ନୂଆଦିଲ୍ଲୀ: ଦେଶରେ ପାର୍ବଣ ସିଜିନ ସମୟରେ ବାଣ ଫୁଟାକୁ ନେଇ ସୁପ୍ରିମକୋର୍ଟ ଦେଇଛନ୍ତି ବଡ଼ ରାୟ। ସର୍ବୋଚ୍ଚ ନ୍ୟାୟାଳୟ ବୁଧବାର ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ସ୍ପଷ୍ଟ କରିଛନ୍ତି ଯେ, ସମଗ୍ର ଦେଶରେ ବାଣ ଫୁଟା ଉପରେ ସଂପୂର୍ଣ୍ଣ କଟକଣା ଲଗାଇବା ଉଦ୍ଦେଶ୍ୟ ନୁହେଁ। ଦୀପାବଳି ଲୋକଙ୍କ ଭାବନା ସହ ଜଡ଼ିତ ଏବଂ ଏହାକୁ ଅଣଦେଖା କରାଯାଇ ପାରିବ ନାହିଁ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ବାଣ ଫୁଟାଇବା ପାଇଁ ୨୪ ଘଣ୍ଟା ଅନୁମତି ମଧ୍ୟ ଦିଆଯାଇ ପାରିବ ନାହିଁ। ଲଗାତାର ଦୀର୍ଘ ସମୟ ଧରି ବାଣ ଫୁଟାଗଲେ ଅସୁସ୍ଥ ଲୋକ, ବୃଦ୍ଧବୃଦ୍ଧା ଓ ପିଲାଙ୍କ ଉପରେ ଏହାର ପ୍ରଭାବ ପଡ଼ିପାରେ। 

ସ୍ୱାସ୍ଥ୍ୟ ଓ ଉତ୍ସବ ମଧ୍ୟରେ ସନ୍ତୁଳନ

ସୁପ୍ରିମକୋର୍ଟ କହିଛନ୍ତି ଯେ କୋର୍ଟ ବାଣର ପ୍ରକାର ଏବଂ ଏହାକୁ ଫୁଟାଇବାର ସମୟସୀମା ଉପରେ ବିଚାର କରିବେ। ଅଦାଲତର ମୁଖ୍ୟ ଧ୍ୟାନ ଏପରି ଏକ ସନ୍ତୁଳନ ରକ୍ଷା କରିବା ଉପରେ ରହିଛି, ଯାହାଦ୍ୱାରା ଲୋକଙ୍କର ପର୍ବ ପାଳନର ଭାବନା ମଧ୍ୟ ଅକ୍ଷୁର୍ଣ୍ଣ ରହିବ ଏବଂ ସ୍ୱାସ୍ଥ୍ୟଗତ ଚିନ୍ତା ପ୍ରତି ମଧ୍ୟ ଧ୍ୟାନ ଦିଆଯାଇପାରିବ। ଏହି ମାମଲାରେ ସୁପ୍ରିମକୋର୍ଟ ଆସନ୍ତା ଅକ୍ଟୋବର ୧୫ ତାରିଖରେ ପରବର୍ତ୍ତୀ ଶୁଣାଣି କରିବେ।

Also Read: ପାଠପଢା ବେଳେ ଭୁଶୁଡ଼ିଲା ସ୍କୁଲ ସିଢ଼ି, ଜଣେ ଛାତ୍ରୀ ମୃତ; ପିଲାଙ୍କ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

୨୦୧୫ରୁ ଚାଲିଆସୁଛି ମାମଲା

ଦିଲ୍ଲୀ-ଏନସିଆର ଅଞ୍ଚଳରେ ବାଣଫୁଟା ଯୋଗୁଁ ହେଉଥିବା ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟରେ ଏହି ମାମଲା ଶୁଣାଣି ଚାଲିଛି। ଏହି ମାମଲାଟି ୨୦୧୫ ମସିହାରୁ ଚାଲିଆସୁଥିବାବେଳେ, ଅଦାଲତ ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶ ସମେତ ଉତ୍ତର ଭାରତର ପ୍ରଦୂଷଣ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଅକ୍ଟୋବରରୁ ଜାନୁଆରୀ ମଧ୍ୟରେ ପଟାକା ବ୍ୟବହାରକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ନିର୍ଦ୍ଦେଶ ଦେଇଆସୁଛନ୍ତି।