ଭୁବନେଶ୍ବର ୧୮।୧୦: ରାଜଧାନୀରେ ବଡ଼ଧରଣର ବ୍ୟାଟେରୀ ଚୋରି ଘଟଣାର ପର୍ଦ୍ଦାଫାଶ। ମଞ୍ଚେଶ୍ୱର ଥାନା ପୋଲିସ ହାତରେ ଧରାପଡ଼ିଲେ ୪ ଅଭିଯୁକ୍ତ। ୧୦ଟି ଚୋରି ବ୍ୟାଟେରୀ ଉଦ୍ଧାର ସହ ଚୋରିରେ ବ୍ୟବହୃତ କଳା ସ୍କର୍ପିଓ ଗାଡ଼ିକୁ ଜବତ କରିଛି ପୋଲିସ। ଚୋରି ବ୍ୟାଟେରୀକୁ ୨୦ ହଜାର ୫୦୦ ଟଙ୍କାରେ ବିକ୍ରି କରିଥିଲେ ଅଭିଯୁକ୍ତ।

ଗତ ୧୫ ତାରିଖ ବିଳମ୍ବିତ ରାତିରେ ହାଇଟେକ୍ ଛକ ନିକଟ କୁଆଖାଇ ନଦୀ ପୋଲ ତଳେ ଥିବା ସାଇ ଇଞ୍ଜିନିୟରିଂ ୱାର୍କସପ୍ରୁ ହୋଇଥିଲା ଏହି ଚୋରି। ମରାମତି ପାଇଁ ରଖାଯାଇଥିବା ୩ଟି ଏକ୍ସକାଭେଟର୍ ଓ ୩ଟି ହାଇୱା ଟ୍ରକ୍ରୁ ମୋଟ ୧୦ଟି ବ୍ୟାଟେରୀ ଚୋରି ହୋଇଥିବା ନେଇ ୱାର୍କସପ୍ ମାଲିକ ସନାତନ ଦାସ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ, ଅଭିଯୁକ୍ତ ମାନେ ଭଡ଼ାରେ ନିଆଯାଇଥିବା କଳା ରଙ୍ଗର ସ୍କର୍ପିଓ ଗାଡ଼ି ବ୍ୟବହାର କରି ଚୋରି କରିଥିଲେ। ପରେ ଚୋରି ବ୍ୟାଟେରୀଗୁଡ଼ିକୁ ଟାଙ୍ଗୀ ଅଞ୍ଚଳର ସ୍କ୍ରାପ୍ ଡିଲର ଅମୀର ହୋସେନ୍ ଶେଖ୍‌ଙ୍କ ନିକଟରେ ୨୦ ହଜାର ୫୦୦ ଟଙ୍କାରେ ବିକ୍ରି କରିଥିଲେ।

Also Read:- ପୂର୍ବରୁ ମିଳିଥିଲା ହତ୍ୟା ଧମକ ; ଘରୁ ଯାଇ ଆଉ ଫେରିଲେନି, ବାଲିଯାତ୍ରା ପଡ଼ିଆରୁ ମିଳିଲା ମୃତଦେହ

ଗିରଫ ଅଭିଯୁକ୍ତମାନେ ହେଲେ ଅମୀର ହୋସେନ୍ ଶେଖ୍, ରୋହିତ କୁମାର ମଲ୍ଲିକ, ସୌଭାଗ୍ୟ ସାମଲ ଓ ଦୀପକ କୁମାର ବେହେରା। ଅମୀରଙ୍କ ଘର ପଶ୍ଚିମବଙ୍ଗର ମୁର୍ଷିଦାବାଦ ହୋଇଥିବା ବେଳେ ଅନ୍ୟ ୩ ଅଭିଯୁକ୍ତ କଟକ ଜଗତପୁର ଅଞ୍ଚଳର। ପୋଲିସ ସମସ୍ତ ୧୦ଟି ଚୋରି ବ୍ୟାଟେରୀ ସହ ଅପରାଧରେ ବ୍ୟବହୃତ ସ୍କର୍ପିଓ ଗାଡ଼ିକୁ ଜବତ କରିଛି। ଗିରଫ ୪ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ଜୋନ୍୫ ଏସପି।

Watch Video: