ନୂଆଦିଲ୍ଲୀ, ୦୫/୧୧ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍ ଚାଲିଛି । ପ୍ରଥମ ମୁକାବିଲାକୁ ଭାରତ ଜିତି ୧-୦ରେ ଆଗୁଆ ରହିଛି । ଏହି ମୁକାବିଲାରେ ବିରାଟ କୋହଲି ଦମଦାର ପାଳି ଖେଳିଥିଲେ । ସେ ଅର୍ଧଶତକ ହାସଲ କରିବା ସହ ଦଳକୁ ଜିତାଇଥିଲେ ।

ମୁକାବିଲାରେ ବିରାଟ କୋହଲି ୫୧ଟି ବଲ୍ ଖେଳିଥିଲେ । ଏତିକି ବଲ୍ ଖେଳି ସେ ୭୪ ରନ୍ ସଂଗ୍ରହ କରିଥିଲେ । ତେବେ ଆଗାମୀ ମ୍ୟାଚରେ ତାଙ୍କ ପାଖରେ ଇତିହାସ ସୃଷ୍ଟି କରିବାର ସୁଯୋଗ ରହିଛି । ଏକ ବଡ଼ ମାଇଲଷ୍ଟୋନ୍ ହାସଲ କରିବାଠୁ ସେ ମାତ୍ର ୧ ରନ୍ ଦୂରରେ ରହିଛନ୍ତି ।

ବିରାଟ କୋହଲି ଟେଷ୍ଟ୍ ଏବଂ ଟି୨୦ ଫର୍ମାଟରୁ ଅବସର ନେଇ ସାରିଛନ୍ତି । ସେ ଏବେ ଦିନିକିଆ କ୍ରିକେଟ୍ ଖେଳୁଛନ୍ତି । ଆଉ ଯଦି ସେ ଗୋଟିଏ ରନ୍ ସଂଗ୍ରହ କରନ୍ତି ତାହାଲେ ରିକି ପଣ୍ଟିଂଙ୍କୁ ପଛରେ ପକାଇଦେବେ । କାରଣ ବ୍ଲାକ୍ କ୍ୟାପ୍ ବିପକ୍ଷରେ ସର୍ବାଧିକ ରନ୍ ହାସଲ କରିଥିବା ବ୍ୟାଟର ତାଲିକାରେ ଏକ ନମ୍ବରରେ ରିକି ରହିଛନ୍ତି । ବିରାଟ ଆଉ ଗୋଟିଏ ରନ୍ କରିବା ପରେ ଏହି ରେକର୍ଡ ଭାଙ୍ଗିଦେବେ ।

Also Read :-ମହାନ କ୍ରିକେଟର୍, ସଫଳ ରନ୍ ଚେଜର : ଜନ୍ମଦିନରେ କିଙ୍ଗ୍ ବିରାଟଙ୍କୁ ଶୁଭେଚ୍ଛା

ଉଭୟ ବ୍ୟାଟର ଏବେସୁଦ୍ଧା ନ୍ୟୁଜିଲାଣ୍ଡ ବିପକ୍ଷରେ ୧୯୭୧ ରନ୍ ସଂଗ୍ରହ କରିଛନ୍ତି । ବିରାଟ ୩୭ଟି ମ୍ୟାଚ୍ ଖେଳି ଏହି କୀର୍ତ୍ତିମାନ ହାସଲ କରିଛନ୍ତି । ଏଥିରେ ୭ଟି ଶତକ ଏବଂ ୧୧ଟି ଅର୍ଧଶତକ ସାମିଲ ରହିଛି । ଏହାସହ ବିରାଟଙ୍କ ବ୍ୟାଟିଂ ଆଭରେଜ୍ ରହିଛି ୫୭.୯୭ ।

ତୃତୀୟ ସ୍ଥାନରେ ସଚିନ ତେନ୍ଦୁଲକର ରହିଛନ୍ତି । ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୭୫୦ ରନ୍ ସଂଗ୍ରହ କରିଥିଲେ । ତାଲିକାରେ ଚତୁର୍ଥରେ ଶ୍ରୀଲଙ୍କା ବ୍ୟାଟର କୁମାର ସାଙ୍ଗକରା ରହିଛନ୍ତି । ସେ ୧୫୬୮ ରନ୍ ନ୍ୟୁଜିଲାଣ୍ଡ ବିପକ୍ଷରେ ହାସଲ କରିଛନ୍ତି ।