ନୂଆଦିଲ୍ଲୀ: ଟେକ୍ ଜଗତର ବଡ଼ କମ୍ପାନି ମେଟା (Meta) ଏକ ବଡ଼ ଧମାକା କରିଛି । କମ୍ପାନି ଏହାର ନୂଆ ପର୍ସନାଲ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଏଜେଣ୍ଟ ‘ମ୍ୟୁଜ୍’ (Muse) ଲଞ୍ଚ କରିଛି । ବର୍ତ୍ତମାନ ଏହି ସେବା କେବଳ ଆମେରିକାରେ ୧୮ ବର୍ଷ ବା ତା’ଠାରୁ ଅଧିକ ବୟସ୍କ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ କରାଯାଇଛି । ତେବେ ଏହି ଏଆଇ ଏଜେଣ୍ଟ ଡିଜିଟାଲ୍ ଦୁନିଆରେ ମଣିଷର କାମକୁ ସମ୍ପୂର୍ଣ୍ଣ ସହଜ କରିଦେବ ବୋଲି କମ୍ପାନି କହିଛି ।

ସାଧାରଣତଃ AI ଚାଟବଟ୍ କେବଳ ଆପଣଙ୍କ ପ୍ରଶ୍ନର ଉତ୍ତର ଦେଇଥାନ୍ତି । କିନ୍ତୁ ଏହି AI ଏଜେଣ୍ଟ କେବଳ ସୂଚନା ଦେବ ନାହିଁ ବରଂ ଆପଣଙ୍କ କାମ ମଧ୍ୟ କରିବ । ଉଦାହରଣ ସ୍ୱରୂପ, ଯଦି ଆପଣ ଟିକେଟ୍ ବୁକ୍ କରିବାକୁ କହିବେ । ତେବେ ଏହା ନିଜେ ୱେବସାଇଟ୍ ଖୋଲି ଫର୍ମ ଭରିବା ସହ ବୁକିଂ ପ୍ରକ୍ରିୟାକୁ ଆଗକୁ ବଢ଼ାଇବ ।

କେଉଁ ସବୁ କାମ କରିପାରିବ ‘ମ୍ୟୁଜ୍’?

ଏହି ଏଆଇ ଏଜେଣ୍ଟ ୟୁଜର୍ସଙ୍କ ପାଇଁ ନିଜେ ନିଜେ ଇମେଲ୍ ପଠାଇବା, ଅନଲାଇନ୍ ସପିଂ କରିବା ଏବଂ ଟ୍ରାଭେଲ୍ ଟିକେଟ୍ ବୁକ୍ କରିବା ଭଳି କାମ ଚୁଟକିରେ କରିଦେବ । ଖାଲି ସେତିକି ନୁହେଁ, ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବା କିମ୍ବା ବର୍ଷକ ପାଇଁ ଫିଟନେସ୍/ଏକ୍ସରସାଇଜ୍ ଚାର୍ଟ ପ୍ରସ୍ତୁତ କରିବାରେ ଏହା ସାହାଯ୍ୟ କରିବ । ଆହୁରି ମଧ୍ୟ ୟୁଜର୍ସ ଏହାକୁ ଏକ ସ୍ୱତନ୍ତ୍ର ଆପ୍ କିମ୍ବା ହ୍ୱାଟ୍ସଆପ୍ (WhatsApp) ଜରିଆରେ ବ୍ୟବହାର କରି ବାର୍ତ୍ତାଳାପ ମଧ୍ୟ କରିପାରିବେ ।

ଡାଟା ଏବଂ ପାସୱାର୍ଡ କେତେ ସୁରକ୍ଷିତ?

ସେହିଭଳି ଏହି ଏଆଇ ଏଜେଣ୍ଟ ପେମେଣ୍ଟ ମଧ୍ୟ କରିପାରିବ । ଅବଶ୍ୟ ଅନଲାଇନ୍ ପେମେଣ୍ଟ କିମ୍ବା ଲଗ୍- ଇନ୍ ସମୟରେ ସୁରକ୍ଷାକୁ ନେଇ ମେଟା ସ୍ପଷ୍ଟ କରିଛି ଯେ, ଉପଭୋକ୍ତାଙ୍କ ପାସୱାର୍ଡ ଏବଂ କାର୍ଡ ସୂଚନା ସମ୍ପୂର୍ଣ୍ଣ ସୁରକ୍ଷିତ ଷ୍ଟୋରେଜରେ ରହିବ। ‘ମ୍ୟୁଜ୍’ ଏହାର ବ୍ୟବହାର କରିପାରିବ ସତ, କିନ୍ତୁ ଏହାକୁ ଦେଖିପାରିବ ନାହିଁ ।

ଏହା ସହିତ ଏହି ଏଜେଣ୍ଟ ଏକ ସୁରକ୍ଷିତ ‘ଭର୍ଚୁଆଲ୍ ମେସିନ୍’ (Muse Secure VM)ରେ ଚାଲିବ, ଯାହା ଡାଟା ଲିକ୍ ହେବାକୁ ଦେବ ନାହିଁ। କୌଣସି ବି ସମ୍ବେଦନଶୀଳ କାର୍ଯ୍ୟ ଯେପରିକି ଆର୍ଥିକ କାରବାର କରିବା ପୂର୍ବରୁ ଏହା ଉପଭୋକ୍ତାଙ୍କ ଅନୁମତି (Permission) ମାଗିବ ।

Also Read: ସାଟେଲାଇଟ୍ ଇଣ୍ଟରନେଟ୍ ଦୁନିଆରେ ବଡ଼ ବିପ୍ଳବ: ଜିଓ ଓ ଷ୍ଟାରଲିଙ୍କ ରାସ୍ତା ସଫା

ଜୁକରବର୍ଗଙ୍କ ବଡ଼ ସ୍ୱପ୍ନ

ମେଟା ସିଇଓ ମାର୍କ ଜୁକରବର୍ଗଙ୍କ ସୁପର-ଇଣ୍ଟେଲିଜେନ୍ସ ଭିଜନର ଏହା ଏକ ପ୍ରମୁଖ ଅଂଶ । ଜୁକରବର୍ଗଙ୍କ ଅନୁଯାୟୀ, ଆଗାମୀ ଦିନରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ଏଭଳି ଏକ ପର୍ସନାଲ AI ସହାୟକ ରହିବ, ଯାହା ମଣିଷର ସମୟ ବଞ୍ଚାଇବା ସହ କ୍ୟାରିୟର, ସ୍ୱାସ୍ଥ୍ୟ ଏବଂ ଆର୍ଥିକ ପରିଚାଳନାରେ ୨୪ ଘଣ୍ଟା ସାହାଯ୍ୟ କରିବ ।