ନୂଆଦିଲ୍ଲୀ: ଭାରତୀୟ ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ ଶୁଭମନ ଗିଲ୍ ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ରଣଜୀ ଟ୍ରଫି ପାଇଁ ମଇଦାନକୁ ଓହ୍ଲାଇଛନ୍ତି। ବ୍ୟକ୍ତିଗତ କାରଣରୁ ଚଳିତ ରଣଜୀ ସିଜିନରେ ପଞ୍ଜାବ ପକ୍ଷରୁ ପ୍ରଥମ ମ୍ୟାଚ୍ ଖେଳି ପାରି ନ ଥିଲେ ଗିଲ୍। ହେଲେ ଦ୍ଵିତୀୟ ମ୍ୟାଚରେ ଦଳରେ ତାଙ୍କୁ ସୁଯୋଗ ମିଳିଛି। ନ୍ୟୁଚଣ୍ଡିଗଡ଼ ଷ୍ଟାଡିୟମରେ ଖେଳା ଯାଉଥିବା ମ୍ୟାଚରେ ସେ ମାତ୍ର ୫ଟି ବଲ୍ ଖେଳିପାରିଥିଲେ।

ଦିନିକିଆ କ୍ୟାରିୟରରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ନିଜର ସର୍ବଶ୍ରେଷ୍ଠ ଇନିଂସ ଖେଳିଛନ୍ତି ଗିଲ୍। ସେ ଲଗାତାର ଦୁଇଟି ମ୍ୟାଚରେ ମ୍ୟାଚ୍ ବିଜୟୀ ଶତକୀୟ ଏବଂ ୨୨୩ ରନର ଇନିଂସ ଖେଳିଛନ୍ତି। ତେବେ ଛତିଶଗଡ଼ ବିପକ୍ଷ ଏହି ମ୍ୟାଚରେ ଗିଲ୍ ମାତ୍ର ଏକ ରନ କରି ବାମହାତୀ ସ୍ପିନର ଅଜୟ ମଣ୍ଡଳଙ୍କ ଶିକାର ହୋଇଛନ୍ତି।

Also Read: କେବେ ସୁଯୋଗ ପାଇବେ ବୈଭବ ? ମୁହଁ ଖୋଲିଲେ ଅଧିନାୟକ ଶ୍ରେୟସ ଆୟର

ଗିଲ୍ ଟେଷ୍ଟରେ ସାଧାରଣତଃ ଯେଉଁ କ୍ରମରେ ବ୍ୟାଟିଂ କରନ୍ତି ସେହି କ୍ରମରେ ବ୍ୟାଟିଂ ପାଇଁ ଆଜି ମଇଦାନକୁ ଓହ୍ଲାଇଥିଲେ। କିନ୍ତୁ ଅଧିକ ସମୟ କ୍ରିଜରେ ତିଷ୍ଠି ପାରି ନ ଥିଲେ। ୨୬ତମ ଓଭର ବୋଲିଂ କରିଥିବା ଅଜୟ ମଣ୍ଡଲଙ୍କ ବଲରେ କ୍ଲିନ ବୋଲ୍ଡ ହୋଇ ପାଭିଲିୟନ ଫେରିଛନ୍ତି। ସେ ବଲକୁ ଡିଫେନ୍ସ କରିବାକୁ ଚାହୁଁଥିଲେ, ହେଲେ ବଲ୍ ପିଚରେ ପଡ଼ିବା ମାତ୍ରେ ଟର୍ଣ୍ଣ ନ ହୋଇ ସିଧା ଆସିଥିଲା, ଯାହାକୁ ବୁଝି ପାରି ନ ଥିଲେ ଗିଲ୍। ଆଉ କ୍ଲିନ ବୋଲ୍ଡର ଶିକାର ହୋଇଛନ୍ତି। ସେ ଆଉଟ୍ ହେଲା ବେଳକୁ ପଞ୍ଜାବର ସ୍କୋର ୬୮/୩ରେ ଥିଲା। ତଥାପି ଦ୍ଵିତୀୟ ଇନିଂସରେ ରନ କରିବା ପାଇଁ ତାଙ୍କ ନିକଟରେ ସୁଯୋଗ ରହିଛି।

ଭାରତୀୟ ଦଳ ଅକ୍ଟୋବର ୨୨ରେ ନ୍ୟୁଜିଲାଣ୍ଡ ଗସ୍ତ କରିବ। ଗିଲ୍ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ତିନୋଟି ଦିନିକିଆରେ ଦଳର ନେତୃତ୍ଵ ନେବେ। ଏହା ପରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଦଳର ମଙ୍ଗ ଧରିବେ। ଟେଷ୍ଟ ସିରିଜର ପ୍ରସ୍ତୁତି ପାଇଁ ଗିଲଙ୍କ ସହିତ କେଏଲ ରାହୁଲ ଏବଂ ଅନେକ ଟେଷ୍ଟ ଖେଳୁଥିବା ଖେଳାଳି ଦିନିକିଆ ସିରିଜର ଶେଷ ଦୁଇଟି ମ୍ୟାଚ୍ ଖେଳିବେନି।

Also Read: ବିରାଟ କୋହଲି ଗର୍ବୀ ଓ ଅହଂକାରୀ ଥିଲେ... ବଡ଼ ଖୁଲାସା କଲେ କ୍ରିକେଟରଙ୍କ ବନ୍ଧୁ ଡିଭିଲିୟର୍ସ

ଅନେକ ରିପୋର୍ଟ ଅନୁଯାୟୀ, ଭାରତୀୟ ଦିନିକିଆ ଦଳର ଅଧିନାୟକଙ୍କ ପାଇଁ ଚାରିରୁ ପାଞ୍ଚ ଜଣ ବ୍ୟକ୍ତିଗତ 'ନେଟ୍ ବୋଲର' ନ୍ୟୁଜିଲାଣ୍ଡ ଯାତ୍ରା କରିବେ। ଏହି ବୋଲରମାନଙ୍କ ଯାତାୟାତ, ରହିବା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ସେ ନିଜ ପକେଟରୁ ବହନ କରିବେ।

ତେବେ, ୨୭ ବର୍ଷୀୟ ଏହି ଖେଳାଳି ତିନୋଟି ଚାରି ଦିନିଆ 'ଏ' ମ୍ୟାଚରେ ଅଂଶଗ୍ରହଣ କରିବେ ନାହିଁ। କିନ୍ତୁ, ସେଠାକାର କଠିନ ପରିସ୍ଥିତି ସହ ନିଜକୁ ଖାପ ଖୁଆଇବା ପାଇଁ, ସେ ଦିନିକିଆ ଏବଂ ଟେଷ୍ଟ ଦଳର ଅନ୍ୟ ସଦସ୍ୟଙ୍କ ପୂର୍ବରୁ ନ୍ୟୁଜିଲାଣ୍ଡରେ ପହଞ୍ଚିବାକୁ ଯୋଜନା କରିଛନ୍ତି।