ମୁମ୍ୱାଇ ୨୨।୧୧: ବଲିଉଡର ପ୍ରସିଦ୍ଧ ଗାୟିକା ଅଳକା ୟାଗ୍ନିକଙ୍କ ପ୍ରଶଂସକ ସାରା ବିଶ୍ୱରେ ଅଛନ୍ତି । ତାଙ୍କର କ୍ୟାରିୟର ମଧ୍ୟ ଖୁବ୍ ଚମତ୍କାର ରହିଛି ଏବଂ ସେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଏକ ଭଲ ସମୟ ଦେଇଛନ୍ତି । ହେଲେ ୨୦୨୪ ମସିହାରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଏପରି ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଥିଲା, ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଥିଲା । ଅଳକା ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ପ୍ରଶଂସକମାନଙ୍କୁ ସୂଚନା ଦେଇଥିଲେ ଯେ ଏକ ବିରଳ ରୋଗ (ଡିସଅର୍ଡର) କାରଣରୁ ସେ ଏବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଶୁଣି ପାରିବେ ନାହିଁ । ସେ ଲୋକମାନଙ୍କୁ ଇୟରଫୋନ୍ ବ୍ୟବହାର ନକରିବାକୁ ମଧ୍ୟ ପରାମର୍ଶ ଦେଇ ଥିଲେ ।

ସେହିପରି କିଛି ଦିନ ପୂର୍ବରୁ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ପଦ୍ମଭୂଷଣ ସମ୍ମାନ ଗ୍ରହଣ କରିବାକୁ ଯାଇ ଥିଲେ, ଯେଉଁଠାରେ ତାଙ୍କୁ ହ୍ୱିଲଚେୟାରରେ ଦେଖିବାକୁ ମିଳିଥିଲା । ତାଙ୍କର ଏଭଳି ସ୍ୱାସ୍ଥ୍ୟାବସ୍ଥା ପ୍ରଶଂସକମାନଙ୍କୁ ଭାବବିହ୍ୱଳ କରି ଦେଇ ଥିଲା । କିନ୍ତୁ ଏବେ ଫିଲ୍ମ ନିର୍ଦ୍ଦେଶକ ସୁଭାଷ ଘାଇ ଗାୟିକାଙ୍କୁ ନେଇ ଏକ ଖୁସିର ସୂଚନା ସେୟାର କରିଛନ୍ତି । ଅଳକା ୟାଗ୍ନିକ୍ ଏବେ ତାଙ୍କର ଆଗାମୀ ଶୋ’ରେ ପରଫର୍ମ କରିବାକୁ ଯାଉଛନ୍ତି ।

ସୁଭାଷ ଘାଇ କହିଛନ୍ତି - ଅଳକା ୟାଗ୍ନିକ୍ ପୁଣିଥରେ ଚମକିବାକୁ ପ୍ରସ୍ତୁତ ଅଛନ୍ତି । ତାଙ୍କର ସ୍ୱର, ତାଙ୍କର ଚମକ ଏବଂ ତାଙ୍କର ଆତ୍ମା । ଗତକାଲି ରାତିରେ ଯେତେବେଳେ ମୁଁ ତାଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯାଇଥିଲି, ସେତେବେଳେ ମୁଁ ଏହାକୁ ଖୁବ୍ ଗଭୀର ଭାବେ ଅନୁଭବ କରିଥିଲି । ସଙ୍ଗୀତ ଦୁନିଆରେ ୫୦ ବର୍ଷ ପୂରଣ ହେବା ଅବସରରେ ଆସନ୍ତା ଡିସେମ୍ବର ୧୧ ତାରିଖରେ ଜିଓ ଗାର୍ଡେନରେ ହେବାକୁ ଥିବା ମୋର ମ୍ୟୁଜିକାଲ୍ କନସର୍ଟକୁ ନିମନ୍ତ୍ରଣ ଦେବା ପାଇଁ ମୁଁ ତାଙ୍କ ପାଖକୁ ଯାଇଥିଲି । ସେ ଉଠିଲେ ଏବଂ ହସି ହସି କହିଲେ- ମୁଁ ନିଶ୍ଚୟ ଆସିବି । ସେ ଆମ ସମସ୍ତଙ୍କୁ ପୁଣିଥରେ ଉତ୍ସାହିତ କରି ଦେଇଛନ୍ତି । ଧନ୍ୟବାଦ ଅଳକା ୟାଗ୍ନିକ୍। ଆପଣ ସର୍ବଦା ଖୁସିରେ ରୁହନ୍ତୁ ।

କହି ରଖୁଛୁ କି , ଅଳକା ୟାଗ୍ନିକ୍ ଖୁବ୍ କମ୍ ବୟସରୁ ନିଜର ସଙ୍ଗୀତ କ୍ୟାରିୟର ଆରମ୍ଭ କରିଥିଲେ । ସେ ୨୫ଟି ଭିନ୍ନ ଭିନ୍ନ ଭାଷାରେ ୨୦,୦୦୦ରୁ ଅଧିକ ଗୀତ ଗାଇଛନ୍ତି । ତାଙ୍କ ନାମରେ ୟୁଟ୍ୟୁବରେ ସର୍ବାଧିକ ଷ୍ଟ୍ରିମିଂ ହେବାର ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ମଧ୍ୟ ରହିଛି । ଏହା ବ୍ୟତୀତ ସେ ୨ଟି ଜାତୀୟ ପୁରସ୍କାର ଓ ୭ଟି ଫିଲ୍ମଫେୟାର ଆୱାର୍ଡ ମଧ୍ୟ ନିଜ ନାମରେ କରିଛନ୍ତି । ଭାରତ ସରକାରଙ୍କ ଦ୍ୱାରା ତାଙ୍କୁ ପଦ୍ମଶ୍ରୀ ଏବଂ ପଦ୍ମଭୂଷଣ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇ ସାରିଛି ।