କଟକ ୪।୧୦: କଟକ ବିଶ୍ବନାଥ ପଣ୍ଡିତ ପାଠାଗାର ଫି’ ବୃଦ୍ଧିକୁ ନେଇ ଆରମ୍ଭ ହୋଇଥିବା ଆନ୍ଦୋଳନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମେୟର ସୁବାସ ସିଂହ । ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ପାଠାଗାର ପାଠକ-ପାଠିକା ଓ ବିଧାୟିକା ମହାନଗର ନିଗମ ଅଫିସ ଆଗରେ ଧାରଣାରେ ବସିଥିଲେ । ପୂର୍ବରୁ ପାଠାଗାର ଫି’ ବର୍ଷକୁ ଶହେ ଟଙ୍କା ଥିବା ବେଳେ ଏବେ କର୍ତ୍ତୃପକ୍ଷ ନୂଆ ପାଠାଗାର ପାଇଁ ବର୍ଷକୁ ୨୯ ଶହ ଟଙ୍କା ଧାର୍ଯ୍ୟ କରିଛନ୍ତି । ଏହା ସହ ଏହି ଟଙ୍କା ଅଗ୍ରୀମ ଦେବାକୁ ପଡିବ ବୋଲି କୁହାଯାଇଛି । ଏହି ଫି’ ବୃଦ୍ଧିକୁ ପ୍ରତ୍ୟାହାର ଦାବିରେ ପାଠକ-ପାଠିକା ଦାବି କରି ଆନ୍ଦୋଳନ କରୁଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ମେୟର କହିଛନ୍ତି, ଏବେ ନେତାଜୀ ବସ୍ ଟର୍ମିନାଲରେ ଥିବା ପାଠାଗାରକୁ ସମ୍ପୂର୍ଣ୍ଣ ଦେୟମୁକ୍ତ କରାଯାଇଛି । ଏହା ସହ ମେୟର କହିଛନ୍ତି, ବିଶ୍ବନାଥ ପଣ୍ଡିତ ପାଠାଗାରର ନୂଆ କୋଠାରେ ପାଠ ପଢିବାକୁ ଦେୟମୁକ୍ତ କରିବା KMC ଅଧିକାର ପରିସରଭୁକ୍ତ ନୁହେଁ । ରାଜ୍ୟ ସରକାର ଚାହିଁଲେ ଦେୟମୁକ୍ତ କରି ପାରିବେ ।

Also Read:- ଘରେ ଶୋଇଥିଲେ ପରିବାର, ରାତିରେ ପଶିଗଲା ବାଘ.. ଜଣଙ୍କ ପରେ ପରେ ଜଣଙ୍କୁ କାମୁଡ଼ି ଚାଲିଲା

ରାଜ୍ୟ ସରକାର ପାଠାଗାର ରକ୍ଷଣାବେକ୍ଷଣ ଦାୟିତ୍ବ ନେଲେ ପାଠପଢାକୁ KMC ଦେୟମୁକ୍ତ କରି ପାରିବ ବୋଲି ମେୟର କହିଛନ୍ତି । ଏହାସହ ବିଧାୟିକା ସୋଫିଆ ଫିର୍ଦ୍ଦୋସ ନିଜ ପାଣ୍ଠିରୁ ଲାଇବ୍ରେରୀ ରକ୍ଷଣାବେକ୍ଷଣ ଖର୍ଚ୍ଚ ବହନ କରନ୍ତୁ ବୋଲି ମେୟର କହିଛନ୍ତି । ବିଧାୟିକା ଖର୍ଚ୍ଚ ବହନ କଲେ ପାଠାଗାର ଫି’ ବୃଦ୍ଧି ପ୍ରତ୍ୟାହାର ହୋଇପାରିବ ବୋଲି ସେ କହିଛନ୍ତି । ମହାନଗର ନିଗମ କମିଶନର ଆନ୍ଦୋଳନରତ ପାଠକ ପାଠିକାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିବା ବେଳେ ସେ ଏହାକୁ ଅସ୍ବୀକାର କରିଛନ୍ତି ।