ନୂଆଦିଲ୍ଲୀ: ଦେଶରେ ପ୍ରଦୂଷଣ ନିୟନ୍ତ୍ରଣ ଏବଂ ଗାଡ଼ିଗୁଡ଼ିକର ଇନ୍ଧନ ସଞ୍ଚୟ କ୍ଷମତା (Fuel Efficiency) ବଢ଼ାଇବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଗାଡ଼ିଗୁଡ଼ିକରୁ ନିର୍ଗତ କାର୍ବନ ପରିମାଣକୁ ସୀମିତ କରିବା ପାଇଁ ସରକାର ନୂଆ କର୍ପୋରେଟ୍ ଆଭରେଜ୍ ଫ୍ୟୁଏଲ୍ ଇକୋନୋମି (CAFE-3) ନିୟମାବଳୀ ଜାରି କରିଛନ୍ତି । ଏହି ନୂତନ ମାନକ ୨୦୨୭ ଏପ୍ରିଲ ୧ରୁ ୨୦୩୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସାରା ଦେଶରେ ବଳବତ୍ତର ରହିବ ।

ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତରେ ତିଆରି କରାଯାଉଥିବା କିମ୍ବା ବାହାରୁ ଆମଦାନୀ କରାଯାଉଥିବା ସମସ୍ତ ପ୍ରକାରର ହ୍ୟାଚବ୍ୟାକ୍, ସିଡାନ, ୟୁଟିଲିଟି ଏବଂ ମଲ୍ଟି- ପର୍ପଜ୍ କାର୍ ଉପରେ ଏହି ନିୟମ ଲାଗୁ ହେବ । ଆହୁରି ମଧ୍ୟ ଚାଳକଙ୍କୁ ମିଶାଇ ସର୍ବାଧିକ ୮ ଜଣ ବସିବାର କ୍ଷମତା ଥିବା ଗାଡ଼ି ଉପରେ ମଧ୍ୟ ଏହାର ଅନ୍ତର୍ଭୁକ୍ତ ।

ଛୋଟ ପେଟ୍ରୋଲ କାର୍ ମାଲିକ ଓ କମ୍ପାନୀଙ୍କୁ ଝଟକା

ପୂର୍ବରୁ ପ୍ରସ୍ତୁତ ହୋଇଥିବା ପ୍ରାରମ୍ଭିକ ଚିଠା ପ୍ରସ୍ତାବରେ ୯୦୯ କିଲୋଗ୍ରାମରୁ କମ୍ ଓଜନ ବିଶିଷ୍ଟ ଛୋଟ ପେଟ୍ରୋଲ କାରଗୁଡ଼ିକୁ ସାଧାରଣ ଲୋକଙ୍କ ବଜେଟ୍ ଅନୁକୂଳ କରିବା ପାଇଁ କିଛି ସ୍ୱତନ୍ତ୍ର ଛାଡ଼ ଦେବାକୁ ଚିନ୍ତା କରାଯାଇଥିଲା । କିନ୍ତୁ ସରକାର ଜାରି କରିଥିବା ଚୂଡ଼ାନ୍ତ ନିୟମରେ ଏହି ସୁବିଧାକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯାଇଛି । ଅବଶ୍ୟ ଓଜନ ଆଧାରରେ ଗାଡ଼ିଗୁଡ଼ିକର କାର୍ବନ ନିର୍ଗମନ ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛି, ଯେଉଁଥିରେ ହାଲୁକା ଗାଡ଼ି ପାଇଁ କୋହଳ ଏବଂ ଭାରି ଗାଡ଼ି ପାଇଁ ଅଧିକ କଡ଼ା ନିୟମ ରହିବ ।

ପ୍ରତି ବର୍ଷ କମିବ ଇନ୍ଧନ ବ୍ୟବହାର ଲକ୍ଷ୍ୟ

ଆସନ୍ତା ୫ ବର୍ଷ ମଧ୍ୟରେ କାର୍ଗୁଡ଼ିକର ଇନ୍ଧନ ବ୍ୟବହାର ଶୈଳୀରେ ପ୍ରାୟ ୧୬.୭ ପ୍ରତିଶତ ସୁଧାର ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଆର୍ଥିକ ବର୍ଷ ୨୦୨୭-୨୮ ସୁଦ୍ଧା ପ୍ରତି ୧୦୦ କିଲୋମିଟର ପାଇଁ ୩.୯୯୬ ଲିଟର ଇନ୍ଧନ ବ୍ୟବହାରର ସୀମା ଧାର୍ଯ୍ୟ ହୋଇଛି । ସେହିଭଳି ଆର୍ଥିକ ବର୍ଷ ୨୦୩୧-୩୨ ବେଳକୁ ଏହି ସୀମାକୁ ଆହୁରି କଡ଼ା କରାଯାଇ ପ୍ରତି ୧୦୦ କିଲୋମିଟର ପାଇଁ ୩.୩୨୭୩ ଲିଟରକୁ ହ୍ରାସ କରାଯିବ  ।

Also Read: ଇଣ୍ଡିଆନ୍ ଅଏଲ୍‌ର ବଡ଼ ପଦକ୍ଷେପ: ଦେଶର ୪୩ ହଜାର ପେଟ୍ରୋଲ ପମ୍ପରେ ବିକିବ ନିଜସ୍ୱ ବ୍ରାଣ୍ଡର ପ୍ୟାକେଜ୍ଡ ପାଣି

ଇଲେକ୍ଟ୍ରିକ୍ ଓ ହାଇବ୍ରିଡ୍ ଗାଡ଼ିକୁ ମିଳିବ ବଡ଼ ଫାଇଦା

ନୂଆ ନିୟମ ଅନୁଯାୟୀ ପରିବେଶ ଅନୁକୂଳ ଗାଡ଼ି ପ୍ରସ୍ତୁତ କରୁଥିବା କମ୍ପାନୀଗୁଡ଼ିକୁ ପ୍ରୋତ୍ସାହନ ସ୍ୱରୂପ ‘ସୁପର କ୍ରେଡିଟ୍’ ପ୍ରଦାନ କରାଯିବ । ବ୍ୟାଟେରୀ ଚାଳିତ ଇଭି (EV), ପ୍ଲଗ୍-ଇନ୍ ହାଇବ୍ରିଡ୍, ଷ୍ଟ୍ରଙ୍ଗ୍ ହାଇବ୍ରିଡ୍ ଏବଂ ଫ୍ଲେକ୍ସ-ଫ୍ୟୁଏଲ୍ ଗାଡ଼ି ନିର୍ମାଣ କଲେ କମ୍ପାନୀଗୁଡ଼ିକୁ ଅତିରିକ୍ତ ପଏଣ୍ଟ ମିଳିବ । ଏହାଦ୍ୱାରା ଅଟୋମୋବାଇଲ୍ କମ୍ପାନୀଗୁଡ଼ିକ ପାଇଁ ସେମାନଙ୍କର ହାରାହାରି କାର୍ବନ ଉତ୍ସର୍ଜନ ଲକ୍ଷ୍ୟ ପୂରଣ କରିବା ସହଜ ହୋଇଯିବ ।

ନିୟମ ଉଲ୍ଲଘଂନ କଲେ କ’ଣ ହେବ ?

ଯଦି କୌଣସି ଅଟୋମୋବାଇଲ୍ କମ୍ପାନୀ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବାରେ ବିଫଳ ହୁଏ, ତେବେ ସେମାନଙ୍କ ପାଇଁ କ୍ରେଡିଟ୍ କାରବାରର ବିକଳ୍ପ ରଖାଯାଇଛି । ଭଲ ପ୍ରଦର୍ଶନ କରି କ୍ରେଡିଟ୍ ପାଇଥିବା ଅନ୍ୟ କମ୍ପାନୀଗୁଡ଼ିକଠାରୁ ସେମାନେ କ୍ରେଡିଟ୍ କିଣି ନିଜର ବକେୟା ଭରଣା କରିପାରିବେ । ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଉପରେ ‘ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି’ ନଜର ରଖିବ ।

ଏହା ବ୍ୟତୀତ ଗାଡ଼ିରେ ଗରମ ହ୍ରାସ କରିବାକୁ ସ୍ୱତନ୍ତ୍ର ପେଣ୍ଟ, ଉନ୍ନତ ଗ୍ଲାସ୍ ଏବଂ କମ୍ ବିଦ୍ୟୁତ ଖର୍ଚ୍ଚ କରୁଥିବା ଏସି ଭଳି ଆଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାରକୁ ମଧ୍ୟ ଏହି ନିୟମ ଜରିଆରେ ପ୍ରୋତ୍ସାହିତ କରାଯାଉଛି ।