ନୂଆଦିଲ୍ଲୀ: ପିଲାମାନେ ଜିଦ୍‌ କରିବେ, ବାହାରକୁ ଖେଳିବାକୁ ଯିବେ । କିନ୍ତୁ ଏତିକି କଥାରେ, ନିଜ ଜନ୍ମକଲା ପିଲାଙ୍କୁ ମା’ ହତ୍ୟା କରିଦେବ, ଭାବିଲେ ଲୋମ ଟାଙ୍କୁରି ଉଠିବ । ଠିକ୍‌ ଏଭଳି ଏକ ଲୋକହର୍ଷଣକାରୀ ଘଟଣା ରାଜସ୍ଥାନର ଅଲଓ୍ବର ଜିଲ୍ଲାରେ ଘଟିଛି । ଜ​‌ଣେ ମା’ ତାର ୫ ବର୍ଷର ପୁଅ ମୁକୁଲ ଏବଂ ୪ ବର୍ଷର ଝିଅ ନନ୍ଦିନୀକୁ ହତ୍ୟା କରିଛି । 

ଝିଅ ଖେଳିବାକୁ ବାହାରକୁ ଯିବାକୁ ଜିଦ୍‌ କରିବାରୁ ଅଭିଯୁକ୍ତ ମା’ ପୁଅ ଓ ଝିଅକୁ ଗୋଟିଏ ଘରେ ବନ୍ଦ କରି କଇଁଚିରେ ଆକ୍ରମଣ କରିଥିଲା । ପିଲାଙ୍କ ଚିତ୍କାର ଶୁଣି ଗାଁଲୋକେ ଘରର କବାଟ ଭାଙ୍ଗି ଭିତରକୁ ପଶିଥିଲେ । ସେତେବେଳକୁ ମୁକୁଲ, ନନ୍ଦିନୀ ଏବଂ ସେମାନଙ୍କ ମା’ ଉଷା ୩ ଜଣ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଥିଲେ । ଏସବୁ ଦେଖି ଉଷାର ଭଉଣୀ ମନୀଷା ନିଜକୁ ସମ୍ଭାଳିପାରି ନଥିଲେ । ସେ ନିଜର ମୁଣ୍ଡକୁ କାନ୍ଥରେ ବାଡ଼େଇ ହୋଇ କାନ୍ଦିଥିଲେ । ସେ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । 

୪ ଜଣଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖି, ଗାଁ ଲୋକେ ସ୍ଥାନୀୟ ହସ୍ପିଟାଲକୁ ନେଇଥିଲେ । କିନ୍ତ ସେତେବେଳକୁ ମୁକୁଲର ମୃତ୍ୟୁ ହୋଇସାରିଥିଲା । ଏହା ପରେ ନନ୍ଦୀନୀ ଏବଂ ହତ୍ୟାକାରୀ ମା’ ଉଷାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ପୋଲିସର ପ୍ରାଥମିକ ସୂଚନା ଅନୁସାରେ, ଦୁଇ ପିଲାଙ୍କୁ ଆକ୍ରମଣ କରିବା ପରେ ଉଷା ନିଜକୁ ସେହି କଇଁଚିରେ ଆଘାତ ପହଞ୍ଚାଇଥିଲା । ଉଷାର ଭଉଣୀ ମନୀଷାଙ୍କ ଅବସ୍ଥା ସଂକାଟାପନ୍ନ ରହିଛି ।

ମୃତ ଉଷାର ସ୍ବାମୀ ଅମିତ ଶର୍ମା ଏକ ଘରୋଇ ସଂସ୍ଥାରେ କାମ କରନ୍ତି । ମନୀଷାଙ୍କ ସ୍ବାମୀ ଜଣେ ନର୍ସ । ଘଟଣା ସଂପର୍କରେ ଖବର ପାଇ କାଠୁମର ସର୍କଲ ଅଫିସର ଯୋଗିନ୍ଦର ସିଂହ ରାଜାୱତ ଏବଂ ଖେରଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି। ମୃତଦେହଗୁଡ଼ିକୁ ଖେରଲି ହସ୍ପିଟାଲର ଶବଗୃହ ରେ ରଖାଯାଇଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।