ପୁରୀ ୨୪।୭: ରଥରେ ଚଢ଼ିଗଲେ ଅଣ ସେବାୟତ । ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନଜରରୁ ବର୍ତ୍ତିପାରିଲେନି । ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାରରେ ଶ୍ରୀଜିଉମାନଙ୍କ ଆଗମନକୁ ଅପେକ୍ଷା କରି ରହିଥିଲେ ତିନି ରଥ ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ । ଅପେକ୍ଷା ଥିଲା ମହାପ୍ରଭୁଙ୍କ ପହଣ୍ଡି ବିଜେକୁ । ଠିକ୍‌ ଏହି ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପାଖରେ ହଠାତ୍‌ ନଜର ଆସିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ନନ୍ଦିଘୋଷ ରଥର ଚାରମାଳ ଉପରକୁ ଚଢ଼ିଥିଲେ । ସେତେବେଳକୁ ରଥ ଉପରେ କିଛି ସେବାୟତ ବସିଥାନ୍ତି । ଆଉ ରଥ ଉପରେ କିଛି ସ୍ପେଶାଲ ଜେଟିପି ମଧ୍ୟ ଉପସ୍ଥିତ ଥା’ନ୍ତି । ରଥର ଚାରମାଳ ଉପରେ ଠିଆ ହୋଇ ସ୍ପେଶାଲ ଜେଟିପିଙ୍କୁ କିଛି ଇଶାରା କରିଥିଲେ ମୁଖ୍ୟ ପ୍ରଶାସକ । ମୁଖ୍ୟ ପ୍ରଶାସକଙ୍କ ଇଶାରାରେ ତିନି ତିନି ଜଣ ଜେଟିପି ସାଙ୍ଗେ ସାଙ୍ଗେ ରଥର ସମ୍ମୁଖ ଭାଗକୁ ଚାଲି ଆସିଥିଲେ । ସେମାନଙ୍କୁ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କ’ଣ କହିଲେ ତାହା ତ ଜଣାପଡ଼ିନଥିଲା । ହେଲେ ତୁରନ୍ତ ରଥର ପଛ ପାଖକୁ ଖେଦି ଯାଇଥିଲେ ପୋଲିସ କର୍ମଚାରୀମାନେ । ଏହି ସମୟରେ କାହାକୁ ହାତ ଠାରି ତଳକୁ ଆସିବାକୁ ଇଶାରା ଦେଉଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେତେବେଳେ ମୁଖ୍ୟ ପ୍ରଶାସକଙ୍କ ମୁହଁରେ ବିରକ୍ତିଭାବ ବେଶ୍‌ ବାରି ହୋଇପଡ଼ୁଥିଲା ।

ହଠାତ୍‌ ଜଣେ ଅଣସେବାୟତଙ୍କୁ ଧରି ରଥର ଚାରମାଳ ଉପରକୁ ଆଣିଥିଲେ ପୋଲିସ କର୍ମୀମାନେ । ହଳଦିଆ ରଙ୍ଗର ମଠାପାଟ ପିନ୍ଧି ବେକରେ ତୁଳସୀମାଳ ପକାଇ ପୂରା ସେବାୟତଙ୍କ ଭଳି ଦେଖାଯାଉଥିଲେ ସମ୍ପୃକ୍ତ ବ୍ୟକ୍ତି ଜଣକ । ଗଳାରେ ତାଙ୍କର କୌଣସି ଏକ କାର୍ଡ଼ ମଧ୍ୟ ଝୁଲୁଥିବାରୁ ଦେଖିବାକୁ ମିଳିଥିଲା । ସେହିଭଳି ଆଉ ଜଣେ ଅଣ ସେବାୟତଙ୍କୁ ବି ରଥ ଉପରୁ ଧରି ଆଣିଥିଲେ ପୋଲିସ କର୍ମୀମାନେ । ଚାରମାଳ ଉପରୁ ସମ୍ପୃକ୍ତ ଅଣ ସେବାୟତଙ୍କୁ ଧରି ତଳକୁ ଓହ୍ଲାଇ ଆଣିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସଂପୃକ୍ତ ବ୍ୟକ୍ତିଙ୍କ ବେକରେ ମଧ୍ୟ ଗୋଟିଏ କାର୍ଡ଼ ଝୁଲୁଥିଲା । ଆଉ ସେ ମୁଖ୍ୟ ପ୍ରଶାସକଙ୍କ ସହ କିଛି ଯୁକ୍ତିତର୍କ କରୁଥିବାର ମଧ୍ୟ ଦେଖିବାକୁ ମଳିଥିଲା । ହେଲେ ତାଙ୍କର କିଛି କଥାକୁ ଶୁଣିନଥିଲେ ମୁଖ୍ୟ ପ୍ରଶାସକ । ସିଧା ରଥରୁ ଓହ୍ଲାଇ ଆଣି ପୋଲିସ ଜିମା ଦେଇଥିଲେ । ଦୁଇ ଅଣ ସେବାୟତଙ୍କୁ ରଥ ପାଖରୁ ନେଇ ଯାଇଥିଲେ ପୋଲିସ କର୍ମୀ ।

Also Read:- ନବଦିନାତ୍ମକ ଘୋଷଯାତ୍ରା ସାରି ଶ୍ରୀମନ୍ଦିର ଅଭିମୁଖେ ଚତୁର୍ଦ୍ଧାମୂର୍ତ୍ତି, ଶନିବାର ଦୁର୍ଲଭ ସୁନାବେଶରେ ଦେବେ ଦର୍ଶନ

ତେବେ ରଥ ଉପରୁ ଧରାପଡ଼ିଥିବା ଏହି ଦୁଇ ଜଣ ଅଣ ସେବାୟତ କିଏ ଏବଂ କିଏ ସେମାନଙ୍କୁ ରଥ ଉପରେ ଚଢ଼ାଇଥିଲେ ସେକଥା ଜଣାପଡ଼ିନଥିଲେ ମଧ୍ୟ ରଥ ଉପରେ ବସିଥିବା ଅନ୍ୟ ସେବାୟତଙ୍କ ଭିତରେ କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳିନଥିଲା । କୌଣସି ସୂତ୍ରରୁ ଖବର ପାଇ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ନିଜେ ରଥ ପାଖକୁ ଆସିଥିଲେ । ଆଉ ଦୁଇ ଦୁଇ ଜଣ ଅଣ ସେବାୟତଙ୍କୁ ରଥ ଉପରୁ ଓହ୍ଲାଇ ଦେବାର ଦୃଶ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ପୂର୍ବ ବର୍ଷ ଗୁଡ଼ିକରେ ମଧ୍ୟ ରଥ ଉପରେ ମୋବାଇଲ୍‌ ଫୋନ୍‌ ବାରଣ ଥିବା ବେଳେ କିଛି ସେବାୟତଙ୍କୁ ମୋବାଇଲ୍‌ ଫୋନ୍‌ ସହ ଧରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦୀର୍ଘ ସମୟ ଧରି ଦାୟିତ୍ବ ନିଭାଇଥିବା ଅଭିଜ୍ଞ ଅଧିକାରୀ ଅରବିନ୍ଦ ପାଢ଼ୀ ସବୁବେଳେ ବିଶୃଙ୍ଖଳାକାରୀଙ୍କ ଉପରେ ନଜର ରଖିଥାନ୍ତି । ରଥ ଉପରେ ହେଉ କି ଶ୍ରୀମନ୍ଦିରରେ ହେଉ କୌଣସି ପ୍ରକାର ବିଶୃଙ୍ଖଳାକୁ ପ୍ରଶ୍ରୟ ଦିଅନ୍ତି ନାହିଁ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଆଜି ପୁଣି ଥରେ ରଥ ଉପରୁ ଦୁଇ ଜଣ ଅଣ ସେବାୟତଙ୍କୁ ଚିହ୍ନି ସେମାନଙ୍କୁ ରଥରୁ ଓହ୍ଲାଇଦେବା ତାଙ୍କର ଦକ୍ଷ କାର୍ଯ୍ୟଶୈଳୀକୁ ପ୍ରମାଣିତ କରିଛି ।