ନୂଆଦିଲ୍ଲୀ, ୨୮/୧୦ : ଇସ୍ରାଏଲରେ ସରିଛି ନିର୍ବାଚନ । କିଏ ନୂଆ ପ୍ରଧାନମନ୍ତ୍ରୀ ହେବେ ସେନେଇ କସରତ ଆରମ୍ଭ ହୋଇଯାଇଛି । କେହି କେହି କହୁଛନ୍ତି ବେଞ୍ଜାମିନ ନେତନ୍ୟାହୁ ପୁଣି ଥରେ ସରକାର ଗଠନ କରିବେ । ଆଉ କିଏ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ପୂର୍ବତନ ସେନାମୁଖ୍ୟ ଗଦି ଏସେନକଟ୍ ସରକାରକୁ ଆସିବେ ବୋଲି ମତ ଦେଉଛନ୍ତି । ଏହାରି ଭିତରେ ଏକଜିଟ୍ ପୋଲ୍ ସର୍ଭେ ଆସିଛି ।

ସର୍ଭେରେ ଜଣା ପଡିଛି ଯେ, ଉଭୟ ନେତାଙ୍କ ମଧ୍ୟରେ କଡା ମୁକାବିଲା ହେଉଛି । କିନ୍ତୁ ନେତନ୍ୟାହୁଙ୍କ ଦଳ ନିର୍ବାଚନରେ ସବୁଠୁ ବେଶି ସିଟ୍ ପାଇବ । ହେଲେ ମ୍ୟାଜିକ୍ ନମ୍ବର ଛୁଇଁ ପାରିବ ନାହିଁ । ଏକକ ସଂଖ୍ୟା ଗରିଷ୍ଠତା ହାସଲ କଲେ ମଧ୍ୟ ଦଳ ବହୁମତ ହାସଲ କରିପାରିବ ନାହିଁ ।

Also Read :- ବଜାରରେ ଡ୍ରୋନ୍ ଆକ୍ରମଣ : ୧୦୦ରୁ ଅଧିକ ସୁଦାନ ନାଗରିକ ମୃତ, ଅନେକ ଗୁରୁତର

ଆହୁରି ମଧ୍ୟ ଜଣା ପଡିଛି ଯେ, ନେତନ୍ୟାହୁଙ୍କ ଲିକୁଡ୍ ପାର୍ଟି ପ୍ରଥମ ଲକ୍ଷେ ବାଲଟରୁ ୨୭ ପ୍ରତିଶତ ଭୋଟ୍ ପାଇବ । କିନ୍ତୁ ଏସେନକଟଙ୍କ ଦଳ 17 ପ୍ରତିଶତ ଭୋଟ୍ ପାଇବା ନେଇ ଅନୁମାନ କରାଯାଉଛି । ଏନେଇ ଇସ୍ରାଏଲର ସେଣ୍ଟ୍ରାଲ୍ ଇଲେକ୍ସନ୍ କମିଟି ମଧ୍ୟ ତଥ୍ୟ ପ୍ରଦାନ କରିଛି । ସେହିପରି କାନ୍ ୧୧ ଏବଂ ଚ୍ୟାନେଲ୍ ୧୩ର ଏକଜିଟ୍ ପୋଲ ଅନୁସାରେ ଉଭୟ ଦଳ ୫୧ ଲେଖାଏଁ ଆସନ ପାଇବେ । ଅନ୍ୟ ଦିଗରେ ଆରବ ପାର୍ଟିଙ୍କୁ ୧୮ଟି ସିଟ୍ ମିଳିବ । ଫଳରେ ସେଠାରେ ଝୁଲା ସରକାର ଗଠନ ହୋଇପାରେ । ଅର୍ଥାତ କେହି ହେଲେ ପୂର୍ଣ୍ଣ ବହୁମତ ପାଇବେ ନାହିଁ ।

ନିର୍ବାଚନ ବେଳେ ନେତନ୍ୟାହୁଙ୍କ ପ୍ରତି ଭୋଟରମାନେ ବିମୁଖ ଥିବା ଦେଖିବାକୁ ମିଳିଥିଲା । ଦୀର୍ଘଦିନ ଧରି ଜାରି ରହିଥିବା ଯୁଦ୍ଧ ନେତନ୍ୟାହୁଙ୍କ ଛବି ମଳୀନ କରିଛି । ତାଙ୍କୁ ଦେଶବାସୀ ପସନ୍ଦ କରୁ ନାହାଁନ୍ତି । ତେଣୁ ସେ ଶୋଚନୀୟ ଭାବେ ପରାସ୍ତ ହେବେ ବୋଲି କୁହାଯାଉଥିଲା । ହେଲେ ତାଙ୍କ ଦଳ ୨୭ଟି ସିଟ୍ ପାଇପାରେ । ତାଙ୍କ ନେତୃତ୍ୱରେ ଗଠିତ ମେଣ୍ଟକୁ ୫୧ ଆସନ ମିଳିପାରେ ।

ତେବେ ଆସନ୍ତା ୪୮ ଘଣ୍ଟାରେ ଫାଇନାଲ୍ ରେଜଲ୍ଟ ଆସିଯିବ । କିନ୍ତୁ ଯଦି ଉଭୟ ମେଣ୍ଟ ସମାନ ସିଟ୍ ଜିତନ୍ତି ତେବେ ସରକାର ଗଠନ ପାଇଁ ମାସ ମାସ ସମୟ ଲାଗିପାରେ । ଏପରିକି ପୁଣି ଥରେ ନିର୍ବାଚନ ମଧ୍ୟ ହେବାର ଆଶଙ୍କା ରହିଛି ।