ନୂଆଦିଲ୍ଲୀ: ଶୀତ ଋତୁ ଆସିବା ମାତ୍ରେ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ବଢିବାରେ ଲାଗେ। ଏଥର ମଧ୍ୟ ସମାନ ସ୍ଥିତି ଉପୁଜିଛି। ପ୍ରଦୂଷଣ ମାତ୍ରା ଏମିତି ବଢିଲାଣି ଯେ ରାଜଧାନୀରେ GRAPର ଦ୍ଵିତୀୟ ପର୍ଯ୍ୟାୟ ଲାଗୁ ହୋଇଛି। ପ୍ରଦୂଷଣ ଏବେ କ୍ରିକେଟ୍ ଖେଳକୁ ମଧ୍ୟ ପ୍ରଭାବିତ କରିଛି। ଫଳରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିଲ୍ଲୀରେ ଖେଳା ଯିବାକୁ ଥିବା ପ୍ରଥମ ଦିନିକିଆ ମ୍ୟାଚର ଭେନ୍ୟୁ ପରିବର୍ତ୍ତନ ହୋଇଛି। ଏବେ ଏହି ମ୍ୟାଚ୍ ଦିଲ୍ଲୀ ପରିବର୍ତ୍ତେ ବିଶାଖାପଟନମରେ ଖେଳାଯିବ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(BCCI) ଆୟୋଜନ ସ୍ଥଳ ପରିବର୍ତ୍ତନ ନେଇ ଗୁରୁବାର ସୂଚନା ଦେଇଛି।

ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ସଂଘ ସମ୍ଭାବିତ ବାୟୁ ପ୍ରଦୂଷଣ ଏବଂ ଷ୍ଟାଡିୟମର ପ୍ରସ୍ତାବିତ ନବୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଭେନ୍ୟୁ ପରିବର୍ତ୍ତନ କରିବାକୁ ଅନୁରୋଧ କରିଥିଲା।ଏହାକୁ ସ୍ଵୀକାର କରି ନେଇଛି ବିସିସିଆଇ। ଏହି ମ୍ୟାଚ୍ ଚଳିତ ବର୍ଷ ଡିସେମ୍ବର ୧୩ରେ ବିଶାଖାପଟନମରେ ଖେଳାଯିବ।

Also Read: ୪ ଓ୍ଵିକେଟ୍, ୮ ମେଡେନ ଓଭର, ପୁଣି ଚମକିଲେ ମହମ୍ମଦ ଶାମି; ରଣଜୀରେ ଦେଖାଇଲେ ଜଲଓ୍ଵା

ମଇଦାନରେ ଚାଲିଛି କାମ

ମଇଦାନରେ ବାଲି ମାଟିରେ ଆଉଟଫିଲ୍ଡ କାମ ଚାଲିଛି ଏବଂ ଏହି କାମ ଆଗାମୀ ତିନି ମାସ ପର୍ଯ୍ୟନ୍ତ ଜାରି ରହିବ। ତେବେ ଡିଡିସିଏର ଜନୈକ ଅଧିକାରୀ କହିଛନ୍ତି, ପ୍ରଦୂଷଣ ଏକ ବଡ଼ କାରଣ। ଏହା ବାଦ୍ ପଡ଼ିଆର ନବୀକରଣ କାମ ବି ଚାଲିଛି। ଏଥିପାଇଁ ଆମେ ବିସିସିଆଇକୁ ମ୍ୟାଚ୍ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲୁ। ଡିସେମ୍ବରରେ ଶ୍ରୀଲଙ୍କା ଟିମ୍ ଭାରତ ଗସ୍ତରେ ଆସି ତିନୋଟି ଦିନିକିଆ ଏବଂ ତିନି ମ୍ୟାଚର ଟି-୨୦ ସିରିଜ୍ ଖେଳିବ।

IND vs SL ସିରିଜର ସିଡ୍ୟୁଲ

ପ୍ରଥମ ଦିନିକିଆ- ୨୦୨୬ ଡିସେମ୍ବର ୧୩, ବିଶାଖପାଟନମ, ଅପରାହ୍ନ ୨ଟା

ଦ୍ଵିତୀୟ ଦିନିକିଆ- ୨୦୨୬ ଡିସେମ୍ବର ୧୬, ବେଙ୍ଗାଲୁରୁ, ଅପରାହ୍ନ ୨ଟା

ତୃତୀୟ ଦିନିକିଆ- ୨୦୨୬ ଡିସେମ୍ବର ୧୯, ଅହମ୍ମଦାବାଦ, ଅପରାହ୍ନ ୨ଟା

ପ୍ରଥମ ଟି-୨୦- ୨୦୨୬ ଡିସେମ୍ବର ୨୨, ରାଜକୋଟ୍, ସନ୍ଧ୍ୟା ୭ଟା

ଦ୍ଵିତୀୟ ଟି-୨୦- ୨୦୨୬ ଡିସେମ୍ବର ୨୪, କଟକ, ସନ୍ଧ୍ୟା ୭ଟା

ତୃତୀୟ ଟି-୨୦- ୨୦୨୬ ଡିସେମ୍ବର ୨୭, ପୁଣେ, ସନ୍ଧ୍ୟା ୭ଟା