ନୂଆଦିଲ୍ଲୀ: ଭାରତରେ ସାଟେଲାଇଟ୍ ବ୍ରଡବ୍ୟାଣ୍ଡ୍ ବା ମହାକାଶ ଇଣ୍ଟରନେଟ୍ ସେବା ଆରମ୍ଭ ଦିଗରେ ଏକ ବଡ଼ ସଫଳତା ମିଳିଛି । ଦେଶରେ ଉପଗ୍ରହ ମାଧ୍ୟମରେ ହାଇ-ସ୍ପିଡ୍ ଇଣ୍ଟରନେଟ୍ ଯୋଗାଇ ଦେବା ପାଇଁ ସ୍ପେକ୍ଟ୍ରମ ଆବଣ୍ଟନ ପ୍ରକ୍ରିୟାକୁ ଏକ ଗୁରୁତ୍ୱପୂର୍ଣ୍ଣ ସବୁଜ ସଙ୍କେତ ମିଳିଛି । ସଚିବମାନଙ୍କ ଏକ ଉଚ୍ଚସ୍ତରୀୟ ସମୂହ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI)ର ସୁପାରିଶକୁ ଆନୁଷ୍ଠାନିକ ଭାବେ ଅନୁମୋଦନ କରିଛନ୍ତି । ଏହି ନିଷ୍ପତ୍ତି ପରେ ଏଲନ୍ ମସ୍କଙ୍କ 'ଷ୍ଟାରଲିଙ୍କ୍', ଏୟାରଟେଲ୍‌ରେ 'ୱାନୱେବ୍' ଏବଂ ମୁକେଶ ଅମ୍ବାନୀଙ୍କ 'ରିଲାଏନ୍ସ ଜିଓ' ଭଳି ବଡ଼ ବଡ଼ କମ୍ପାନୀଗୁଡ଼ିକ ପାଇଁ ଭାରତୀୟ ବଜାରରେ ସେବା ଆରମ୍ଭ କରିବା ସହଜ ହୋଇଯିବ ।

ନୂତନ ନିୟମ ଅନୁଯାୟୀ, ଯୋଗ୍ୟ କମ୍ପାନୀଗୁଡ଼ିକୁ ପ୍ରାଥମିକ ପର୍ଯ୍ୟାୟରେ ୫ ବର୍ଷ ପାଇଁ ସ୍ପେକ୍ଟ୍ରମ ଆବଣ୍ଟନ କରାଯିବ । ଏହାର ବଦଳରେ କମ୍ପାନୀଗୁଡ଼ିକୁ ସେମାନଙ୍କ ଆଡଜଷ୍ଟେଡ୍ ଗ୍ରସ୍ ରେଭେନ୍ୟୁ (AGR)ର ୫ ପ୍ରତିଶତ ସ୍ପେକ୍ଟ୍ରମ ବ୍ୟବହାର ଚାର୍ଜ ବା ଏସୟୁସି (SUC) ଆକାରରେ ସରକାରଙ୍କୁ ଦେବାକୁ ପଡ଼ିବ । ତେବେ ଡିଜିଟାଲ୍ ଇଣ୍ଡିଆ ଅଭିଯାନକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଦେଶର ଦୁର୍ଗମ ଓ ଗ୍ରାମାଞ୍ଚଳରେ ଯେଉଁ କମ୍ପାନୀଗୁଡ଼ିକ ସେବା ଯୋଗାଇବେ, ସେମାନଙ୍କ ପାଇଁ ଏହି ସ୍ପେକ୍ଟ୍ରମ ୟୁସେଜ୍ ଚାର୍ଜ (SUC) କମ୍ ରଖାଯିବ ।

Also Read: ବ୍ୟାଙ୍କ ଲକରରୁ ଗାଏବ ହେଲା ୩୯ ଲକ୍ଷର ସୁନା: ନକଲି ରଖି ଲୁଟି ନେଲେ ଅସଲି ଗହଣା, କର୍ମଚାରୀ ସହ ସହଯୋଗୀ ଗିରଫ

ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ଡିଜିଟାଲ୍ କମ୍ୟୁନିକେସନ୍ କମିଶନ (DCC)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ସଚିବ ସମୂହଙ୍କ ଅନୁମୋଦନ ପରେ ଏବେ ଏହି ପ୍ରସ୍ତାବକୁ ଚୂଡ଼ାନ୍ତ ମଞ୍ଜୁରୀ ପାଇଁ କେନ୍ଦ୍ର କ୍ୟାବିନେଟ୍ ନିକଟକୁ ପଠାଯିବ। ମୋଦୀ ସରକାରଙ୍କ କ୍ୟାବିନେଟ୍ ମଞ୍ଜୁରୀ ମିଳିବା ମାତ୍ରେ ଦେଶରେ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ରୋଲ୍ଆଉଟ୍ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯିବ। ଏହା ଦ୍ୱାରା ଦେଶର କୋଣ ଅନୁକୋଣରେ, ଯେଉଁଠି ମୋବାଇଲ୍ ନେଟୱର୍କ ପହଞ୍ଚିବା କଷ୍ଟକର, ସେଠାରେ ମଧ୍ୟ ମହାକାଶରୁ ସିଧାସଳଖ ହାଇ-ସ୍ପିଡ୍ ଇଣ୍ଟରନେଟ୍ ପହଞ୍ଚିପାରିବ।