ନୂଆଦିଲ୍ଲୀ: ଖାଲି ହେଉଛି ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର । ବିଦେଶୀ ମୁଦ୍ରା ଭଣ୍ଡାର ୨.୬୯ ବିଲିୟନ ଡଲାର ବା ପ୍ରାୟ ୨୫ ହଜାର କୋଟି ଟଙ୍କା ହ୍ରାସ ପାଇଛି । ଏତେ ବଡ଼ ହ୍ରାସ ପଛରେ ପ୍ରମୁଖ କାରଣ ସବୁ କଣ ? ତାକୁ ନେଇ ସରକାର ମଧ୍ୟ ମାନସ ମନ୍ଥନ ଆରମ୍ଭ କରିଦେଇଛନ୍ତି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ତଥ୍ୟ ଅନୁଯାୟୀ, ଅକ୍ଟୋବର ୩୦ ରେ ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର (Forex Reserves) ୨.୬୯୧ ବିଲିୟନ୍ ଡଲାର ହ୍ରାସ ପାଇଛି । ଏହି ହ୍ରାସ ପରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୭୧୭.୦୫୬ ବିଲିୟନ୍ ଡଲାରରେ ପହଞ୍ଚିଛି।

ଦେଶର ମୋଟ ବୈଦେଶିକ ମୁଦ୍ରା ଭଣ୍ଡାରର ବୈଦେଶିକ ମୁଦ୍ରା ସମ୍ପତ୍ତି ଏବଂ ସ୍ୱର୍ଣ୍ଣ ଭଣ୍ଡାର ହ୍ରାସ ଘଟିବା ଯୋଗୁଁ ଏହି ସ୍ଥିତି ଉପୁଜିଛି । ବୈଦେଶିକ ମୁଦ୍ରା ଭଣ୍ଡାରର ସବୁଠାରୁ ବଡ଼ ଭାଗ 'ଫରେନ୍ କରେନ୍ସି ଆସେଟ୍ସ' ଏହି ସପ୍ତାହରେ ୨.୦୮୮ ବିଲିୟନ୍ ଡଲାର କମି ୫୯୧.୧୧୮ ବିଲିୟନ୍ ଡଲାରରେ ପହଞ୍ଚିଛି। ସେହିପରି ଦେଶର ସ୍ୱର୍ଣ୍ଣ ଭଣ୍ଡାର ମଧ୍ୟ ୫୫୯ ମିଲିୟନ୍ ଡଲାର ହ୍ରାସ ପାଇ ୧୦୨.୫୯୧ ବିଲିୟନ୍ ଡଲାର ହୋଇଛି। ଏହା ବ୍ୟତୀତ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଦ୍ୱାରା ବରାଦ କରାଯାଉଥିବା 'ସ୍ପେସିଆଲ୍ ଡ୍ରଇଂ ରାଇଟ୍ସ' ୪୭ ମିଲିୟନ୍ ଡଲାର ହ୍ରାସ ପାଇ ୧୮.୫୫୮ ବିଲିୟନ୍ ଡଲାରରେ ପହଞ୍ଚିଛି।

ଅନ୍ୟପଟେ, IMF ରେ ଭାରତର ରିଜର୍ଭ ପୋଜିସନ୍‌ରେ ୩ ମିଲିୟନ୍ ଡଲାରର ସାମାନ୍ୟ ବୃଦ୍ଧି ଘଟି ଏହା ୪.୭୯୦ ବିଲିୟନ୍ ଡଲାରରେ ପହଞ୍ଚିଛି।   ଭାରତୀୟ ମୁଦ୍ରା ଟଙ୍କା ହିସାବରେ ଦେଖିବାକୁ ଗଲେ, ଅକ୍ଟୋବର ୩୦ ସୁଦ୍ଧା ମୋଟ ବୈଦେଶିକ ମୁଦ୍ରା ଭଣ୍ଡାର ୬୮.୦୯ ଲକ୍ଷ କୋଟି ଟଙ୍କାରେ ରହିଛି । ତେବେ ମାର୍ଚ୍ଚ ୨୦୨୬ ଶେଷ ସୁଦ୍ଧା ଥିବା ସ୍ତର ତୁଳନାରେ ଭାରତର ସାମଗ୍ରିକ ବୈଦେଶିକ ମୁଦ୍ରା ଭଣ୍ଡାର ଏବେ ବି ଯଥେଷ୍ଟ ମଜଭୁତ୍ ସ୍ଥିତିରେ ରହିଛି। ମାର୍ଚ୍ଚ ଶେଷ ପରଠାରୁ ଦେଶର ଫରେକ୍ସ ରିଜର୍ଭ ୨୫.୯୪୯ ବିଲିୟନ୍ ଡଲାର ବୃଦ୍ଧି ପାଇଛି।  

ଗୋଟିଏ ବର୍ଷର ତଥ୍ୟକୁ ଦେଖିଲେ, ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରରେ ବାର୍ଷିକ ଆଧାରରେ ୨୭.୩୨୪ ବିଲିୟନ୍ ଡଲାରର ବଡ଼ ବୃଦ୍ଧି ଘଟିଛି। ଗୋଟିଏ ବର୍ଷ ମଧ୍ୟରେ ବୈଦେଶିକ ମୁଦ୍ରା ସମ୍ପତ୍ତି  ୨୬.୫୨୭ ବିଲିୟନ୍ ଡଲାର ଏବଂ ସ୍ୱର୍ଣ୍ଣ ଭଣ୍ଡାର ୮୬୫ ମିଲିୟନ୍ ଡଲାର ବୃଦ୍ଧି ପାଇଛି। ଆରବିଆଇ ଯେଉଁ ସପ୍ତାହ ଲାଗି ଏହି ତଥ୍ୟ ଦେଇଛି, ସେଥିରେ ବିଦେଶୀ ମୁଦ୍ରା ଭଣ୍ଡାର ବଡ଼ ହ୍ରାସ ହୋଇଛି । କିନ୍ତୁ ବାର୍ଷିକ ଆଧାରରେ ଦେଖିଲେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରରେ ବଡ଼ କ୍ଷତି ହୋଇନାହିଁ ।