ପାଟଣା : ସରକାରୀ ଚାକିରି କରୁଛନ୍ତି, ହେଲେ ୮ ମାସ ହେଲାଣି ମିଳୁନି ଦରମା। ସରକାରୀ ବ୍ୟବସ୍ଥାରେ ଗ୍ରାମାଞ୍ଚଳର ବିକାଶ ଓ ଉନ୍ନତି ପାଇଁ ସରକାର ଅନେକ ଯୋଜନା ଆଣୁଛନ୍ତି। ହେଲେ ଯେଉଁ ବ୍ୟବସ୍ଥା ଲୋକଙ୍କ ଉନ୍ନତିର ଦାୟିତ୍ୱ ବହନ କରିଥାଏ , ସେହି ବ୍ୟବସ୍ଥାରେ କାମ କରୁଥିବା ଜଣେ ଅଧିକାରୀଙ୍କୁ ନିଜ ଦରମା ପାଇଁ ଏବେ ଭିକ ମାଗିବାକୁ ପଡ଼ୁଛି । ଦୀର୍ଘ ୮ ମାସ ଧରି ଦରମା ନମିଳିବାରୁ ଶେଷରେ ଭିକ ଥାଳି ଧରି ପ୍ରତିବାଦକୁ ଓହ୍ଲାଇଥିଲେ ବିହାରର ବକ୍ସର ଜିଲ୍ଲାର ଜଣେ ମହିଳା ଗ୍ରାମୀଣ ଉନ୍ନୟନ ଅଧିକାରୀ। ଏହି ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣା କେବଳ ଜଣେ କର୍ମଚାରୀଙ୍କ ଦୁର୍ଦ୍ଦଶାକୁ ଦର୍ଶାଉନାହିଁ, ବରଂ ସରକାରୀ ପ୍ରଶାସନିକ ବ୍ୟବସ୍ଥାର ଦାୟିତ୍ୱବୋଧ ଓ କର୍ମଚାରୀଙ୍କ ପ୍ରତି ଆଭିମୁଖ୍ୟକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠାଇଛି।

ମିଳିଥିବା ସୂଚନା ଅନୁସାରେ, ମହିଳା ଅଧିକାରୀଙ୍କ ନାମ ଅଲ୍ପିତା ସିଂହ। ସେ ବ୍ରହ୍ମପୁର ବ୍ଲକ କାର୍ଯ୍ୟାଳୟରେ ନିଯୁକ୍ତ। ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହୋଇଛି । ଯେଉଁଥିରେ ଦେଖାଯାଇଛି ସେ ହାତରେ ଭିକ ଥାଳି ଧରି ଅଫିସ ଆଗରେ ଅଭିନବ ଉପାୟରେ ବସି ପ୍ରତିବାଦ କରୁଛନ୍ତି । ସେ ଦୁଇ ଦିନ ହେବ ନିଜ ପ୍ରତିବାଦ ଜାରି ରଖିଥିଲେ। କାର୍ଯ୍ୟାଳୟ ବାହାରେ ତାଙ୍କର ଏହି ଅଭିନବ ପ୍ରତିବାଦ ଭାଇରଲ ହେବା ପରେ ପ୍ରଶାସନିକ ମହଲରେ ହଇଚଇ ସୃଷ୍ଟି ହୋଇଥିଲା । ଏହି ଭାଇରଲ ଭିଡିଓକୁ ଦେଖି ଜିଲ୍ଲା ପ୍ରଶାସନ ତାଙ୍କ ଦରମା ମିଳିବାରେ ବିଳମ୍ବ କାହିଁକି ହୋଇଛି ବୋଲି ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ସ୍ପଷ୍ଟୀକରଣ ମାଗିଛି ।

ଅନ୍ୟପଟେ ମହିଳା ଅଧିକାରୀ ଜଣକ କହିଛନ୍ତି ଯେ ସେ ଏହି ପଦବୀରେ ୧୧ ମାସ ଧରି ରହିଥିଲେ କିନ୍ତୁ ତାଙ୍କୁ ମାତ୍ର ତିନି ମାସର ଦରମା ମିଳିଥିଲା । ସେ ଦାବି କରିଛନ୍ତି ଯେ ଦରମା ନ ମିଳିବା ସତ୍ତ୍ୱେ ବି ସେ ତାଙ୍କର ସରକାରୀ କର୍ତ୍ତବ୍ୟ ପାଳନ କରିଚାଲିଥିଲେ । କିନ୍ତୁ ଦରମା ମିଳିବାରେ ଅଧିକ ବିଳମ୍ବ ହେବାରୁ ତାଙ୍କୁ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ତେଣୁ ନିଜର ବକେୟା ଦରମା ପାଇବା ପାଇଁ ସେ ଏପରି ଅଭିନବ ଉପାୟ ବାଛିଥିଲେ । ତାଙ୍କର ଏହି ଅଭିନବ ପ୍ରତିବାଦ ପରେ ପ୍ରଶାସନିକ ମହଲରେ ହଇଚଇ ସୃଷ୍ଟି ହୋଇଥିଲା । ଏହାପରେ ଘଟଣାକୁ ଗୁରୁତ୍ୱର ସହ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରସୋରରେ ତଦନ୍ତ ଆରମ୍ଭ ହୋଇଛି । ଜଣେ ସରକାରୀ କର୍ମଚାରୀଙ୍କୁ ଲଗାତାର ୮ ମାସ ଧରି ଦରମା ନମିଳିବା ଘଟଣା ପ୍ରଶାସନିକ ବ୍ୟବସ୍ଥାରେ ହେଉଥିବା ଅବହେଳାକୁ ସାମ୍ନାକୁ ଆଣିଛି । ତେବେ ଦରମା କାହିଁକି ବନ୍ଦ ରହିଥିଲା ଏବଂ ଏହାର ସମାଧାନ କେବେ ହେବ, ତାହା ପ୍ରଶାସନର ପରବର୍ତ୍ତୀ ପଦକ୍ଷେପକୁ ନେଇ ଜଣାପଡିବ ।