ଭୁବନେଶ୍ୱର: ଭୁବନେଶ୍ୱର ଦେଇ ଚାଲାଣ ହେଉଥିଲା କୋଟି କୋଟି ଟଙ୍କାର ବିଦେଶୀ ସୁନା। ବିଦେଶୀ ସୁନା ଚୋରାଚାଲାଣ ଉପରେ ବଡ଼ ଧରଣର ଚଢ଼ାଉ କରି ଏହି ସୁନା ଜବତ କରିଛି ଡିଆରଆଇ । ଏକ କିଆ କାର୍‌ରୁ ପ୍ରାୟ ୩ କୋଟି ୮୩ ଲକ୍ଷ ଟଙ୍କାର ୨୫ଟି ସୁନା ବିସ୍କୁଟ୍ ଜବତ କରିଛି ଡିଆରଆଇର ହାଇଦ୍ରାବାଦ ଜୋନାଲ ୟୁନିଟ୍। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି।

ସୂଚନା ଅନୁଯାୟୀ, କୋଲକାତାରୁ ଭୁବନେଶ୍ୱର ଦେଇ ହାଇଦ୍ରାବାଦ ଅଭିମୁଖେ ଯାଉଥିଲା ଏକ କିଆ କାର୍। ଏହି କାର୍‌ରେ ବିଦେଶୀ ସୁନା ଚୋରାଚାଲାଣ ହେଉଥିବା ଖବର ପାଇ ଡିଆରଆଇର ହାଇଦ୍ରାବାଦ ଜୋନାଲ ୟୁନିଟ୍ ଚଢ଼ାଉ କରିଥିଲା। ଯାଞ୍ଚ ସମୟରେ ଗାଡ଼ିର ବିଭିନ୍ନ ଅଂଶକୁ ଖୋଲି ତନଖି କରାଯାଇଥିଲା। ଏହି ସମୟରେ କାର୍‌ର ଲାଇଟ୍ ପଛପଟେ ସ୍ୱତନ୍ତ୍ର ଭାବେ ତିଆରି ଏକ ଗୁପ୍ତ ଚାମ୍ବର ଠାବ ହୋଇଥିଲା। ଏହା ଭିତରେ ବାଦାମୀ ରଙ୍ଗର ଟେପ୍‌ ଦ୍ବାରା ଗୁଡ଼ା ହୋଇ ରହିଥିଲା ତିନୋଟି ପ୍ୟାକେଟ୍। ପ୍ୟାକେଟ୍ଗୁଡ଼ିକୁ ଖୋଲିବା ପରେ ସେଥିରୁ ବାହାରିଥିଲା ୨୫ଟି ସୁନା ବିସ୍କୁଟ୍। ଏହାର ମୋଟ ଓଜନ ୨ କିଲୋ ୯୮୦ ଗ୍ରାମ ହୋଇଥିବା ବେଳେ ଜବତ ସୁନାର ଆନୁମାନିକ ବଜାର ମୂଲ୍ୟ ୩ କୋଟି ୮୩ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି।

Also Read: STFର ଡବଲ୍ ଆକ୍ସନ୍ : ୨ ବନ୍ଧୁକ ବେପାରୀ ଗିରଫ, ୧୧ ହଜାର ଏକର ଗଞ୍ଜେଇ ଚାଷ ନଷ୍ଟ

ଜବତ ସୁନା ବିସ୍କୁଟ୍ ମଧ୍ୟରୁ କିଛିରେ ବିଦେଶୀ ଚିହ୍ନ ରହିଥିବା ବେଳେ ଅନ୍ୟ କିଛି ବିସ୍କୁଟରୁ ଚିହ୍ନ ଲିଭାଇ ଦିଆଯାଇଥିବା ଜଣାପଡ଼ିଛି। ଏହା ପଛରେ ରହିଥିବା ଚୋରାଚାଲାଣ ନେଟୱର୍କ ଏବଂ ସୁନାର ଉତ୍ସ ସମ୍ପର୍କରେ ଅଧିକ ତଦନ୍ତ ଚାଲିଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଡିଆରଆଇ। କୋଲକାତାରୁ ହାଇଦ୍ରାବାଦ ଯାଉଥିବା ଏହି ସୁନା ଚାଲାଣରେ ଭୁବନେଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ମାର୍ଗ ହୋଇଥିବା ବେଳେ ଏହି ଘଟଣା ପୁଣିଥରେ ଅନ୍ତଃରାଜ୍ୟ ସୁନା ଚୋରାଚାଲାଣକୁ ନେଇ ଚର୍ଚ୍ଚା ସୃଷ୍ଟି କରିଛି।