ପୁରୀ ୨୪।୭: ନବଦିନାତ୍ମକ ଘୋଷଯାତ୍ରା ସାରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି ମହାବାହୁ । ଲକ୍ଷାଧିକ ଭକ୍ତଙ୍କ ଗହଳି ସହିତ ହରିବୋଲ ହୁଳହୁଳି ଧ୍ବନିରେ ପ୍ରକମ୍ପିତ ହୋଇଥିଲା ଶରଧାବାଲି । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ଦେଢ଼ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ପହଣ୍ଡି । ଗଜପତି ମହାରାଜାଙ୍କ ଶ୍ରୀନଅର ସମ୍ମୁଖରେ ଲକ୍ଷ୍ମୀନାରାୟଣ ଭେଟ ଅନୁଷ୍ଠିତ ହେବାର ପରମ୍ପରା ରହିଛି । ସେପଟେ ଶନିବାର ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ।

ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କର ସେନାପଟା ଲାଗି ପରେ ୮ ଟା ୨୫ ରେ ମଙ୍ଗଳ ଆଳତି, ମଇଲମ, ରୋଷ ହୋମ, ତଡପ ଲାଗି, ଅବକାଶ ପୂଜା, ବେଶ ଶେଷ, ସୂର୍ଯ୍ୟପୂଜା ସମ୍ପନ୍ନ ହେବା ପରେ ଗୋପାଳ ବଲ୍ଳଭ ଓ ସକାଳ ଧୂପ ଖେଚୁଡ଼ି ଭୋଗ ଖାଇ ମହାପ୍ରଭୁଙ୍କ ଧାଡ଼ି ପହଣ୍ଡି ଆରମ୍ଭ ହୋଇଥିଲ । ପ୍ରଥମେ ଚକ୍ରରାଜ ସୁଦର୍ଶନ, ପଛକୁ ପଛ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସୁସଜ୍ଜିତ ଟାହିଆ ପରିଧାନ କରି ରଥାରୂଢ଼ ହୋଇଥିଲେ। ପରେ ରାମକୃଷ୍ଣ , ମଦନମୋହନ ରଥାରୂଢ଼ ହେବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କରିଥିଲେ।

Also Read:- ନେଉଥିଲେ ୫ ହଜାର ୫ ଶହ ଲାଞ୍ଚ, ସହକାରୀ ରାଜସ୍ୱ ନିରୀକ୍ଷକଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ଗଜପତି ମହାରାଜାଙ୍କ ଛେରାପହଁରା ପରେ ଚାରମାଳ ଖୋଲାଯାଇ ଘୋଡା ଯୋଚା ଯାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ରଥଟଣା। ପ୍ରଥମେ ଗଡିଥିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ। ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ଅଭିମୁଖେ ଗଡିଥିଲା ।

ଅନ୍ୟପଟେ ମହାପ୍ରଭୁ ଆଜି ବାହୁଡ଼ି ଆସିବାରୁ ଏବେ ଝୁରୁଛି ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପ ସହ ଶରଧାବାଲି । ଗତ ନଅ ଦିନ ଧରି ମହାପ୍ରଭୁଙ୍କୁ ପାଇଁ ଆଡ଼ପ ମଣ୍ଡପ ନିଜକୁ ଧନ୍ୟ ମନେ କରୁଥିବା ବେଳେ ଶରଧାବାଲି ଅଞ୍ଚଳ ଏବେ ମହାପ୍ରଭୁଙ୍କ ଅନୁପସ୍ଥିତିରେ ନିରବ ପଡିଯାଇଛି ।

ଚଳିତବର୍ଷ ବାହୁଡ଼ା ଯାତ୍ରାରେ ପହଣ୍ଡି ଶୀଘ୍ର ଆରମ୍ଭ ହୋଇଥିଲେ ମଧ୍ୟ ପହଣ୍ଡି ଶେଷ ବେଳକୁ ବିଳମ୍ବ ହୋଇଥିଲା। ଏମିତି ଅନୁଭବ ହେଉଥିଲା ସତେ ଯେମିତି ମହାପ୍ରଭୁ ନିଜ ଜନ୍ମବେଦୀ ଛାଡ଼ି ଯିବା ପାଇଁ ମନେ କରୁନଥିଲେ। ସେପଟେ ମହାପ୍ରଭୁଙ୍କ ପବିତ୍ର ବାହୁଡା଼ ଯାତ୍ରା ଅବସରରେ ଭକ୍ତ ଓ ମହାପ୍ରଭୁଙ୍କ ମିଳନ ହୋଇଥିଲା। ଶନିବାର ମହାପ୍ରଭୁଙ୍କ ହରିଶୟନ ଏକାଦଶୀ ନୀତି। ତିନିରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ସ୍ଵତନ୍ତ୍ର ଟ୍ରାଫିକ ପରିଚାଳନା ବ୍ୟବସ୍ଥା ମଧ୍ୟ ହୋଇଛି ।