ନୂଆଦିଲ୍ଲୀ: ଏସଆଇଆରକୁ ନେଇ ସଂସଦରେ ଆଲୋଚନା ପାଇଁ କେନ୍ଦ୍ର ଗୃଡମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ ପରାମର୍ଶ ଦେଇଥିଲେ । ଏହାର ଗୋଟିଏ ଦିନ ପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖୋଲା ମଞ୍ଚରେ ବିତର୍କ ପାଇଁ ପୁଣି ନିଜର ଦାବି ଦୋହରାଇଛନ୍ତି । ଏହା ସହ ବିତର୍କ ପାଇଁ ମୋଦୀଙ୍କୁ ରାଜି କରାଇବାକୁ ସେ ଅମିତ ଶାହଙ୍କୁ ଅନୁରୋଧ କରିଛନ୍ତି । ରାହୁଲ ଗାନ୍ଧୀ ଏକ୍ସରେ ଲେଖିଛନ୍ତି, ‘ଅମିତ ଶାହଜୀ ମୋଦୀଜୀଙ୍କୁ ଦ୍ବନ୍ଦ୍ବରେ ପକାନ୍ତୁ ନାହିଁ । ମୋ ସହ ଖୋଲା ବିତର୍କରେ ଭାଗ ନେବାକୁ ତାଙ୍କୁ ରାଜି କରାନ୍ତୁ । କୌଣସି ମଞ୍ଚରେ ବିତର୍କ କରିବାକୁ ମୁଁ ପ୍ରସ୍ତୁତ, ଭୟ କରନ୍ତୁ ନାହିଁ ।’

ଏହାପୂର୍ବରୁ ହରିୟାଣାର କର୍ନାଲଠାରେ ବିଜେପିର 'ଗଣତନ୍ତ୍ର ବଞ୍ଚାଓ, ଅରାଜକତା ହଟାଓ' ପ୍ରଚାର କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଯେ, ଯଦି କଂଗ୍ରେସ ଆନୁଷ୍ଠାନିକ ଭାବରେ ଅନୁରୋଧ କରେ, ତେବେ ସରକାର ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକି SIR ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। ରାହୁଲ ଗାନ୍ଧୀ ସଂସଦୀୟ ଆଲୋଚନାକୁ ଏଡ଼ାଇ ଯାଉଛନ୍ତି ଏବଂ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ କରିଥିଲେ ଶାହ ।

ସେ  କହିଥିଲେ, ‘ଯଦି ଆପଣଙ୍କ ପାଖରେ ସତ୍ୟତାଓ ଯୁକ୍ତି ଅଛି, ତେବେ ସଂସଦ ଭିତରକୁ ଆସି ଆଲୋଚନା କରନ୍ତୁ। ସାମ୍ନାସାମ୍ନି ହୁଅନ୍ତୁ, କିନ୍ତୁ ଆପଣ ଉତ୍ତର ସହିପାରିବେ ନାହିଁ ଏବଂ ପୂର୍ବ ଭଳି ଖସି ପଳାଇବେ।’   ସେହିପରି ରାହୁଲ ଗାନ୍ଧୀ ଏହି ବିତର୍କ ପାଇଁ ସାଧାରଣ ଜନତାଙ୍କ ସମର୍ଥନ ହାସଲ କରିବାକୁ ମଧ୍ୟ ଚେଷ୍ଟା କରୁଛନ୍ତି। ସେ 'X' ରେ ଏକ ପୋଲ୍ ଜରିଆରେ ଯୁବବର୍ଗଙ୍କ ମତାମତ ଲୋଡ଼ିଥିଲେ । ଏହାସହ ସେ ରାଜନାଥ ସିଂହ, ନିତିନ ଗଡ଼କରୀ, ଶିବରାଜ ସିଂହ ଚୌହାନ ଏବଂ ଯୋଗୀ ଆଦିତ୍ୟନାଥଙ୍କ ଭଳି ବରିଷ୍ଠ ବିଜେପି ନେତାମାନଙ୍କୁ ଟ୍ୟାଗ୍ କରି ପ୍ରଧାନମନ୍ତ୍ରୀଙ୍କୁ ଏହି ବିତର୍କ ପାଇଁ ରାଜି କରାଇବାକୁ ଅନୁରୋଧ କରିଥିଲେ।