ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୭ର ଟ୍ରେଡିଂ ୱିଣ୍ଡୋରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ (ଏସ୍ଆରଏଚ୍) ମଧ୍ୟରେ ବଡ଼ ଡିଲ୍ ହୋଇଛି । ଏହି ଟ୍ରେଡ୍ ଅନୁସାରେ ଇଂଲଣ୍ଡର ଅଲରାଉଣ୍ଡର ଲିୟାମ ଲିଭିଙ୍ଗଷ୍ଟୋନ ଏବଂ ଅଷ୍ଟ୍ରେଲିଆର ଅଲ୍‌ରାଉଣ୍ଡର ଜ୍ୟାକ୍ ଏଡୱାର୍ଡ୍ସ ସିଏସ୍‌କେ ସହ ଯୋଡ଼ି ହେବେ । ଅନ୍ୟପଟେ ଭାରତୀୟ ବାମହାତୀ ଦ୍ରୁତ ବୋଲର ଖଲିଲ ଅହମଦ ଏବଂ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ନାଥନ ଏଲିସ୍ ସନରାଇଜର୍ସ ହାଇଦ୍ରାବାଦ ଟିମରେ ସାମିଲ ହେବେ ।

ଦୁଇ ଫ୍ରାଞ୍ଚାଇଜ ମଧ୍ୟରେ ହୋଇଥିବା ଏହି ବଡ଼ ଅଦଳବଦଳ ପରେ ଉଭୟ ଟିମରେ ସନ୍ତୁଳନ ବଦଳିପାରେ । ସିଏସ୍‌କେ ନିଜ ଟିମରେ ଦୁଇ ବିଦେଶୀ ଅଲରାଉଣ୍ଡରଙ୍କୁ ସାମିଲ କରିଛି, ଅନ୍ୟପଟେ ହାଇଦ୍ରାବାଦ ନିଜର ଫାଷ୍ଟ ବୋଲିଂକୁ ଅଧିକ ମଜଭୁତ କରିବା ପାଇଁ ଖଲିଲ ଅହମଦ ଏବଂ ଡେଥ୍ ଓଭର ସ୍ପେଶାଲିଷ୍ଟ ଏଲିସଙ୍କୁ ନିଜ ଟିମ୍ ସହ ଯୋଡ଼ିଛି ।

ଏହି ଟ୍ରେଡରେ ସବୁଠୁ ଅଧିକ ଚର୍ଚ୍ଚା ଲିୟାମ ଲିଭିଙ୍ଗଷ୍ଟୋନକୁ ନେଇ । ସନରାଇଜର୍ସ ହାଇଦ୍ରାବାଦ ତାଙ୍କୁ ୧୩ କୋଟି ଟଙ୍କାରେ କିଣିଥିଲା, କିନ୍ତୁ ଏବେ ସେ ଛଅ କୋଟି ଟଙ୍କାରେ ଚେନ୍ନାଇ ସୁପର କିଙ୍ଗ୍ସ ସହ ଯୋଡ଼ି ହେବେ । ଜାରି ହୋଇଥିବା ବୟାନ ଅନୁସାରେ, ଲିଭିଙ୍ଗଷ୍ଟୋନଙ୍କ ନୂଆ ଫି’ ତାଙ୍କ ପୂର୍ବ ମୂଲ୍ୟର ଅଧା ହୋଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଇପିଏଲ୍ ୨୦୨୬ରେ ଲିଭିଙ୍ଗଷ୍ଟୋନଙ୍କ ଗୋଟିଏ ବି ଭଲ ପ୍ରଦର୍ଶନ ଦେଖିବାକୁ ମିଳିନଥିଲା । ସେ ଦୁଇଟି ମ୍ୟାଚରେ ମାତ୍ରା ୧୫ ରନ୍ କରିଥିଲେ । ଏହା ପରେ ପ୍ଲେଇଙ୍ଗ ଇଲେଭେନରେ ମଧ୍ୟ ତାଙ୍କୁ ସ୍ଥାନ ମିଳିନଥିଲା । ସେପଟେ ଅଷ୍ଟ୍ରେଲିଆର ଅଲରାଉଣ୍ଡର ଜ୍ୟାକ୍ ଏଡୱାର୍ଡ୍ସ ନିଜର ବର୍ତ୍ତମାନ ପ୍ରାଇସ୍ ୩ କୋଟି ଟଙ୍କାରେ ଚେନ୍ନାଇରେ ସାମିଲ ହେବେ । ନିଜର ଇଣ୍ଟରନ୍ୟାସନାଲ୍ ଡେବ୍ୟୁ ପୂର୍ବରୁ ହିଁ ଏଡୱାର୍ସଙ୍କୁ ହାଇଦ୍ରାବାଦ ନିଜ ସହ ଯୋଡ଼ିଥିଲା ।

 

ସନରାଇଜର୍ସ ହାଇଦ୍ରାବାଦ ଏହି ଟ୍ରେଡରେ ଭାରତୀୟ ଦ୍ରୁତ ବୋଲର ଖଲିଲ ଅହମଦଙ୍କୁ ମଧ୍ୟ ସାମିଲ କରିଛି । ଖଲିଲ ପୂର୍ବରୁ ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ ହାଇଦ୍ରାବାଦ ଦଳର ଅଂଶ ଥିଲେ । ଏହା ତାଙ୍କର ପୂର୍ବ ଫ୍ରାଞ୍ଚାଇଜକୁ ପ୍ରତ୍ୟାବର୍ତ୍ତନ ଅଟେ । ସେ ତାଙ୍କର ବର୍ତ୍ତମାନର ୪.୮ କୋଟି ଟଙ୍କା ଫି’ରେ ଏସଆରଏଚ୍‌ରେ ଯୋଗଦେବେ । ଅଷ୍ଟ୍ରେଲିୟ ଡାହାଣହାତୀ ଦ୍ରୁତ ବୋଲର ନାଥନ୍ ଏଲିସ୍ ମଧ୍ୟ ବର୍ତ୍ତମାନର ୨ କୋଟି ଟଙ୍କା ଫି’ରେ ସନରାଇଜର୍ସ ହାଇଦ୍ରାବାଦରେ ଯୋଗଦେବେ । ପୁରୁଣା ହାମଷ୍ଟ୍ରିଙ୍ଗ୍ ଆଘାତ ଯୋଗୁଁ ଏଲିସ୍ ଆଇପିଏଲ୍ ୨୦୨୬ରେ ଖେଳିପାରି ନଥିଲେ । ସେ ତାଙ୍କର ବୋଲିଂ ବିବିଧତା ଏବଂ ଡେଥ୍ ଓଭରରେ ସଠିକ୍ ବୋଲିଂ ପାଇଁ ଜଣାଶୁଣା ।