ ଏବଂ ଜୁଲାଇ ୩ ତାରିଖରେ ମଧ୍ୟ ସୋନିଆଙ୍କ କାର୍ଯ୍ୟାଳୟକୁ ଚିଠି ଲେଖାଯାଇଥିବା ମନ୍ତ୍ରଣାଳୟ କହିଥିଲା।

ନେହେରୁଙ୍କୁ ମନେ ପକାଇଲେ ରାହୁଲ, ପ୍ରିୟଙ୍କା

ଏହି ବିବାଦ ମଧ୍ୟରେ ନେହେରୁଙ୍କ ଜନ୍ମବାର୍ଷିକୀରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାହୁଲ ନେହେରୁଙ୍କୁ ଭାରତର ରତ୍ନ ବୋଲି କହିବା ସହ ଆଧୁନିକ, ବୈଜ୍ଞାନିକ ଓ ପ୍ରଗତିଶୀଳ ଭାରତ ଗଠନରେ ତାଙ୍କ ଦୃଷ୍ଟିକୋଣ ଆଜି ବି ପ୍ରେରଣା ଦେଉଛି ବୋଲି କହିଛନ୍ତି।

ସେହିପରି ପ୍ରିୟଙ୍କା ଗାନ୍ଧୀ ନେହରୁଙ୍କୁ ଜଣେ ବିପ୍ଳବୀ, ଦୂରଦର୍ଶୀ ଓ ରାଷ୍ଟ୍ର ନିର୍ମାତା ଭାବେ ବର୍ଣ୍ଣନା କରିଛନ୍ତି। ନେହେରୁଙ୍କ ମୃତ୍ୟୁର ଛଅ ଦଶନ୍ଧିରୁ ଅଧିକ ସମୟ ପରେ ମଧ୍ୟ ତାଙ୍କୁ ସମାଲୋଚନା କରାଯାଉଥିବା କଥା ତାଙ୍କ ସାମ୍ବିଧାନିକ ଓ ଗଣତାନ୍ତ୍ରିକ ଚିନ୍ତାଧାରାର ଗୁରୁତ୍ୱକୁ ଦର୍ଶାଉଛି ବୋଲି ସେ କହିଛନ୍ତି।