ମହାରାଷ୍ଟ୍ର:ମୁମ୍ବାଇର ଜେଜେ ଏବଂ ଡଙ୍ଗରୀ ଅଞ୍ଚଳରେ ମହରମ ଶୋଭାଯାତ୍ରା ବେଳେ ଏକ ଭୟାନକ ଘଟଣା ସାମ୍ନାକୁ ଆସିଛି। ଶୋଭାଯାତ୍ରାରେ ଯୋଗ ଦେଇଥିବା ଲୋକଙ୍କୁ ଔଷଧ କହି 'ଜିଙ୍କ୍ ଫସଫାଇଡ୍' ଭରା ବିଷାକ୍ତ କ୍ୟାପ୍ସୁଲ୍ ବାଣ୍ଟିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଫୈୟାଜ ପ୍ରେମଜୀକୁ ଗିରଫ କରିଛି।

ମହରମ ଶୋଭାଯାତ୍ରା ଚାଲିଥିବା ସମୟରେ ଫୈୟାଜ ନାମକ ଜଣେ ବ୍ୟକ୍ତି ଲୋକଙ୍କୁ କିଛି କ୍ୟାପ୍ସୁଲ୍ ବାଣ୍ଟିଥିଲେ। ଏହି କ୍ୟାପ୍ସୁଲ୍ ସେବନ କରିବା ପରେ ଜଣେ ବ୍ୟକ୍ତିଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହେବା ସହ ବାନ୍ତି ହୋଇଥିଲା। ଘଟଣାକୁ ନେଇ ସନ୍ଦେହ ହେବାରୁ ସ୍ଥାନୀୟ ଲୋକେ ପୋଲିସକୁ ଜଣାଇଥିଲେ। ପୋଲିସ ତଦନ୍ତ କରି ଫୈୟାଜକୁ ଗିରଫ କରିବା ସହ ତା' ନିକଟରୁ୧୪,୯୦୦ଟି ବିଷାକ୍ତ କ୍ୟାପ୍ସୁଲ୍ ଜବତ କରିଛି। ଅଭିଯୁକ୍ତ ପ୍ରତ୍ୟେକ କ୍ୟାପ୍ସୁଲ୍ରେ ପ୍ରାୟ ୧ ଗ୍ରାମ ଲେଖାଏଁ 'ଜିଙ୍କ୍ ଫସଫାଇଡ୍' ଭରିଥିଲା। ଉଲ୍ଲେଖଯୋଗ୍ୟ ଯେ, ଜିଙ୍କ୍ ଫସଫାଇଡ୍ ସାଧାରଣତଃ ମୂଷାମରା ବିଷ ଭାବେ ବ୍ୟବହୃତ ହୋଇଥାଏ, ଯାହାର ସ୍ୱଳ୍ପ ମାତ୍ରା ମଧ୍ୟ ମଣିଷ ପାଇଁ ଘାତକ ହୋଇପାରେ।

Also Read: Heat Index Hits 51°C: ଜଳୁଛି ରାଜଧାନୀ ସିଝୁଛନ୍ତି ଲୋକେ, ମୈାସୁମୀକୁ ଚାତକ ଭଳି କରିଛନ୍ତି ଅପେକ୍ଷା

ପୋଲିସ ଅନୁସାରେ, ଅଭିଯୁକ୍ତ ମୋଟ ୩୦,୦୦୦ କ୍ୟାପ୍ସୁଲ୍ ତିଆରି କରିବା ପାଇଁ ୫୦ କିଲୋଗ୍ରାମ ଜିଙ୍କ୍ ଫସଫାଇଡ୍ ମଗାଇଥିଲା। ଫୈୟାଜ ପୁନେର ବାସିନ୍ଦା ଏବଂ ସେ ଜଣେ ରଙ୍ଗ ବ୍ୟବସାୟୀ। ଅଭିଯୁକ୍ତ ୨୦୨୫ ମସିହାରେ ଇରାନ ଓ ଇରାକ ଯାଇଥିଲା। ଏହି ଯାତ୍ରାର ଉଦ୍ଦେଶ୍ୟ କ'ଣ ଥିଲା ଏବଂ ଏହି ଘଟଣା ସହ ତାହାର କିଛି ସମ୍ପର୍କ ଅଛି କି ନାହିଁ, ସେ ନେଇ ମୁମ୍ବାଇ ପୋଲିସ ତଦନ୍ତ ଚଳାଇଛି।

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ବେଳେ ପୋଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏକ ବଡ଼ ଧରଣର ବିପଦ ଟଳିଯାଇଛି।