ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ଗୁଳୁଗୁଳି । ଅସ୍ତବ୍ୟସ୍ତ ହୋଇପଡୁଛନ୍ତି ଲୋକେ । ଚାତକଙ୍କ ଭଳି ବର୍ଷାକୁ କରୁଛନ୍ତି ଅପେକ୍ଷା । ଏମିତି କିଛି ଅନୁଭଵ କରୁଛନ୍ତି ଦେଶର ରାଜଧାନୀରେ । ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଆର୍ଦ୍ରତା ଅଧିକ ରହିବା କାରଣରୁ ଏଠାରେ ହୀଟ୍ ଇଣ୍ଡେକ୍ସ ବା 'ରିଅଲ୍ ଫିଲ୍' ତାପମାତ୍ରା୫୧.୩°Cରେକର୍ଡ କରାଯାଇଛି, ଯାହା ଏହି ବର୍ଷର ସର୍ବାଧିକ।

ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୪୧.୩°C ରେକର୍ଡ ହୋଇଛି, ଯାହା ସ୍ୱାଭାବିକଠାରୁ ୪.୧°C ଅଧିକ। ଆର୍ଦ୍ରତାର ମାତ୍ରା ୩୫% ରୁ ୬୩% ମଧ୍ୟରେ ରହିଥିବାରୁ ଲୋକେ ଗୁଳୁଗୁଳି ଅନୁଭବ କରୁଛନ୍ତି। ଆରବ ସାଗରରୁ ଆସୁଥିବା ଦକ୍ଷିଣ-ପଶ୍ଚିମୀ ପବନ ପାକିସ୍ତାନ ଓ ଉତ୍ତର-ପଶ୍ଚିମ ଭାରତରେ ଆର୍ଦ୍ରତା ବଢ଼ାଉଛି। ମୌସୁମୀ ଏଯାଏଁ ଦିଲ୍ଲୀ ନିକଟତର ହୋଇନଥିବାରୁ ଏହି ଗୁଳୁଗୁଳି କିଛି ଦିନ ଜାରି ରହିପାରେ। ଦିଲ୍ଲୀରେ ୱେଟ୍-ବଲ୍ବ୍ ତାପମାତ୍ରା ୨୯.୭୭°C ରହିଛି। ୱେଟ୍-ବଲ୍ବ୍ ତାପମାତ୍ରା ଯେତେ ଅଧିକ ହୁଏ, ମଣିଷ ଶରୀର ପାଇଁ ତାପମାତ୍ରା ନିୟନ୍ତ୍ରଣ କରିବା ସେତେ କଷ୍ଟକର ହୋଇପଡ଼େ। ୩୫°C ସ୍ତରରେ ପହଞ୍ଚିଲେ ଏହା ବହୁତ ବିପଜ୍ଜନକ ହୋଇଥାଏ।

ପାଣିପାଗ ପୂର୍ବାନୁମାନ:

ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ବଜ୍ରପାତ ଓ ପ୍ରବଳ ପବନ ସହିତ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ମଙ୍ଗଳବାର ଓ ବୁଧବାର ପାଇଁ ପାଣିପାଗ ବିଭାଗ 'ୟେଲୋ ଆଲର୍ଟ' ଜାରି କରିଛି। ସୋମବାର ପରେ ତାପମାତ୍ରା କ୍ରମଶଃ ହ୍ରାସ ପାଇ ୩୩°C ରୁ ୩୫°C ମଧ୍ୟରେ ରହିବାର ସମ୍ଭାବନା ଅଛି। ଜୁଲାଇ ୨-୩ ସୁଦ୍ଧା ବର୍ଷା ହେଲେ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିପାରେ। ଜୁଲାଇ ୪ ପରେ ମୌସୁମୀ ଆସିବ ବୋଲି ଆଶା କରାଯାଉଛି।

ଦିଲ୍ଲୀବାସୀଙ୍କୁ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ସତର୍କ ରହିବାକୁ ଏବଂ ଅତ୍ୟଧିକ ଖରାରେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।