ନୂଆଦିଲ୍ଲୀ: ନିଟ୍ ପିଜି (NEET PG 2026) ପରୀକ୍ଷା ଦେଇ କାଉନସେଲିଂକୁ ଅପେକ୍ଷା କରି ରହିଥିବା ମେଡିକାଲ୍ ଆଶାୟୀଙ୍କ ପାଇଁ ଏକ ବଡ଼ ଏବଂ ଖୁସିର ଖବର ସାମ୍ନାକୁ ଆସିଛି। ମେଡିକାଲ୍ ପାଠ୍ୟକ୍ରମରେ ବଢିଲା ସିଟ୍ ସଂଖ୍ୟା। ଜାତୀୟ ମେଡିକାଲ୍ କମିଶନ (NMC) ଏବଂ ମେଡିକାଲ୍ କାଉନସେଲିଂ କମିଟି (MCC) ପକ୍ଷରୁ ନିଟ୍ ପିଜି ୨୦୨୬ ପାଇଁ ସିଟ୍ ମ୍ୟାଟ୍ରିକ୍ସ ଜାରି କରାଯାଇଛି। ନୂତନ ତଥ୍ୟ ଅନୁଯାୟୀ, ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଏମଡି, ଏମଏସ ଏବଂ ଅନ୍ୟାନ୍ୟ ପିଜି ମେଡିକାଲ୍ ପ୍ରୋଗ୍ରାମରେ ସିଟ୍ ସଂଖ୍ୟା ବୃଦ୍ଧି ପାଇ ପ୍ରାୟ ୫୮,୦୦୦କୁ ପହଞ୍ଚିଛି। ଗତ ବର୍ଷ ଏହି ସଂଖ୍ୟା ୫୨,୧୭୩ ଥିଲା, ଯାହାକି ଚଳିତ ବର୍ଷ ପ୍ରାୟ ୧୧ ପ୍ରତିଶତ ବୃଦ୍ଧି ପାଇଛି।

ଘରୋଇ ଓ ଡିଡ୍ କଲେଜରେ ସବୁଠାରୁ ଅଧିକ ବୃଦ୍ଧି

ମେଡିକାଲ୍ କଲେଜଗୁଡ଼ିକରେ ଏହି ସିଟ୍ ବୃଦ୍ଧି କେବଳ ସରକାରୀ ସ୍ତରରେ ନୁହେଁ, ବରଂ ବେସରକାରୀ ଏବଂ ଡିମ୍ଡ ମେଡିକାଲ୍ ପ୍ରତିଷ୍ଠାନଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳିଛି। ସବୁଠାରୁ ବଡ଼ କଥା ହେଲା, ବେସରକାରୀ ଏବଂ ଡିମ୍ଡ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସିଟ୍ ସଂଖ୍ୟା ପ୍ରାୟ ୩୨ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ସରକାରୀ ମେଡିକାଲ୍ କଲେଜଗୁଡ଼ିକରେ ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ହୋଇଛି।

Also Read: ସାରା ଦେଶରେ ବ୍ୟାନ ହେବନି ବାଣଫୁଟା, ସୁପ୍ରିମକୋର୍ଟ କହିଲେ- ଦୀପାବଳି ଲୋକଙ୍କ ଭାବନା ସହ ଜଡ଼ିତ

କେଉଁ ବିଭାଗରେ କେତେ ସିଟ୍ ?

ନୂତନ ସିଟ୍ ମ୍ୟାଟ୍ରିକ୍ସ ଅନୁଯାୟୀ ଏନାସ୍ଥେସିଆ, ଅପଥଲ୍ମୋଲୋଜି, ଇଏନଟି, ପାଥୋଲୋଜି, ସାଇକ୍ରିଆଟ୍ରି ଏବଂ ରେସ୍ପିରେଟୋରୀ ମେଡିସିନ୍ ଭଳି ପ୍ରମୁଖ ବିଶେଷଜ୍ଞ କୋର୍ସଗୁଡ଼ିକରେ ସିଟ୍ ସଂଖ୍ୟା ବ୍ୟାପକ ଭାବେ ସମ୍ପ୍ରସାରିତ ହୋଇଛି।

ସରକାରୀ ମେଡିକାଲ୍ କଲେଜରେ ଏନାସ୍ଥେସିଓଲୋଜିରେ ୩,୨୦୫ଟି

ଜେନେରାଲ୍ ମେଡିସିନରେ ୩,୨୦୧ଟି

ଜେନେରାଲ୍ ସର୍ଜରୀରେ ୨,୮୦୫ଟି

ଓବିଜି (OBG) ରେ ୨,୬୩୫ଟି

ପିଡାଟ୍ରିକ୍ସରେ ୨,୧୭୬ଟି ଏବଂ ପାଥୋଲୋଜିରେ ୧,୮୩୩ଟି ସିଟ୍ ରହିଛି।

ଏହାବ୍ୟତୀତ ଅର୍ଥୋପେଡିକ୍ସରେ ୧,୬୦୩, ଅପଥଲ୍ମୋଲୋଜିରେ ୧,୨୨୩ ଏବଂ ରାଡିଓ ଡାଏଗ୍ନୋସିସରେ ୧,୧୮୨ଟି ସରକାରୀ ସିଟ୍ ରହିଥିବା ଜଣାପଡ଼ିଛି। 

Also Read: ୨୦୨୭ରୁ ଲାଗୁ ହେବ ‘CAFE-3’ ନିୟମ, ଛୋଟ ପେଟ୍ରୋଲ ଗାଡ଼ି ହେବେ ପ୍ରଭାବିତ

ପରବର୍ତ୍ତୀ ସମୟରେ ଆସିପାରେ ପରିବର୍ତ୍ତନ

ଏନଏମସି ସ୍ପଷ୍ଟ କରିଛି ଯେ ଆବଶ୍ୟକତା ଅନୁଯାୟୀ ଏହି ଜାରି କରାଯାଇଥିବା ସିଟ୍ ମ୍ୟାଟ୍ରିକ୍ସରେ ପରିବର୍ତ୍ତନ କରାଯାଇପାରିବ। ଯେଉଁ କଲେଜଗୁଡ଼ିକରୁ ନୂତନ ପିଜି କୋର୍ସ କିମ୍ବା ଅଧିକ ସିଟ୍ ପାଇଁ ଆବେଦନ କରାଯାଇଛି ଏବଂ ଆଗକୁ ଯେଉଁଗୁଡ଼ିକର ଅନୁମୋଦନ ମିଳିବ, ସେଗୁଡ଼ିକୁ ପରବର୍ତ୍ତୀ ଅପଡେଟ୍ ସିଟ୍ ମ୍ୟାଟ୍ରିକ୍ସରେ ସାମାହିକ କରାଯିବ। କାଉନସେଲିଂ ସମୟରେ ସିଟ୍ ସମ୍ବନ୍ଧୀୟ କୌଣସି ଅସୁବିଧା ଦେଖାଗଲେ ମେଡିକାଲ୍ ଆସେସମେଣ୍ଟ ଆଣ୍ଡ ରେଟିଂ ବୋର୍ଡ (MARB) ନିକଟକୁ ମାମଲା ପଠାଯିବ।

PwBD ପ୍ରାର୍ଥୀଙ୍କ ପାଇଁ ଅକ୍ଟୋବର ୧ରୁ ପ୍ରକ୍ରିୟା ଆରମ୍ଭ

ନିଟ୍ ପିଜି କାଉନସେଲିଂରେ ଦିବ୍ୟାଙ୍ଗ (PwBD) ପ୍ରାର୍ଥୀମାନଙ୍କ ପାଇଁ ରାଉଣ୍ଡ-୧ର ରେଜିଷ୍ଟ୍ରେସନ୍ ପୋର୍ଟାଲ୍ ଅକ୍ଟୋବର ୧, ୨୦୨୬ ତାରିଖରୁ ଖୋଲିବ। ପ୍ରାର୍ଥୀମାନେ ଏମସିସି (MCC) ର ଅଫିସିଆଲ୍ ୱେବସାଇଟ୍ mcc.nic.in ମାଧ୍ୟମରେ ରେଜିଷ୍ଟ୍ରେସନ୍ ଏବଂ ଚଏସ୍ ଫିଲିଂ କରିପାରିବେ। ଏହାଛଡ଼ା ମେଡିକାଲ୍ ଆସେସମେଣ୍ଟ ବୋର୍ଡର ଯାଞ୍ଚ ପ୍ରକ୍ରିୟା ଅକ୍ଟୋବର ୧ରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବ।