ନୂଆଦିଲ୍ଲୀ: ପ୍ରାୟ ଦେଢ ବର୍ଷରୁ ଅଧିକ ସମୟ ହେବ ଟିମ୍ ଇଣ୍ଡିଆରୁ ବାହାରେ ଅଛନ୍ତି ଦ୍ରୁତ ବୋଲର ମହମ୍ମଦ ଶାମି। ଘରୋଇ କ୍ରିକେଟରେ ଲଗାତାର ପ୍ରଭାବଶାଳ ପ୍ରଦର୍ଶନ କରିବା ପରେ ବି ତାଙ୍କୁ ଦଳରେ ସ୍ଥାନ ମିଳୁନି। ଚଳିତ ରଣଜୀ ସିଜିନର ପ୍ରଥମ ମ୍ୟାଚରେ ଶାମି ଦମଦାର ପ୍ରଦର୍ଶନ କରି ୫ ଓ୍ଵିକେଟ୍ ନେଇଥିଲେ। ଲାଗୁଥିଲା ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ତାଙ୍କୁ ସ୍ଥାନ ମିଳିବ। ହେଲେ ଚୟନକର୍ତ୍ତା ତାଙ୍କ ନାଁକୁ ବିଚାରକୁ ମଧ୍ୟ ନେଇ ନାହାନ୍ତି। ବରଂ ପ୍ରତି ଥର ପରି ଏଥର ବି ଯୁବ ବୋଲରଙ୍କୁ ସୁଯୋଗ ଦେଇଛନ୍ତି। କଣ ଚୟନକର୍ତ୍ତାଙ୍କ ଏମିତି ଅଣଦେଖାରେ ଭାଙ୍ଗି ପଡ଼ିଲେ କି ମହମ୍ମଦ ଶାମି ? ଏହି ପ୍ରଶ୍ନ ଏଥିପାଇଁ ଉଙ୍କି ମାରୁଛି କାରଣ ଚଳିତ ରଣଜୀ ସିଜିନର ଦ୍ଵିତୀୟ ମ୍ୟାଚ୍ ଖେଳୁ ନାହାନ୍ତି ଏହି ତାରକା ଦ୍ରୁତ ବୋଲର।

ଦ୍ଵିତୀୟ ମ୍ୟାଚରୁ ବାହାରିଲେ ଶାମି

ମହମ୍ମଦ ଶାମିଙ୍କ ନାଁ ଦ୍ଵିତୀୟ ମ୍ୟାଚରେ ପଶ୍ଚିମବଙ୍ଗର ଚୂଡ଼ାନ୍ତ ଏକାଦଶରେ ନାହିଁ। ପ୍ରଥମ ମ୍ୟାଚରେ ଦିଲ୍ଲୀ ବିପକ୍ଷରେ ୫ ଓ୍ଵିକେଟ୍ ନେଇଥିବା ଶାମିଙ୍କୁ ରବିବାର ଆରମ୍ଭ ହୋଇଥିବା ଦ୍ଵିତୀୟ ମ୍ୟାଚରେ ସାମିଲ୍ କରାଯାଇ ନାହିଁ। ଶାମି ନା ଆହତ ଅଛନ୍ତି ନା ତାଙ୍କୁ କୌଣସି ପ୍ରକାରର ସମସ୍ୟା ରହିଛି। ମିଡିଆ ରିପୋର୍ଟ ଅନୁଯାୟୀ, ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ତାଙ୍କୁ ଚୟନ କରାଯାଇ ନ ଥିବାରୁ ସେ ମ୍ୟାଚ୍ ନ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ଶାମି ବର୍ତ୍ତମାନ ଦୁଃଖରେ ଥିବା ଏବଂ ମାନସିକ ଭାବେ ଭାଙ୍ଗି ପଡ଼ିଥିବା କୁହାଯାଉଛି।

Also Read: ପ୍ରତ୍ୟାବର୍ତ୍ତନରେ ବିଫଳ ଶୁଭମନ ଗିଲ୍, ଛତିଶଗଡ଼ ବିପକ୍ଷରେ ମାତ୍ର ୧ ରନ୍ କରି ହେଲେ ବୋଲ୍ଡ

ଅଗରକର ହଟିବା ପରେ ବି ସମାନ ସ୍ଥିତି

ନିକଟରେ ଦୀର୍ଘ ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି ଭୁବନେଶ୍ଵର କୁମାର। ଏହା ପରେ ଅନୁମାନ କରାଯାଉଥିଲା ଯେ, ଶାମିଙ୍କ ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ ସମ୍ଭବ। କାରଣ ଅଜିତ ଅଗକରର ଚୟନ କମିଟିରୁ ହଟିଗଲେ। ସେ ଲଗାତାର ଶାମିଙ୍କୁ ଦଳରେ ଚୟନ ନ କରାଯିବା ପକ୍ଷରେ ଥିଲେ। ତେଣୁ ସେ ହଟିବା ପରେ ଏହି ଆଶା ଜାଗି ଉଠିଥିଲା ଯେ, ଶାମିଙ୍କୁ ଏବେ ଟିମ୍ ଇଣ୍ଡିଆରେ ସୁଯୋଗ ମିଳିବ। ହେଲେ ଯଥା ପୂର୍ବଂ ତଥା ପରଂ। ଶାମି ଦ୍ଵିତୀୟ ମ୍ୟାଚ୍ ନ ଖେଳିବାକୁ ନିଷ୍ପତ୍ତି ନେବା ପରେ ତାଙ୍କ ସାନ ଭାଇ ମହମ୍ମଦ କୈଫଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଇଛି।

ଯୁବ ବୋଲର ଉପରେ ଧ୍ୟାନ

ସୂଚନାଯୋଗ୍ୟ, ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ତିନୋଟି ଫର୍ମାଟରେ ସିରିଜ୍ ଖେଳିବ। ଏଥିରେ ୫ ଟି-୨୦ ମ୍ୟାଚ୍, ୫ଟି ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚ୍ ରହିଛି। ଆଶା କରାଯାଉଥିଲା ଅନ୍ତତଃ ଦିନିକିଆ ସିରିଜରେ ଶାମିଙ୍କ ଚୟନ ହେବ। କାରଣ ଆଗକୁ ଦିନିକିଆ ବିଶ୍ଵକପ୍ ଦକ୍ଷିଣ ଆଫ୍ରିକାରେ ଖେଳାଯିବ। ତେଣୁ ଚୟନକର୍ତ୍ତା ଅଭିଜ୍ଞତା ଉପରେ ଅଗ୍ରାଧିକାର ଦେବେ। କିନ୍ତୁ ପ୍ରଜ୍ଞାନ ଓଝାଙ୍କ ନେତୃତ୍ଵାଧୀନ ଚୟନ କମିଟି ଗୁରନୂର ବ୍ରାର, ପ୍ରସିଦ୍ଧ କୃଷ୍ଣା, ଆକିବ ନବୀ ଏବଂ ଅଂଶୁଲ କମ୍ବୋଜଙ୍କ ପରି ଯୁବ ବୋଲରଙ୍କ ଉପରେ ଅଧିକ ଭରସା କରିଛନ୍ତି। ଦେଖିବାକୁ ବାକି ରହିଲା ଶାମି ବାକି ରଣଜୀ ମ୍ୟାଚ୍ ଖେଳିବେ କି ନାହିଁ ।

Also Read: କେବେ ସୁଯୋଗ ପାଇବେ ବୈଭବ ? ମୁହଁ ଖୋଲିଲେ ଅଧିନାୟକ ଶ୍ରେୟସ ଆୟର