କଳାହାଣ୍ଡି/ଭୁବେଶ୍ଵର: କଳାହାଣ୍ଡିରେ ମୋକିମଙ୍କ ବଡ ସଭା । ଭବାନୀପାଟଣାରେ ପାୱାର ସୋ କଲା ଜନତା କଂଗ୍ରେସ। ପିସିସି ସଭାପତି ଭକ୍ତଙ୍କ ଗଡ ଭବାନୀପାଟଣାରେ ଜନସଭା କରି ବାପା-ପୁଅ ଭକ୍ତ ଦାସ ଓ ସାଗର ଦାସଙ୍କୁ ନିଶାନା ସାଧିଛନ୍ତି ମୋକିମ୍ । କହିଛନ୍ତି କଳାହାଣ୍ଡି ବିକାଶ ପାଇଁ ପିସିସି ସଭାପତି କିଛି କରିନାହାଁନ୍ତି। କଂଗ୍ରେସରୁ ବାହାରି ନୂଆଦଳ କରିବା ପରେ ଭକ୍ତଙ୍କ ଗଡରେ ଏହା ଥିଲା ମୋକିମଙ୍କ ପ୍ରଥମ ଜନସଭା । ସେପଟେ ମୋକିମ ଙ୍କୁ କଡା କାଉଣ୍ଟର କରି ଭକ୍ତଙ୍କ ପୁଅ ସାଗର ଦାସ କହିଛନ୍ତି ଏକାଠି ହୋଇଛନ୍ତି ଚିଟ୍ ଫଣ୍ଡ ଠକ । ଆଉ ଭକ୍ତ ଦାସ କହିଛନ୍ତି ମୋକିମଙ୍କ ଦଳକୁ ସେ ସିରିୟସଲି ନିଅନ୍ତି ନାହିଁ ।

ଉଭୟ ଭକ୍ତ ବାପା ପୁଅଙ୍କୁ ଟାର୍ଗେଟ

କଳାହାଣ୍ଡିରେ ମୋକିମ୍ ଙ୍କ ପାୱାର ସୋ। ଭକ୍ତଙ୍କ ଗଡ଼ରେ ମହମ୍ମଦ ମୋକିମ ରଣହୁଙ୍କାର । ରାଜଧାନୀ ଭୁବନେଶ୍ବର ବାହାରେ ବଡ ସଭା କରି କର୍ମୀ ଓ ଲୋକଙ୍କ ଭିତରେ ଜୋସ୍ ଭରିଛନ୍ତି ଓଡ଼ିଶା ଜନତା କଂଗ୍ରେସ ସଭାପତି ମହମ୍ମଦ ମୋକିମ୍। ଭକ୍ତଙ୍କ ଗଡ଼ ଭବାନୀପାଟଣାରେ ମହମ୍ମଦ ମୋକିମ ଏଣ୍ଟ୍ରି କରି ଭବାନୀ ପାଟଣା ବନ୍ଦକୁ ଦେଇଛନ୍ତି ବଡ ଚେକ୍। ବିରାଟ ସମାବେଶ କରି ଉଭୟ ଭକ୍ତ ବାପା ପୁଅଙ୍କୁ କରିଛନ୍ତି ଟାର୍ଗେଟ । ଭକ୍ତଙ୍କ ନା ନନେଇ ସଭା ମଞ୍ଚରୁ ମୋକିମ୍ କହିଛନ୍ତି ଏଠାରୁ ଯିଏ ଭୋଟ ପାଆନ୍ତି ସେ ରାୟପୁର ଦେଇ ଦିଲ୍ଲୀ ଯାଆନ୍ତି। ଆଉ ଭୁବନେଶ୍ୱର ଯାଇ ପୁଞ୍ଜିପତିଙ୍କ ସହିତ ବୈଠକ କରନ୍ତି।

୮୦ ଭାଗ ଲୋକ ମେଡ଼ିକାଲ ଚିକିତ୍ସାରୁ ବଞ୍ଚିତ

ଲୋକଙ୍କ ପାଇଁ ଲଢ଼େଇ କରନ୍ତି ନାହିଁ। କଳାହାଣ୍ଡି ଓ ସିଜିମାଳି ବାସୀ ଯାହାଙ୍କୁ ପକେଟରେ ପୁରାଇ ଥିଲ ସେ ସମୟ ଏବେ ସରି ଯାଇଛି। କଳାହାଣ୍ଡିରେ ଅତ୍ୟାଚାର ହେଲେ ଏଣିକି ଭୁବନେଶ୍ୱରରେ ତାର ପ୍ରତିବାଦ ହେବ। ଡିଜିପି ଅଫିସ ଘେରାଉ ହେବ। ଦଳିତ ,ଆଦିବାସୀଙ୍କ ପ୍ରତି ଅନ୍ୟାୟ କୁ ଓଡ଼ିଶା ଜନତା କଂଗ୍ରେସ ବରଦାସ୍ତ କରିବ ନାହିଁ।କଳାହାଣ୍ଡିରୁ ପରିବର୍ତ୍ତନ ଆରମ୍ଭ ହେବ ବୋଲି କହିଛନ୍ତି ମୋକିମ୍। ବନ୍ଦ ଡାକରା ସ୍ଵତ୍ତେ ଆଶାତୀତ ଲୋକଙ୍କୁ ଦେଖି ସ୍ଥାନୀୟ ପ୍ରସଙ୍ଗକୁ ମୁଦ୍ଦା କରିଛି ଜନତା କଂଗ୍ରେସ। କଳାହାଣ୍ଡି ରେ ପିଇବା ପାଣି ନାହିଁ। ଶିକ୍ଷାରେ ପଛୁଆ। ୮୦ ଭାଗ ଲୋକ ମେଡ଼ିକାଲ ଚିକିତ୍ସାରୁ ବଞ୍ଚିତ। ଏଠାରେ ଥିବା କମ୍ପାନୀରେ କିନ୍ତୁ ଓଡ଼ିଆ ଲୋକଙ୍କର ଭାଗିଦାରୀ ନାହିଁ। ଏଭଳି କହି ଟାର୍ଗେଟ କରିଛନ୍ତି ମୋକିମ୍ । କହିଛନ୍ତି, କଳାହାଣ୍ଡି ରେ ଯୁବକ, ଛାତ୍ର ଓ ମହିଳାଙ୍କ ସ୍ୱର ପାଲଟିବ ଓଡ଼ିଶା ଜନତା କଂଗ୍ରେସ।

ସଭାକୁ ହଜମ କରି ପାରି ନାହାନ୍ତି ଭକ୍ତଙ୍କ ପୁଅ

ନିଜ ନିର୍ବାଚନ ମଣ୍ଡଳୀରେ ଓଡ଼ିଶା ଜନତା କଂଗ୍ରେସ ଏହି ସଭାକୁ ହଜମ କରି ପାରି ନାହାନ୍ତି ଭକ୍ତଙ୍କ ପୁଅ ବିଧାୟକ ସାଗର ଦାସ। ମଞ୍ଚରେ ମୋକୀମ - ମଧୁ ମହାନ୍ତି ଙ୍କ ଯୋଡ଼ିକୁ ଦେଖି କଡା କାଉଣ୍ଟର କରିଛନ୍ତି। କହିଛନ୍ତି ସବୁ ଚିଟ ଫଣ୍ଡ ଠକ୍ ଏକାଠି ହୋଇଛନ୍ତି। ମହମ୍ମଦ ମୋକିମ ବିଜେପି ମନ୍ତ୍ରୀ ଙ୍କ ଦଲାଲି କରୁଛନ୍ତି ବୋଲି ସାଗର ଦାସ ଆକ୍ଷେପ କରିଛନ୍ତି । କହିଛନ୍ତି, ବିଜେପି ର ସି ଟିମ୍ ଜନତା କଂଗ୍ରେସ। ତୁର୍କେଲ ପୋଲ ପ୍ରସଙ୍ଗ ଉଠାଇ ବିଧାୟିକା ସୋଫିଆଙ୍କୁ ଟାର୍ଗେଟ କରିଛନ୍ତି ।

ସାଗର କହିଛନ୍ତି, ତୁର୍କେଲ ପୋଲ ପାଇଁ ଆନ୍ଦୋଳନ ଜାରି ରଖିଛି କଂଗ୍ରେସ। ସେପଟେ ଭକ୍ତ ଦାସ କହିଛନ୍ତି, ମୋକିମଙ୍କ ଓଡିଶା ଜନତା କଂଗ୍ରେସ ଦଳକୁ ସେ ସିରିଏସଲି ନିଅନ୍ତି ନାହିଁ । ଆଗାମୀ ଦିନରେ ଓଡିଶା ଜନତା କଂଗ୍ରେସ ରାଜନୈତିକ ଭବିଷ୍ୟତ କଣ ହେଉଛି ଦେଖାଯାଉ ବୋଲି ଭକ୍ତ କହିଛନ୍ତି । ପିସିସି ସଭାପତି ଭକ୍ତ ଦାସଙ୍କ ସହ ଅପଡ ପରେ ମୋକିମ୍ କଂଗ୍ରେସରୁ ବାହାରି ଓଡିଶା ଜନତା କଂଗ୍ରେସ ଗଢିଛନ୍ତି । ଆଉ ଏବେ ଭକ୍ତ ଙ୍କ ଗଡ଼ରେ ମୋକିମ ଙ୍କ ଶକ୍ତି ପ୍ରଦର୍ଶନ ନୂଆ ଦଳକୁ କେତେ ବଳ ଯୋଗାଉଛି ତାହା ଦଖିବାକୁ ପଡିବ ।