ନୂଆଦିଲ୍ଲୀ: କୁଖ୍ୟାତ ଗ୍ୟାଙ୍ଗଷ୍ଟର ସତୀନ୍ଦରଜିତ ସିଂହ ଓରଫ ଗୋଲ୍ଡି ବ୍ରାରର ଅଡ଼ୁଆ ଆହୁରି ବଢ଼ିଯାଇଛି। ଆମେରିକାର ପ୍ରମୁଖ ତଦନ୍ତକାରୀ ସଂସ୍ଥା ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବା FBI ଗୋଲ୍ଡି ବ୍ରାରକୁ ନିଜର ‘୧୦ ମୋଷ୍ଟ ୱାଣ୍ଟେଡ୍’ ତାଲିକାରେ ସାମିଲ କରିଛି। ଏହା ସହ ତା ସଂପର୍କରେ ସୂଚନା ଦେଲେ ୧ ମିଲିୟନ ଡଲାର ପୁରସ୍କାର ରାଶି ଦିଆଯିବ ବୋଲି ଏଫବିଆଇ ପକ୍ଷରୁ ଘୋଷଣା କରାଯାଇଛି। ଆମେରିକା ଏବଂ କାନାଡାରେ  ଏକ ଅନ୍ତର୍ଜାତୀୟ ସଂଗଠିତ ଅପରାଧ ସିଣ୍ଡିକେଟର ନେତୃତ୍ୱ ନେଉଥିବା ଅଭିଯୋଗରେ ତାକୁ ଏହି ତାଲିକାରେ ରଖାଯାଇଛି। ଏଫବିଆଇର ନୋଟିସ୍ ଅନୁଯାୟୀ, ଗୋଲ୍ଡି ବ୍ରାର କୁଖ୍ୟାତ ଲରେନ୍ସ ବିଷ୍ଣୋଇ ଅର୍ଗାନାଇଜଡ୍ କ୍ରାଇମ୍ ଗ୍ରୁପର ଉତ୍ତର ଆମେରିକା ଶାଖାର ପରିଚାଳନା କରୁଛି। 

ଏହି ଅପରାଧିକ ଗୋଷ୍ଠୀ ବିରୋଧରେ ରାଜନୈତିକ ଓ ଧାର୍ମିକ ବ୍ୟକ୍ତିବିଶେଷଙ୍କ ହତ୍ୟା, ଗୁଳିକାଣ୍ଡ, ଅପହରଣ, ଦାଦାବଟି ଆଦାୟ, ଆକ୍ରମଣ, ମାନବ ଚାଲାଣ ଏବଂ ନିଶାଦ୍ରବ୍ୟ ଓ ମାରଣାସ୍ତ୍ର ଚୋରାଚାଲାଣ ଭଳି ବହୁ ସଙ୍ଗୀନ ଅଭିଯୋଗ ରହିଛି। ଏଫବିଆଇ ଲସ୍ ଆଞ୍ଜେଲସର ଆସିଷ୍ଟାଣ୍ଟ ଡାଇରେକ୍ଟର ଇନ୍ ଚାର୍ଜ ପାଟ୍ରିକ୍ ଗ୍ରାଣ୍ଡି କହିଛନ୍ତି ଯେ, ହିଂସା ଘଟାଇବାର ପ୍ରବୃତ୍ତି ଏବଂ ସାଧାରଣ ଜନତାଙ୍କ ସୁରକ୍ଷା ପ୍ରତି ସୃଷ୍ଟି ହୋଇଥିବା ବିପଦକୁ ଦୃଷ୍ଟିରେ ରଖି ସତୀନ୍ଦରଜିତ ସିଂହକୁ ଏହି ମୋଷ୍ଟ ଓ୍ବାଣ୍ଟେଡ୍‌ ତାଲିକାରେ ସାମିଲ କରାଯାଇଛି। ଗତ ଜୁଲାଇ ୧ ତାରିଖରେ ଲସ୍ ଆଞ୍ଜେଲସ ସ୍ଥିତ ୟୁଏସ୍ ଡିଷ୍ଟ୍ରିକ୍ଟ କୋର୍ଟ ପକ୍ଷରୁ ଗୋଲ୍ଡି ବ୍ରାର ବିରୋଧରେ ଏକ ଫେଡେରାଲ୍ ଗିରଫ ପରୱାନା ଜାରି କରାଯାଇଥିଲା। 

ସୂଚନାଯୋଗ୍ୟ ଯେ, ଭାରତରେ ଥିବା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହଜାର ହଜାର ସଦସ୍ୟ ଓ ସହଯୋଗୀ ଆମେରିକା, କାନାଡା, ବ୍ରିଟେନ, ୟୁରୋପ ଏବଂ ଅଷ୍ଟ୍ରେଲିଆରେ ସକ୍ରିୟ ଅଛନ୍ତି। ଆନ୍ତର୍ଜାତୀୟ ନିଶା କାରବାର ଏବଂ ସଂଗଠିତ ଅପରାଧ ବିରୋଧରେ ବର୍ଷ ବର୍ଷ ଧରି ଚାଲିଥିବା 'ଅପରେସନ୍ ହାର୍ଡ ବଲ୍' ସମୟରେ ଗୋଲ୍ଡି ବ୍ରାରର ଅନେକ ସହଯୋଗୀଙ୍କୁ ପୂର୍ବରୁ ଗିରଫ କରାଯାଇସାରିଛି। ଏଫବିଆଇ ପକ୍ଷରୁ ଗୋଲ୍ଡି ବ୍ରାରକୁ ଅତି ବିପଜ୍ଜନକ ବୋଲି ଦର୍ଶାଯିବା ସହ ସାଧାରଣ ଲୋକଙ୍କୁ ତା ନିକଟକୁ ନ ଯିବାକୁ ସତର୍କ କରାଇ ଦିଆଯାଇଛି।