ନୂଆଦିଲ୍ଲୀ, ୬ /୧୧ :-   ଦିଲ୍ଲୀ-ଏନ୍ସିଆର୍ରେ ବଢ଼ୁଥିବା ବାୟୁ ପ୍ରଦୂଷଣ ସମସ୍ୟାକୁ ନେଇ ଶୁଣାଣି ସମୟରେ ଚାଷ ଜମିରୁ ବାହାରୁଥିବା ଏହି ବଳକା ପଦାର୍ଥକୁ ପୋଡ଼ିବା ରୋକିବା ଲାଗି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ। ଫସଲର ଅବଶିଷ୍ଟାଂଶ କ୍ରୟ ମୂଲ୍ୟ ଚାଷୀଙ୍କୁ ବହୁ ପୂର୍ବରୁ ଜଣାଇବା ସହ ଏହାର ସଂଗ୍ରହ ଓ ପରିଚାଳନା ବ୍ୟବସ୍ଥା ଗ୍ରାମ ପଞ୍ଚାୟତଗୁଡ଼ିକୁ ହସ୍ତାନ୍ତର କରିବା ଉପରେ କୋର୍ଟ ଗୁରୁତ୍ୱାରୋପ କରିଛନ୍ତି। କେବଳ ଫସଲର ବଳକାଅଂଶ ଏକ ସମସ୍ୟା ନୁହେଁ ,ଦିଲ୍ଲୀରେ ଯାନବାହନରୁ ନିର୍ଗତ ଧୂଆଁ ଓ ସହରାଞ୍ଚଳର ଅନ୍ୟାନ୍ୟ ପ୍ରଦୂଷଣ ଉତ୍ସ ଉପରେ ମଧ୍ୟ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମ କୋର୍ଟ ।

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି. ମୋହନଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଶୁଣାଣି ଆରମ୍ଭରେ ଦିଲ୍ଲୀର ପ୍ରଦୂଷଣ ସ୍ଥିତିକୁ ନେଇ ପ୍ରଧାନ ବିଚାରପତି ବ୍ୟଙ୍ଗାତ୍ମକ ଢଙ୍ଗରେ କହିଥିଲେ, "ଆଶା କରୁଛି, ଆପଣମାନେ ଦିଲ୍ଲୀର ପାଗକୁ ଉପଭୋଗ କରୁଛନ୍ତି।" ଏହାପରେ ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣି ଅଦାଲତ କହିଥିଲେ ଯେ, ସୁପ୍ରିମକୋର୍ଟ ଯେତେ ଅଧିକ ନିର୍ଦ୍ଦେଶ ଦେବେ, ସେତେ ଅଧିକ ଅବମାନନା ଓ ଅନୁପାଳନରେ ବିଫଳତା ଦେଖିବାକୁ ମିଳିପାରେ। ଏହା ମାନବୀୟ ସ୍ୱଭାବ ବୋଲି ମତ ଦେଇଥିଲେ ପ୍ରଧାନ ବିଚାରପତି।

ଏହି ମାମଲାରେ ଅଦାଲତଙ୍କୁ ସହାୟତା କରୁଥିବା ଆମିକସ୍ କ୍ୟୁରି ବରିଷ୍ଠ ଆଇନଜୀବୀ ଅପରାଜିତା ସିଂହ କହିଥିଲେ ଯେ, ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ତର ଏବେ ବି ଅତ୍ୟନ୍ତ ଖରାପ ବା 'ସିଭିୟର' ଶ୍ରେଣୀ ନିକଟରେ ରହିଛି। ପ୍ରଦୂଷିତ ବାୟୁ ତାଙ୍କ ସ୍ୱର ଉପରେ ମଧ୍ୟ ପ୍ରଭାବ ପକାଉଥିବା ସେ କହିଥିଲେ। ଏପରିକି ଦିଲ୍ଲୀର ପ୍ରଦୂଷିତ ବାୟୁରେ ନିଶ୍ୱାସ ନେବା ଦୈନିକ ୩୦ଟି ସିଗାରେଟ୍ ଟାଣିବା ସହ ସମାନ ବୋଲି ସେ ଉଲ୍ଲେଖ କରିଥିଲେ।

ଅପରପକ୍ଷରେ ବର୍ଷା ଯୋଗୁଁ ପୂର୍ବରୁ ପ୍ରଦୂଷଣ ସ୍ତର କିଛି ମାତ୍ରାରେ ହ୍ରାସ ପାଇଥିବା ନେଇ ଖଣ୍ଡପୀଠ ମତ ଦେବା ସହ ପରବର୍ତ୍ତୀ ଚାଷ ଋତୁ ପାଇଁ ଚାଷୀମାନେ ପ୍ରସ୍ତୁତି ଆରମ୍ଭ କରୁଥିବାରୁ ବଳକା ଅଂଶକୁ ପୋଡିବା ପ୍ରକ୍ରିୟା ବନ୍ଦ ହୋଇଥିବ ବୋଲି ଆଶା ପ୍ରକାଶ କରିଥିଲେ। ଏହାର ଉତ୍ତରରେ ଅପରାଜିତା ସିଂହ କହିଥିଲେ ଯେ, ଦିଲ୍ଲୀର ପ୍ରଦୂଷଣରେ ଏହି ଅବଶିଷ୍ଟାଂଶ ପୋଡ଼ାର ଅବଦାନ ପ୍ରାୟ ୧୪ ପ୍ରତିଶତ ରହିଛି । ଦିଲ୍ଲୀ ଆଗରୁ ହିଁ ଅତ୍ୟଧିକ ପ୍ରଦୂଷିତ ଥିବାବେଳେ ଚାଷ ଜମିରେ ବଳକା ଅଂଶ ପଡି଼ବ ସ୍ଥିତିକୁ ଆହୁରି ଗମ୍ଭୀର କରୁଛି। ତେଣୁ ଏହା ସହ ସହରରେ ଆବର୍ଜନା ଜାଳିବା ଭଳି ସ୍ଥାନୀୟ ପ୍ରଦୂଷଣ ଉତ୍ସଗୁଡ଼ିକୁ ମଧ୍ୟ ରୋକିବା ଆବଶ୍ୟକ ବୋଲି ସେ କହିଥିଲେ।

ଏହି ସମୟରେ ଖଣ୍ଡପୀଠ ସହରାଞ୍ଚଳରୁ ନିର୍ଗତ ପ୍ରଦୂଷଣ ଉପରେ ପ୍ରଶ୍ନ ଉଠାଇଥିଲେ। କେବଳ ବଳକା ଅଂଶ ପୋଡିବା ହିଁ ପ୍ରଦୂଷଣର ଏକମାତ୍ର କାରଣ କି ବୋଲି ପ୍ରଶ୍ନ କରିବା ସହ ଧନୀ ଓ ସମ୍ଭ୍ରାନ୍ତ ବର୍ଗଙ୍କ ବ୍ୟକ୍ତିଗତ ଗାଡ଼ି, ବିଳାସପୂର୍ଣ୍ଣ କାର୍ ଏବଂ ସେଥିରୁ ନିର୍ଗତ ଧୂଆଁର ଭୂମିକା ଉପରେ ମଧ୍ୟ ଅଦାଲତ ପ୍ରଶ୍ନ ଉଠାଇଥିଲେ। ଯାନବାହନରୁ ନିର୍ଗତ ଧୂଆଁ ଦିଲ୍ଲୀ-ଏନ୍ସିଆର୍ରେ ବାୟୁ ପ୍ରଦୂଷଣର ଏକ ପ୍ରମୁଖ କାରଣ ବୋଲି ଅପରାଜିତା ସିଂହ ସ୍ପଷ୍ଟ କରିଥିଲେ। ରାଜଧାନୀ ସଂଲଗ୍ନ ରାସ୍ତାଗୁଡ଼ିକରେ ଯାନବାହନର ଲମ୍ବା ଧାଡ଼ି ଓ ଘଣ୍ଟା ଘଣ୍ଟା ଧରି ଯାତାୟାତ ଜାମ୍ ସମସ୍ୟା ପରିସ୍ଥିତିକୁ ଆହୁରି ଜଟିଳ କରୁଥିବା ପ୍ରଧାନ ବିଚାରପତି କହିଥିଲେ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥିତ ଅତିରିକ୍ତ ସଲିସିଟର ଜେନେରାଲ୍ ଐଶ୍ୱର୍ଯ୍ୟା ଭାଟି ଅଦାଲତଙ୍କୁ ଜଣାଇଥିଲେ ଯେ, ଫସଲର ବଳକା ଅଂଶ ପୋଡ଼ିବାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ପୂର୍ବରୁ ଏକ ଯୋଜନା ପ୍ରସ୍ତୁତ ହୋଇଛି। ବିଭିନ୍ନ ଅଞ୍ଚଳର ପରିସ୍ଥିତି ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯାଇଥିବା ନେଇ ସରକାର ଏକ ଟିପ୍ପଣୀ ମଧ୍ୟ ଦାଖଲ କରିଛନ୍ତି। ସେହିପରି ଯାନବାହନଜନିତ ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀରେ ଭାରତ ଷ୍ଟେଜ୍-୬ (ବିଏସ୍-୬) ମାନଦଣ୍ଡ ପୂରଣ କରୁନଥିବା ଯାନବାହନର ପ୍ରବେଶ ଉପରେ କଟକଣା, ଡିଜେଲ୍ ଚାଳିତ ଅଟୋରିକ୍ସାକୁ ପର୍ଯ୍ୟାୟକ୍ରମେ ହଟାଇବା ଏବଂ ଅନ୍ୟ ସହରରୁ ଦିଲ୍ଲୀକୁ ଆସୁଥିବା ବସ୍ ପାଇଁ ବାଧ୍ୟତାମୂଳକ ନିୟମ ଲାଗୁ କରାଯାଇଥିବା ସେ କହିଥିଲେ। ଏଥିସହ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସି) ଜାରି ସମୟରେ ଯାନର ଅବସ୍ଥିତିକୁ ଭୌଗୋଳିକ ଭାବେ ଚିହ୍ନଟ କରାଯାଉଛି ଏବଂ ବୈଧ ପ୍ରମାଣପତ୍ର ବିନା ଇନ୍ଧନ ମିଳୁନାହିଁ ବୋଲି ସେ କହିଥିଲେ।

ALSO READ- Inspiring Story : ପକୁଡ଼ି ବିକି ପରିବାର ଚଳାଉଥିଲେ ବାପା, ଝିଅ ହେଲେ IAS ; ସଂଘର୍ଷରୁ ସଫଳତାର ଏକ ପ୍ରେରଣାଦାୟୀ କାହାଣୀ

ସାର୍ବଜନୀନ ପରିବହନ ବ୍ୟବସ୍ଥାରେ ହୋଇଥିବା ଉନ୍ନତିକୁ ଆଧାର କରି ତୁରନ୍ତ ଓ ମଧ୍ୟମ ଅବଧିରେ ଆହୁରି ପଦକ୍ଷେପ ନେବାକୁ ସରକାର ବିଚାର କରୁଥିବା ମଧ୍ୟ କେନ୍ଦ୍ର ପକ୍ଷରୁ କୁହାଯାଇଥିଲା। ତେବେ ଫସଲର ଅବଶିଷ୍ଟାଂଶ ପୋଡ଼ିବାକୁ ରୋକିବା ସହ ଯାନବାହନ ଓ ସହରାଞ୍ଚଳର ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସମନ୍ୱିତ ପଦକ୍ଷେପ ହିଁ ଦିଲ୍ଲୀ-ଏନ୍ସିଆର୍ର ବାୟୁ ଗୁଣବତ୍ତାରେ ସ୍ଥାୟୀ ସୁଧାର ଆଣିପାରିବ ବୋଲି ଏହି ଶୁଣାଣିରୁ ସ୍ପଷ୍ଟ ହୋଇଛି।