କଟକ ୧୬।୪: କେବେ ଏହି ସ୍ଥାନ ଯୋବ୍ରା ବତୀଘର ଭାବେ ପରିଚିତ ଥିଲା, ଏବେ କିନ୍ତୁ ଏହା ହେଉଛି ଏକ ବିଶ୍ୱ ସ୍ତରୀୟ ସଂଗ୍ରହାଳୟ । ପୂର୍ବ ଭାରତର ଏହି ପ୍ରସିଦ୍ଧ ନୌବାଣିଜ୍ୟ ସଂଗ୍ରହାଳୟକୁ ଦୈନିକ ପର୍ଯ୍ୟଟକ ଆସୁଛନ୍ତି । କିନ୍ତୁ କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଏହି ସ୍ଥାନଟି ଖୁବ ଉପଯୋଗୀ ସାବ୍ୟସ୍ତ ହୋଇପାରିଛି । ସଂଗ୍ରହାଳୟରେ ଥିବା ବିଭିନ୍ନ ଗ୍ୟାଲେରୀରେ ଯୁବପିଢ଼ିଙ୍କର ଏଭଳି ଗହଳି ହେଉଛି ତାର ପ୍ରମାଣ । ଯାହାକୁ ଆଖିରେ ରଖି ନୌବାଣିଜ୍ୟ ସଂଗ୍ରହଳୟ କର୍ତ୍ତୃପକ୍ଷ ଚଳିତ ବର୍ଷ କିଛି ନିଆରା ପଦକ୍ଷେପ ନେବାକୁ ଯାଉଛନ୍ତି । ଆସନ୍ତା ଗ୍ରୀଷ୍ମଛୁଟି ସମୟରେ, ଆଗ୍ରହୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍ପେଶାଲ ଇଣ୍ଟର୍ଣ୍ଣସିପ୍ କୋର୍ସ ଉପଲବ୍ଧ ହେବ । ଯେଉଁଥି ପାଇଁ କିଛି ଶିକ୍ଷାନୁଷ୍ଠାନ ଏବେଠାରୁ ଆବେଦନ ମଧ୍ୟ କରିସାରିଲେଣି ।

ପ୍ରାଚୀନ ଓଡ଼ିଶାର ବୈଦେଶିକ ସମ୍ପର୍କ । ଉତ୍କଳୀୟ ନୌବାଣିଜ୍ୟର ଇତିହାସ । ପୂର୍ବ ଏବଂ ଦକ୍ଷିଣ ପୂର୍ବ ଏସିଆର ସାମାଜିକ ଓ ରାଜନୈତିକ ଇତିହାସ ସମ୍ପର୍କରେ ଜାଣିବା ଲାଗି ଦୈନିକ ଶତାଧିକ ସଂଖ୍ୟାରେ ଗବେଷକ ଓ ଛାତ୍ରଛାତ୍ରୀ ମାନେ ଏଠାକୁ ଆସୁଛନ୍ତି । ଏହା ବ୍ୟତୀତ ସଂଗ୍ରହାଳୟ ପରିସରରେ ଥିବା ସୁସଜ୍ଜିତ ଉଦ୍ୟାନ ଏବଂ ଆକର୍ଷଣୀୟ ସ୍ଥାନ ଗୁଡିକ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରୁଛି । ତେବେ ବର୍ତ୍ତମାନର ଗ୍ରୀଷ୍ମ ପ୍ରବାହ ଏଥିରେ କିଛିଟା ବାଧକ ସାଜିଛି । ଖାସ କରି ଯେଉଁମାନେ ଗବେଷଣା ଲକ୍ଷ୍ୟରେ ଏଠାକୁ ଆସୁଛନ୍ତି, ସେମାନଙ୍କ ପାଇଁ ବାତାନୁକୁଳିତ ସ୍ଥାନର ଅଭାବ ରହୁଛି । କାରଣ ରାଜ୍ୟ ସରକାର ଏହାକୁ ଏକ ସଂଗ୍ରହାଳୟ ଭାବେ ଅଧିକ ଗୁରୁତ୍ୱ ଦେଇଛନ୍ତି । କିନ୍ତୁ ଏହା ଏକ ଗବେଷଣା ପ୍ରତିଷ୍ଠାନ, ତାହା ଭୁଲି ଯାଇଥିବା ଭଳି ମନେ ହେଉଛି ।

Also Read:- Office timing issue in GOP block: ସକାଳୁଆ ଅଫିସ୍ କିନ୍ତୁ ବିଳମ୍ବରେ ଆସୁଛନ୍ତି ବାବୁ-ବାବୁଆଣୀ, ସମସ୍ୟାରେ ସାଧାରଣ ଲୋକ

ନୌବାଣିଜ୍ୟ ସଂଗ୍ରହାଳୟର ସଠିକ ପରିଚାଳନା ପାଇଁ ଏକ ଟ୍ରଷ୍ଟ ବୋର୍ଡ ଗଠନ କରାଯାଇଛି । ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରତିବର୍ଷ ବୋର୍ଡ ବୈଠକ ହେବା କଥା । ଯାହା ଗତ କିଛି ବର୍ଷ ହେଲା ହୋଇନାହିଁ । ସେ ବାବଦରେ ସରକାର ବିଶେଷ ଭାବେ ଯତ୍ନବାନ ହେବା ଆବଶ୍ୟକତା ରହିଛି ।