ନୂଆଦିଲ୍ଲୀ ୦୭।୧୧ : ଆଲୋକର ପର୍ବ ଦୀପାବଳି... ଏହି ଦିନ ରାବଣକୁ ବଦ୍ଧ କରି ଅଯୋଧ୍ୟା ଫେରିଥିଲେ ପ୍ରଭୁ ଶ୍ରୀରାମଚନ୍ଦ୍ର । ତାଙ୍କ ଫେରିବା ଖୁସିରେ ଦୀପରେ ସଜେଇ ହୋଇଥିଲା ପୁରା ନଗର । ସେବେଠାରୁ ଏହି ଆଲୋକର ପର୍ବ ପାଳନ ହୋଇଆସୁଛି । ଏହି ଦିନ ଦୀପଜାଳି, ବାଣ ଫୁଟାଇ, ମିଠା ବାଣ୍ଟି ଖୁସି ବାଣ୍ଟନ୍ତି ସଭିଏଁ । ହେଲେ ଆପଣ ଜାଣନ୍ତି କି ? ଭାରତରେ ଏଭଳି ଏକ ସ୍ଥାନ ଅଛି, ଯେଉଁଠି ଦୀପାବଳିରେ ଖୁସି ବଦଳରେ ଶୋକ ମନାଯାଏ । ତେବେ ଏହା ପଛର କାରଣ କ'ଣ ? କାହିଁକି ଏମାନେ ଖୁସି ବଦଳରେ ଦୁଃଖି ହୋଇଯାଆନ୍ତି ?

ରାଜସ୍ଥାନର ଯୋଧପୁର ସ୍ଥିତ ମଣ୍ଡୋର ଗାଁ । ଏଠାରେ ମୌଦଗିଲ ଏବଂ ଶ୍ରୀମାଲି ସମୁଦାୟର ବ୍ରାହ୍ମଣ ବସବାସ କରନ୍ତି । ସ୍ଥାନୀୟ ମାନ୍ୟତା ଅନୁଯାୟୀ, ମଣ୍ଡୋର ହେଉଛି ରାବଣର ପତ୍ନୀ ମନ୍ଦୋଦରୀଙ୍କ ବାପଘର । କୁହାଯାଏ, ଏହି ଗାଁ ହେଉଛି ମନ୍ଦୋଦରୀଙ୍କ ଜନ୍ମସ୍ଥାନ । ଏହି ଗାଁରେ ରାବଣ ସହ ମନ୍ଦୋଦରୀଙ୍କ ବିବାହ ହୋଇଥିଲା । ତେଣୁ ରାବଣକୁ ମଣ୍ଡୋର ଗାଁର ଜ୍ଵାଇଁ ଭାବରେ ବିବେଚନା କରାଯାଏ । ଏହି କାରଣରୁ ମୌଦଗିଲ ଏବଂ ଶ୍ରୀମାଲି ସମ୍ରଦାୟର ଲୋକେ ଶୋକ ପାଳନ କରନ୍ତି । ଆଉ କିଛି ମାନ୍ୟତା ଅନୁଯାୟୀ, ବିବାହ ପାଇଁ ରାବଣ ସହ ଆସିଥିବା ବ୍ରାହ୍ମଣ ଏହି ଗ୍ରାମରେ ରହିଯାଇଥିଲେ । ତେଣୁ ଏମାନେ ନିଜକୁ ରାବଣର ବଂଶଜ ବୋଲି ଭାବୁଛନ୍ତି । ଏମାନଙ୍କ ପାଇଁ ରାବଣ ଜଣେ ଖଳନାୟକ ନୁହେଁ, ବରଂ ଜଣେ ବିଦ୍ଵାନ ଏବଂ ଭଗବାନ ଶିବଙ୍କ ସବୁଠୁ ବଡ଼ ଉପାସକ ।

ଯୋଧପୁରରେ ରାବଣର ଏକ ମନ୍ଦିର ମଧ୍ୟ ଅଛି । ଏଠାରେ ପ୍ରତିଦିନ ରାବଣର ପୂଜା କରାଯାଏ । ଯେତେବେଳେ ଦେଶର ଅନ୍ୟ ସ୍ଥାନରେ ରାବଣର କୁଶପୁତଳିକା ଦାହ କରାଯାଏ, ସେତେବେଳେ ଏହି ଗାଁ ଶୋକ ପାଳନ କରେ । ରାବଣ ଦହନ ପରେ ଏହି ଗାଁ ଲୋକେ ସ୍ନାନ କରି ପଇତା ବଦଳାନ୍ତି । ଏହାପରେ ଯାଇ ଭୋଜନ କରନ୍ତି । ଖାଲି ସେତିକି ନୁହେଁ, ଏମାନେ ପିତୃପକ୍ଷରେ ରାବଣ, ତାଙ୍କ ପିତା ବିଶ୍ରବା ଏବଂ ଜେଜେ ବାପା ମହର୍ଷି ପୁଲତ୍ସଙ୍କ ନାମରେ ତିଳତର୍ପଣ ଏବଂ ପିଣ୍ଡଦାନ କରାଯାଏ ।