ଭୁବନେଶ୍ୱର : ଭାରତୀୟଙ୍କ ଖାଦ୍ୟ ସଂସ୍କୃତିରେ ମିଠା କେବଳ ଏକ ଖାଦ୍ୟ ନୁହେଁ, ବରଂ ଏହା ଖୁସି ଓ ଉତ୍ସବର ପ୍ରତୀକ। ଭାରତୀୟ ଖାଦ୍ୟ ଥାଳିରେ ମିଠାର ସ୍ଥାନ ସବୁବେଳେ ସ୍ୱତନ୍ତ୍ର। କୌଣସି ଶୁଭ କାମ ହେଉ କି ଅତିଥିଙ୍କ ଆଗମନ, ମିଠାରେ ହିଁ ଆରମ୍ଭ ହୁଏ ଆତିଥ୍ୟ ଚର୍ଚ୍ଚା । ଓଡ଼ିଶାର ଛେନାପୋଡ଼, ରସଗୋଲାଠାରୁ ଆରମ୍ଭ କରି ବେଙ୍ଗଲର ସନ୍ଦେଶ, ଉତ୍ତର ଭାରତର ଗୁଲାବ ଜାମୁନ୍ ପର୍ଯ୍ୟନ୍ତ, ମିଠା ଦେଖିଲେ ଅନେକଙ୍କ ପାଟିରୁ ଲାଳ ଗଡ଼େ। ତେବେ ଅନେକ ଲୋକଙ୍କ ପାଇଁ ମିଠା ଖାଇବା କେବଳ ପର୍ବପର୍ବାଣୀରେ ସୀମିତ ନଥାଏ । ଦୈନନ୍ଦିନ ଖାଦ୍ୟ ପରେ ମଧ୍ୟ କିଛି ମିଠା ଖାଇବାକୁ ପସନ୍ଦ କରନ୍ତି ଲୋକେ । ବିବାହ ଭୋଜି ହେଉ କି ଘରର ଦୈନନ୍ଦିନ ଖାଦ୍ୟ, ଶେଷରେ ଟିକିଏ ମିଠା ଖାଇବା ଯେମିତି ଏକ ପରମ୍ପରା। ପେଟ ପୂରିଯାଇଥିଲେ ମଧ୍ୟ ମିଠା ପାଇଁ ଅଲଗା ଜାଗା କେମିତି ତିଆରି ହୋଇଯାଏ ? କାହିଁକି ଖାଦ୍ୟ ଖାଇ ସାରିବା ପରେ ମିଠା ଖାଇବାକୁ ଇଚ୍ଛା ହୋଇଥାଏ ? ଏହା ପଛରେ ରହିଛି କିଛି ମାନସିକ ଓ ବୈଜ୍ଞାନିକ କାରଣ।

ବିଶେଷଜ୍ଞଙ୍କ ମତରେ, ଏହା ପଛରେ ରହିଛି ମସ୍ତିଷ୍କର ରିୱାର୍ଡ ସିଷ୍ଟମ୍। ମିଠା ଖାଇବା ଦ୍ୱାରା ମସ୍ତିଷ୍କରେ ଡୋପାମିନ୍ର ପ୍ରଭାବ ପଡ଼େ, ଯାହା ଆମକୁ ଖୁସି ଓ ସନ୍ତୋଷ ଅନୁଭବ କରାଇଥାଏ। ଏହି କାରଣରୁ ଖାଇବା ପରେ ମିଠା ଖାଇବାର ଇଚ୍ଛା ବଢ଼ିପାରେ। ଖାଦ୍ୟର ଗଠନ ମଧ୍ୟ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ କାରଣ। ଧଳା ଚାଉଳ, ମଇଦା ଆଧାରିତ ଖାଦ୍ୟ କିମ୍ବା ପ୍ରକ୍ରିୟାକୃତ ଖାଦ୍ୟ ପରି କାର୍ବୋହାଇଡ୍ରେଟ୍ ଯୁକ୍ତ ଖାଦ୍ୟ ରକ୍ତ ଶର୍କରା ସ୍ତରକୁ ତୁଳନାତ୍ମକ ଭାବରେ ଦ୍ରୁତ ଗତିରେ ବୃଦ୍ଧି କରିପାରେ। ଏହା କୋଷଗୁଡ଼ିକରେ ଗ୍ଲୁକୋଜ ପରିବହନରେ ସାହାଯ୍ୟ କରିବା ପାଇଁ ଇନସୁଲିନ୍ ମୁକ୍ତକୁ ଟ୍ରିଗର କରେ। ରକ୍ତ ଶର୍କରା ଏବଂ ଇନସୁଲିନ୍ ସ୍ତରର ପରିବର୍ତ୍ତନ କିଛି ବ୍ୟକ୍ତିଙ୍କ ମଧ୍ୟରେ ଭୋକ ଏବଂ ଖାଦ୍ୟ ଲାଳସାକୁ ପ୍ରଭାବିତ କରିଥାଏ |

ଭାରତୀୟ ପରିବାରରେ ଛୋଟବେଳୁ ଖାଇବା ପରେ ମିଠା ଖାଇବାର ଅଭ୍ୟାସ ରହିଥାଏ। ଧୀରେ ଧୀରେ ଏହା ମାନସିକ ଅଭ୍ୟାସରେ ପରିଣତ ହୋଇଯାଏ। ମାନସିକ ଚାପ, ଚିନ୍ତା କିମ୍ବା ଥକାପଣ ସମୟରେ ଅନେକ ଲୋକ ମିଠା ଖାଇବାକୁ ପସନ୍ଦ କରନ୍ତି। ମିଠା ଖାଇବା ଦ୍ୱାରା କିଛି ସମୟ ପାଇଁ ଭଲ ଅନୁଭବ ହୋଇପାରେ। ତେଣୁ ଏହା ଧୀରେ ଧୀରେ ଭାବନା ସହ ଜଡ଼ିତ ଅଭ୍ୟାସ ହୋଇଯାଏ। ଫଳରେ ଭୋଜନ ଶେଷ ହେବା ମାତ୍ରେ ମନ ଆପେଆପେ ମିଠା ଖୋଜିଥାଏ। ତେବେ ଡାକ୍ତରଙ୍କ ପରାମର୍ଶ ଅନୁସାରେ, ମିଠା ଖାଇବାର ଇଚ୍ଛାକୁ ନିୟନ୍ତ୍ରଣ କରିବା ପାଇଁ ଖାଦ୍ୟରେ ପ୍ରୋଟିନ୍ ଓ ଫାଇବର୍ଯୁକ୍ତ ଖାଦ୍ୟ ସାମିଲ କରିବା ଜରୁରୀ। ଅତ୍ୟଧିକ ଚିନିଯୁକ୍ତ ମିଠା ବଦଳରେ ତାଜା ଫଳ ବା ଡ୍ରାଏ ଫ୍ରୁଟସ ଖାଇପାରିବେ। ନିୟମିତ ଖାଦ୍ୟ ଓ ଉପଯୁକ୍ତ ନିଦ୍ରା ମଧ୍ୟ ଏଥିରେ ସହାୟକ ହୋଇଥାଏ। କିନ୍ତୁ ଯଦି ବାରମ୍ବାର ଅତ୍ୟଧିକ ମିଠା ଖାଇବାକୁ ଇଚ୍ଛା ହେଉଛି କିମ୍ବା ଅନ୍ୟ ଅସ୍ୱାଭାବିକ ଲକ୍ଷଣ ଦେଖାଦେଉଛି, ତେବେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।