ମୁମ୍ବାଇ ୨୪।୧୦ : ରାଜ୍ୟରେ ନୂଆ କେମିକାଲ ପ୍ଲାଣ୍ଟ ଏବଂ ଜୈବିକ ସାର ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ ପାରାଦୀପ ଫସ୍ଫେଟ୍ସ ଲିମିଟେଡ । ଏଥିପାଇଁ ଓଡ଼ିଶା ସରକାରଙ୍କ ସହ ଏହା ଏମ୍ଓୟୁ ସ୍ୱାକ୍ଷର କରିଛି । ବୁଝାମଣା ମୁତାବକ କମ୍ପାନି ନୂଆ ୟୁନିଟ୍ଗୁଡ଼ିକରେ ୪,୭୫୦ କୋଟି ଟଙ୍କା ନିବେଶ କରିବ ।

ଏହି ରଣନୈତିକ ବୁଝାମଣା ମାଧ୍ୟମରେ କେମିକାଲ ଏବଂ ସାର କ୍ଷେତ୍ର ପାଇଁ ଏକ ପ୍ରମୁଖ ହବ୍ ଭାବେ ଓଡ଼ିଶାର ସ୍ଥିତି ମଜଭୁତ ହେବ । ମୁମ୍ବାଇରେ ଆୟୋଜିତ ଇଣ୍ଡିଆ କେମ୍ ୨୦୨୬ ଅବସରରେ ଆୟୋଜିତ ଏକ ନିବେଶକ ସମ୍ମିଳନୀରେ ଏ ଚୁକ୍ତି ଚୂଡ଼ାନ୍ତ ହୋଇଥିଲା। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଉପସ୍ଥିତିରେ ଏହା ସ୍ୱାକ୍ଷର ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ କୁମାର ଶର୍ମା ଏବଂ ପାରାଦୀପ ଫସ୍ଫେଟ୍ସ ପକ୍ଷରୁ ଏମ୍ଡି ତଥା ସିଇଓ ଏନ୍. ସୁରେଶ କ୍ରିଷ୍ଣନ ବୁଝାମଣାରେ ସ୍ୱାକ୍ଷର କରିଥିଲେ ।

ପ୍ରସ୍ତାବିତ ପୁଞ୍ଜି ନିବେଶ ମାଧ୍ୟମରେ ଦୁଇଟି ପ୍ରାଥମିକ ଶିଳ୍ପ ୟୁନିଟ୍କୁ ସହାୟତା ମିଳବ । ଏହାସହିତ କୃଷି କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯିବ। ଶିଳ୍ପ ଅଭିବୃଦ୍ଧିକୁ ଏହି ନିବେଶ ତ୍ୱରାନ୍ୱିତ କରିବ ଏବଂ ରାଜ୍ୟର ସମଗ୍ର ମୂଲ୍ୟ ଶୃଙ୍ଖଳରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବ। ଏହି ନିବେଶ ଓଡ଼ିଶାରେ କମ୍ପାନିର ଦୀର୍ଘଦିନର ସମ୍ପର୍କକୁ ସୁଦୃଢ଼ କରୁଛି, ଯେଉଁଠି କମ୍ପାନି ଏକ ପ୍ରତିଷ୍ଠିତ ଶିଳ୍ପ ଉପସ୍ଥିତି ବଜାୟ ରଖିଛି । ଉତ୍ପାଦନ କ୍ଷମତାକୁ ମଜଭୁତ କରିବା ସହ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ ଓଡ଼ିଶା ସରକାରଙ୍କ ପ୍ରତିବଦ୍ଧତା ସହ ଏହି ପ୍ରକଳ୍ପ ସମନ୍ୱିତ ।

Also Read:-ବାତ୍ୟା ପୂର୍ବରୁ ସତର୍କ କେନ୍ଦ୍ରାପଡ଼ା ପ୍ରଶାସନ, ୧୩୦ ବାତ୍ୟା ଆଶ୍ରୟସ୍ଥଳୀକୁ କାର୍ଯ୍ୟକ୍ଷମ ରଖିବାକୁ ନିର୍ଦ୍ଦେଶ

ସେହିପରି କୃଷି ସହ ବିନିର୍ମାଣକୁ ସମନ୍ୱିତ କରି କମ୍ପାନି ଭାରତର ସାର ଆବଶ୍ୟକତାରେ ନିଜର ଯୋଗଦାନ ଦେବାକୁ ଚାହେଁ । ଏହାସହିତ ଆଞ୍ଚଳିକ ଅର୍ଥନୈତିକ ବିକାଶକୁ ଏହା ବଳ ଦେବ । ଶିଳ୍ପ ବିକାଶ ଏବଂ ମୂଲ୍ୟ ଶୃଙ୍ଖଳକୁ ପ୍ରୋତ୍ସାହନ କରିବା ଦିଗରେ ରାଜ୍ୟ ସରକାରଙ୍କ ବ୍ୟାପକ ଉଦ୍ୟମକୁ ଏହି ପ୍ରକଳ୍ପ ଦର୍ଶାଉଛି । ଏହାସହିତ ଆନୁଷଙ୍ଗିକ କ୍ଷେତ୍ରରେ ନିବେଶ ପାଇଁ ଓଡ଼ିଶାକୁ ଏକ ପ୍ରତିଯୋଗିତାମୂଳକ ସ୍ଥଳ ଭାବେ ଉପସ୍ଥାପିତ କରୁଛି ।